ଆମେ ସମେସ୍ତେ ଚାଷ କାର୍ଯ୍ୟ ବିଷୟରେ ଅଳ୍ପେ ବହୁତେ ଜାଣିଥିବା । କାରଣ ଆମ ଖାଇବା ଟେବୁଲରେ ଯାହା ସବୁ ପରଷା ଯାଏ ସେହି ସବୁ ଚାଷ କାର୍ଯ୍ୟରୁ ଉତ୍ପାଦିତ ହୋଇଥାଏ । ଚାଷ ବିନା ଆମ ଜୀବନ ଚକ ଅଧାରେ ଅଟକି ଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଚାଷ କାର୍ଯ୍ୟ ଓ ଚାଷୀଙ୍କ ଯୋଗୁଁ ଆମ ପେଟ ପୁରୁଛି । ଆଉ ଆମେ ବଞ୍ଚିପାରୁଛେ । ତେବେ ଏହାରି ଭିତରେ ଆଉ ଏକ ଚାଷ ପ୍ରଣାଳୀ ହେଲା ଜୈବିକ ଚାଷ । ଯାହାକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଜୈବିକ ପଦ୍ଧତିରେ ଚାଷ କରିବା ସମସ୍ତଙ୍କ ପାଇଁ ଏତେଟା ସଜର ହେଉ ନାହିଁ । ଆପଣ ଜାଣନ୍ତି କି ଜୈବିକ ଚାଷ କ’ଣ ? ଏହା କିପରି କରାଯାଏ ? ତେବେ ଆସନ୍ତୁ ଆଜି ଆମେ ଜୈବିକ ଚାଷ ବିଷୟରେ ଆଲୋଚନା କରିବା ।
ଜୈବିକ ଚାଷ କହିଲେ ଆମେ କାହାରିକୁ କ୍ଷତି ପହଞ୍ଚାଇବା ବିନା ଚାଷ କାର୍ଯ୍ୟ କରିବା ହିଁ ଜୈବିକ ଚାଷ । ଆପଣ ଏଠି ଭାବୁଥିବେ ଚାଷ କାର୍ଯ୍ୟରେ ବି କ’ଣ କାହାର କେବେ କିଛି କ୍ଷତି ହୋଇଥାଏ ? ଆଜ୍ଞା ହଁ ମାଟି-ପାଣି- ପବନ- ପଶୁ- ପକ୍ଷୀ- ଏମିତିକି ପୋକ ଜୋକ ଆଦିକୁ କ୍ଷତି ନପହଞ୍ଚାଇ ଯେଉଁ ଚାଷ କରାଯାଏ ତାକୁ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କୁହାଯାଏ ।
Also Read
ସାଧାରଣତଃ ଚାଷ କାର୍ଯ୍ୟରେ ଚାଷୀମାନେ ଭଲ ଫସଲ ପାଇଁ ସାର, ପିଡ଼ିଆ, କୀଟନାଶକ ଆଦି ବ୍ୟବହାର କରିଥାନ୍ତି । ହେଲେ ଏହା ଦ୍ୱାରା ମାଟିର କ୍ଷତି ହୋଇଥାଏ । ଏମିତିକି ସେଠି କୀଟ ନାଶକ ବ୍ୟବହାର ପରେ ଯେଉଁ ଫସଲ ଉତ୍ପାଦିତ ହୋଇଥାଏ ତାକୁ ଖାଇବା ଦ୍ୱାରା ମଣିଷ ରୋଗରେ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି । କୀଟନାଶକ, ସାର, ପିଡ଼ିଆ ଆଦି ବ୍ୟବାହାର ଦ୍ୱାରା ଉକ୍ତ ଫସଲ ବା ଖାଦ୍ୟ, ମଣିଷ ଶରୀରରେ ସ୍ଲୋ ପଏଜନ୍ ଭଳି ପ୍ରଭାବ ପକାଇଥାଏ ।
ଖାଲି ସେତିକି ନୁହେଁ କୀଟନାଶକ, ସାର, ପିଡ଼ିଆ ଆଦି ବ୍ୟବାହାର ଦ୍ୱାରା ଉକ୍ତ ଜମିର ବା ମାଟିର ଉର୍ବରତା ହ୍ରାସ ପାଇଥାଏ । ଏହା ପରେ ସେହି ମାଟିରେ ଅନ୍ୟ କୌଣସି ଫସଲ ଲଗାଇଲେ ତାହା ସଠିକ୍ ଢ଼ଙ୍ଗରେ ହୋଇନଥାଏ । ମାଟିରେ ଥିବା ଉପକାରୀ ତତ୍ତ୍ୱ ସବୁ ନଷ୍ଟ ହେବା ସହ ଉପକାରୀ ଜୀବ ଯେମିତିକି ଜିଆ ଆଦିର ବଂଶ ଲୋପ ପାଇଥାଏ । ଏମିତିକି ଉକ୍ତ ଗୁଣବତ୍ତା ମଧ୍ୟ ହ୍ରାସ ପାଇଥାଏ ।
ତେବେ ଜୈବିକ ପଦ୍ଧତିରେ ଚାଷ କଲେ, ସେଥିରେ କେବଳ ଜୈବିକ ଖତ ବ୍ୟବହାର ହୋଇଥାଏ । ଯେମିତିକି ଗୋବର, ଗୋମୂତ୍ର, ଖତ, ପନିପରିବା ଚୋପା, ପଚା ଫଳ ଓ ଏହାର ଚୋପା ଆଦି ବ୍ୟବହାର ହୋଇଥାଏ । ଏହା ଦ୍ୱାରା ମାଟିର ଉର୍ବରତା ବଢ଼ିଥାଏ ଏବଂ ଫସଲର ଗୁଣବତ୍ତା ମଧ୍ୟ ଉଚ୍ଚକୋଟିର ରହିଥାଏ । ପରିବେଶ ପ୍ରତି ଏହାର କୌଣସି କୁପ୍ରଭାବ ପଡ଼ିନଥାଏ ।
ଏଭଳି ଜୈବିକ ପଦ୍ଧତି ଚାଷକୁ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯାଉଛି । କାରଣ ସମସ୍ତେ ଚାହାନ୍ତି ନିଜର ପରବର୍ତ୍ତୀ ପିଢ଼ି ରାସାୟନିକ ପଦାର୍ଥ ଠାରୁ ନୂରେଇ ରୁହନ୍ତୁ ଏବଂ ଏହା ଯୋଗୁଁ ହେବାକୁ ଥିବା ନାନା ପ୍ରକାର ରୋଗରୁ ମୁକ୍ତ ରୁହନ୍ତୁ । ସାରା ବିଶ୍ୱ ଏବେ ଜୈବିକ ପଦ୍ଧତିରେ ଉତ୍ପାଦିତ ଫସଲକୁ ଆପଣାଇବାକୁ ଚଷ୍ଟା କରୁଛି । ଏମିତିକି ବଜାରରେ ସାଧାରଣ ଫସଲଠାରୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଫସଲର ମୂଲ୍ୟ ଅଧିକ ରହିଥିଲେ ବି ଲୋକେ ପ୍ରଥମେ ଏହାକୁ କିଣିବାକୁ ଆଗ୍ରହ କରିଥାନ୍ତି ।