• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଆଡ଼େ ଗଲା ବାଘୁଣୀ ? ଖୋଜି ଖୋଜି ଥକିଗଲେଣି ବନବିଭାଗ । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମୂଳ ବାଘ ବଂଶର ଏକ ମାତ୍ର ବାଘୁଣୀର ଦୀର୍ଘମାସ ପରେ ବି ଖୋଜ ଖବର ମିଳି ପାରିନଥିବାବେଳେ ଏହାକୁ ନେଇ ଚିନ୍ତାରେ ପରିବେଶବିତ ଓ ସାତକୋଶିଆ ବାସିନ୍ଦା। ମୂଳ ବ୍ୟାଘ୍ର ବଂଶର ଏକ ମାତ୍ର ବୟସ୍କା ବାଘୁଣୀର ପ୍ରାୟ ୫ ମାସ ହେଲା ପତ୍ତା ମିଳୁନି । ଗତ ନଭେମ୍ବର ମାସ ଶେଷରେ ବାଘୁଣୀର ଫଟୋ ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ଆସିଥିବାବେଳେ ତାହା ପରଠାରୁ ଆଉ ବାଘୁଣୀର ସନ୍ଧାନ ମିଳିପାରୁ ନାହିଁ ।

୨୦୦୭ ମସିହାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ପାଇଥିବାବେଳେ ସେତେବେଳେ ବ୍ୟାଘ୍ର ଅଭୟାରଣ୍ୟରେ ଥିଲେ ୬ରୁ ୭ଟି ମହାବଳ ବାଘ ଓ ବାଘୁଣୀ । ମାତ୍ର ବିଭିନ୍ନ କାରଣ ପାଇଁ ଏହି ସଂଖ୍ୟା ହ୍ରାସ ପାଇ ୧ରେ ପହଞ୍ଚିଥିଲା । ତେଣୁ ମହାବଳର ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଯଥାକ୍ରମେ ଗୋଟିଏ ଅଣ୍ଡିରା ମହାବଳ ଓ ବାଘୁଣୀକୁ ଅଣାଯାଇଥିଲା । ହେଲା ଅଣ୍ଡିରା ମହାବଳର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ବାଘୁଣୀର ଆକ୍ରମଣରେ ଦୁଇ ଜଣଙ୍କ ଜୀବନ ଗଲାପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ତାକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯାଇଥିଲା । ତେଣୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ମୂଳ ବାଘ ବଂଶର ଏକମାତ୍ର ବାଘୁଣୀ ଥିଲା ବ୍ୟାଘ୍ର ପ୍ରକଳ୍ପରେ ।

ହେଲେ ଗତବର୍ଷ ନଭେମ୍ବର ମାସରୁ ଆଉ ସେ ବାଘୁଣୀର କୌଣସି ପତ୍ତା ମିଳୁ ନାହିଁ । ବନ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ ଜଙ୍ଗଲର ସବୁ ଜାଗାରେ ଖୋଜାଖୋଜି କରାଯାଉଛି । ଜଙ୍ଗଲ ଭିତରେ ଲଗା ଯାଇଥିବା କ୍ୟାମେରା ସମ୍ମୁଖକୁ ମଧ୍ୟ ସେ ଆସୁ ନଥିବାରୁ ଚିତ୍ର ଉତ୍ତୋଳନ ହୋଇ ପାରୁ ନାହିଁ । ଗତ କିଛି ମାସ ପୂର୍ବରୁ ଏଠାରେ ବାଘ ଗଣନା ମଧ୍ୟ ହୋଇଥିଲା । ବହୁ ସଂଖ୍ୟାରେ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। କିନ୍ତୁ ବାଘୁଣୀର କୌଣସି ପତ୍ତା ମିଳି ନଥିଲା ।

ତେବେ ବର୍ତ୍ତମାନ ବାଘୁଣୀ ଜୀବିତ ନା ଅନ୍ୟ କୌଣସି ବନାଞ୍ଚଳକୁ ଚାଲିଯାଇଛି ସେ ନେଇ ବନବିଭାଗ ସ୍ପଷ୍ଟ କରିବାର ଆଵଶ୍ୟକତା ଅଛି ବୋଲି କହିଛନ୍ତି ପରିବେଶବିତ । ଦୀର୍ଘମାସ ପରେ ବାଘୁଣୀର ଖୋଜ ଖବର ମିଳିପାରି ନଥିବାବେଳେ ସାତକୋଶିଆବାସୀ ଚିନ୍ତାପ୍ରକଟ କରିବା ସହ ବନବିଭାଗର ଅବହେଳା ଓ ଅପାରଗତାକୁ ଦାୟୀ କରିଛନ୍ତି ।

କିଛି ଦିନ ପୂର୍ବରୁ ବାଘୁଣୀ ରହୁଥିବା ଅଞ୍ଚଳ ଠାରୁ ୧୫ରୁ ୨୦ କିଲୋମିଟର ଦୂରରେ ପାଦ ଚିହ୍ନ ଦେଖାଯାଇଥିବା ବନବିଭାଗ କହିଛି । ତେବେ ଏହା ବାଘୁଣୀର କି ନୁହେଁ ତାହା ସ୍ପଷ୍ଟ ହୋଇପାରିନାହିଁ । ଅନ୍ୟପଟେ ଏହା ନିଖୋଜ ବାଘୁଣୀର ପାଦ ଚିହ୍ନ ହୋଇଥାଇପାରେ ବୋଲି ଆନୁମାନ କରୁଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।

ବିରଜା ପ୍ରସାଦ ଦାଶ, ଅନୁଗୋଳ