Advertisment

ନଳକୂପ କାମରେ ଆସୁନି, ଚୁଆ ପାଣି ଗାଁ ଲୋକଙ୍କ ସାହା ଭରଷା

ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ...

author-image
Prangyan Parimita
Water Scarcity Haunts Villagers In Keonjhar District

Water Scarcity Haunts Villagers In Keonjhar District

ଉତ୍କଟ ହୋଇଛି ପାଣି ସମସ୍ୟା । ଖରାଦିନରେ ଡହଳବିକଳ ହେଉଛନ୍ତି ଲୋକେ । ସେଥି ପାଇଁ ନାଳରେ ଚୁଆ ଖୋଳିଛନ୍ତି ଗାଁ ଲୋକେ । ହାତରେ ଗରା ବାଲଟି ଧରି ମହିଳାମାନେ ଚୁଆରୁ ପାଣି ବୁନ୍ଧାଏ ନେବାକୁ ଅପେକ୍ଷା କରିଛନ୍ତି । ଜଣେ ଗରାଏ ପାଣି ନେବା ପରେ ଅନ୍ୟ ଜଣଙ୍କୁ ଅପେକ୍ଷା କରିବାକୁ ପଡୁଛି ଚୁଆରେ ପାଣି ଭର୍ତ୍ତି ହେବା ପର୍ଯ୍ୟନ୍ତ । ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲାବିଲା ଗାଁ ଲୋକେ ବର୍ଷ ବର୍ଷ ଧରି ଏପରି ଅସୁବିଧା ଭୋଗୁଛନ୍ତି ।

Advertisment

ଚୁଆ ପାଣିକୁ କଲାବିଲା ଗାଁ ଲୋକମାନେ ପିଇବା ଠାରୁ ଆରମ୍ଭ କରି ରୋଷେଇ କାମରେ ଲଗାଇଥାନ୍ତି । ବର୍ଷା ଓ ଶୀତ ଦିନେ ନାଳରେ ଯାଉଥିବା ପାଣିକୁ ବ୍ୟବହାର କରିଥାନ୍ତି କଲାବିଲା ଗାଁ ଲୋକେ। ହେଲେ ଖରାଦିନ ଆସିଲେ ସମସ୍ୟା ବଳେଇ ପଡ଼େ । ତେବେ ଏ ପାଣି ସମସ୍ୟା ଆଜିର ନୁହେଁ, କାହିଁ କେଉଁ କାଳରୁ ଲୋକେ ଏମିତି ଜଳକଷ୍ଟ ଭୋଗି ଆସୁଛନ୍ତି।

ଜଳ ସଙ୍କଟ ନେଇ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ବିଭାଗିୟ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଅବଗତ କରାଇବା ସହ ଏକ ନଳକୂପ ବସାଇବା ପାଇଁ ଗୁହାରୀ ଜଣାଇଛନ୍ତି ଗାଁ ଲୋକେ । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ବ୍ଲକ୍ ପ୍ରଶାସନ ପ୍ରାୟ ୫ ବର୍ଷ ତଳେ ଏକ ନଳକୂପ ଖୋଳିଥିଲେ । ହେଲେ ଗାଁର ଏକ ଟାଙ୍ଗର ଉପରେ ଖୋଳାଯାଇଥିବା ଏହି ନଳକୂପରୁ ପାଣି ମୁନ୍ଦାଏ ବି ବାହାରି ନାହିଁ।

Advertisment

ମେଗା ପାନୀୟ ଜଳ ପ୍ରକଳ୍ପରେ କଲାବିଲା ଗାଁକୁ ସାମିଲ କରିବାକୁ ଗାଁରେ ଷ୍ଟାଣ୍ଡ ପୋଷ୍ଟ ସବୁ ବସାଯାଇଛି। ହେଲେ ପ୍ରକଳ୍ପ କାମ କଚ୍ଛପଗତିରେ ଚାଲିଥିବା ଯୋଗୁ ଷ୍ଟାଣ୍ଡପୋଷ୍ଟରେ ପାଣି ଆସିବା ଆଶା କ୍ଷିଣ ହୋଇଯାଇଛି।

କଲାବିଲା ଗାଁର ପାନୀୟ ଜଳ ସମସ୍ୟା ନେଇ ଆମେ ଉପଜିଲ୍ଲାପାଳଙ୍କୁ ଭେଟିଥିଲୁ । ବ୍ଲକ୍ ପ୍ରଶାସନ ସହ ଆଲୋଚନା କରି କଲାବିଲାକୁ ଜଳ ଯୋଗାଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ। ଏଥି ସହ ତୁରନ୍ତ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା କଲାବିଲା ଗାଁର ଲୋକମାନଙ୍କ ସମସ୍ୟା ବୁଝି ତୁରନ୍ତ ପିଇବା ପାଣି ଯୋଗାଇ ଦେବାର ଆବଶ୍ୟକତା ରହିଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଲୋକନାଥ ସିଂହଙ୍କ ରିପୋର୍ଟ

Water Scarcity
Advertisment
Advertisment