• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାର୍ଯ୍ୟ ଦକ୍ଷତା ନା ଚାକିରୀ କାଳରେ ସରକାରଙ୍କ ପ୍ରତି ଅହେତୁକ ଆନୁଗତ୍ୟ ? ଅବସରର ନେଉ ନେଉ କିଛି ଅଫିସରରୁ ତୁରନ୍ତ ମିଳୁଛି ଅତି ଲାଭଦାୟକ ପଦରେ ପୁନଃନିଯୁକ୍ତି । ରାଜ୍ୟରେ ବେକାରୀ ସମସ୍ୟା ଉଦବେଗଜନକ ସ୍ଥିତିରେ ଥିବା ବେଳେ ଯୁବଗୋଷ୍ଠୀ ଚାକିରୀ ଖଣ୍ଡେ ପାଇଁ ଡହଳବିକଳ ହେଉଛନ୍ତି । ଏହାସତ୍ତ୍ୱେ ସରକାର ଅବସରପ୍ରାପ୍ତ ଅଫିସରଙ୍କୁ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର ଔଚିତ୍ୟକୁ ନେଇ ଉଠିଛି ପ୍ରଶ୍ନ । ଏକ ନିର୍ଦ୍ଦିଷ୍ଟ କୋଟେରୀର ଅଫିସରକୁ ଏଭଳି ଲାଭଦାୟକ ପଦରେ ପୁନଃନିଯୁକ୍ତି ମିଳୁଥିବା ପୂର୍ବତନ ପ୍ରଶାସକ ଓ ସମୀକ୍ଷକ ମତ ଦେଇଛନ୍ତି ।

୨୦୨୧ ଡିସେମ୍ବର ୩୧ରେ ପୁଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଲେ ଡିଜିପି ଅଭୟ । ହେଲେ ଅବସରର କେଇଘଣ୍ଟା ଭିତରେ ହୋଇଗଲେ ନବଗଠିତ ନାର୍କୋଟିକ୍-ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କଫୋର୍ସର ଅଧ୍ୟକ୍ଷ । ମୁଖ୍ୟ ସଚିବ ରାଙ୍କ୍ ଓ ମାନ୍ୟତା ଉପଭୋଗ କରିବେ । ପୂର୍ବତନ ପୋଲିସ ଡିଜି ରାଜ୍ୟରେ ଉଚ୍ଚ ପଦାଧିକାରୀଙ୍କୁ ପୁନଃନିଯୁକ୍ତି ଦେବାରେ ଏହା କିଛି ନୂଆ ନୁହେଁ । ଗତ ୧୦ ବର୍ଷ ମଧ୍ୟରେ ଅତିକମରେ ଏକ ଡଜନ ମୁଖ୍ୟ ସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଅବସର ପରେ ଏମିତି ବଡ଼ ଓ ଲାଭଦାୟକ ପଦବରେ ବସାଇଛନ୍ତି ସରକାର ।

୨୦୦୭ରେ ପୂର୍ବତନ ଡିଜିପି ଗୋପାଳ ନନ୍ଦଙ୍କୁ ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ କରାଯିବା ପରଠୁ ଆରମ୍ଭ ହୋଇଛି ଏହି ଟ୍ରେଣ୍ଡ । ସ୍ୱେଚ୍ଛାକୃତ ଅବସର ନେଉ ନେଉ ପୂର୍ବତନ ଡିଜିପି ଆରପି ଶର୍ମାଙ୍କୁ ସରକାର ଦେଲେ ଲୋକାୟୁକ୍ତ ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦ । ହୋମଗାର୍ଡ ଡିଜି ପଦରୁ ଅବସର ନେଇଥିବା ସତ୍ୟଜିତ ମହାନ୍ତି ଏବେ ଓଡ଼ିଶା ଲୋକସେବା କମିଶନର ଅଧ୍ୟକ୍ଷ । ପୂର୍ବତନ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ରବି ନାରାୟଣ ସେନାପତି, ଅଜିତ୍ ତ୍ରିପାଠୀ ଓ ସଞ୍ଜୀବ ହୋତାଙ୍କ ଭଳି ବରିଷ୍ଠ IAS ଅଧିକାରୀ ଅବସର ପରେ ହୋଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ବରିଷ୍ଠ ଅଧିକାରୀ ।

ଆର୍ ବାଲାକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କ କାଯର୍ୟାଳୟ- CMOର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବା ବେଳେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଯାଇଛି । ଏକ ନିର୍ଦ୍ଦିଷ୍ଟ କାଟାଗୋରୀରେ ଥିବା ଅଫିସରକୁ ଏଭଳି ଉଚ୍ଚ ପଦବୀରେ ବସାଯାଉଥିବା କହିଛନ୍ତି ପୂର୍ବତନ ପ୍ରଶାସନିକ ଓ ପୁଲିସ ଅଧିକାରୀ ।

ସମୀକ୍ଷକଙ୍କ ମତ, ଚାକିରି କାଳରେ ଅନୁଗତ ରହିବା ସହ ସରକାରଙ୍କୁ ଅକଳରୁ ବଞ୍ଚାଇଥିବା ଅଧିକାରୀଙ୍କୁ ହିଁ ଅବସର ପରେ ପୁରସ୍କାର ସ୍ୱରୂପ ଉଚ୍ଚ ପଦପଦବୀରେ ଥଇଥାନ କରାଯାଉଛି । କୋଭିଡ୍ ମହାମାରୀ ମାଡ଼ରେ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ଏହା ସରକାରଙ୍କ ଝିଣ୍ଟିକା ମାରି ବଣି ପୋଷିବା ନୀତି । ଅବସର ପରେ ଅଫିସରକୁ ପୁନଃ ନିଯୁକ୍ତି ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ପରମ୍ପରା ରାଜ୍ୟର ହିତରେ ନୁହେଁ ବରଂ ବେକାରୀଙ୍କ କଟା ଘାରେ ଚୁନ ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ସହ ଜଗଦୀଶ ଦାସଙ୍କ ରିପୋର୍ଟ