• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି । ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି । କଟକ ଜିଲ୍ଲା ଆଠଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ କେଉଁଠି ଓଭରହେଡ୍ ଟ୍ୟାଙ୍କ୍ କାମରେ ଆସୁନି । ଏହାରି ଭିତରେ ବିଭାଗୀୟ ଅବହେଳା ଲୋକଙ୍କୁ କଲବଲ କରୁଥିବାର ଅଭିଯୋଗ ହୋଇଛି ।

ଆଠଗଡ଼ ବ୍ଲକ କୁଲେଇଲୋ ପଞ୍ଚାୟତ ତଳଗଡ଼ ଗାଁରରେ ମୁନ୍ଦେ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ନିଜ ଘରର ନିତ୍ୟ ବ୍ୟବହାର୍ଯ୍ୟ କାମ ତଥା ରୋଷେଇ ପାଇଁ ମଧ୍ୟ ସେମାନେ ଟ୍ୟାଙ୍କର ଉପରେ ନିର୍ଭର କରି ରହୁଛନ୍ତି । ଟ୍ୟାଙ୍କରର ଅପେକ୍ଷାରେ ଲୋକଙ୍କୁ ଲମ୍ୱା ସମୟ ଧରି ଧାଡ଼ି ହୋଇ ଗରା, ବାଲଟି ଥୋଇ ଅପେକ୍ଷା କରିବାକୁ ପଡୁଛି ।

ଗାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଷ୍ଟାଣ୍ଡପୋଷ୍ଟ ତିଆରି କରାଯାଇଛି । ହେଲେ ସେଥିରେ ବି ପାଣି ଆସୁନି । ଏହାସହ ଗାଁରେ ଥିବା କୂଅ ଶୁଖିଲା ପଡିଥିବା ବେଳେ, ଏବେ ଟ୍ୟାଙ୍କର ଏକ ମାତ୍ର ଭରସା ପାଲଟିଛି । ଯାହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ହେଉନଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷେ, ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ଗୋପୀନାଥପୁର ଶାସନ, କରଡ଼ାପାଲି ଓ ନିଜିଗଡ଼ରେ ମଧ୍ୟ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ନିଜିଗଡ଼ ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ପାଇଁ ୨୦୦୭ରେ ୯୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚକରି ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ହେଲେ ଏ ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରୁନି । ଫଳରେ ଦିନକୁ ଅତି ବେଶୀରେ ବେଶୀ ଘଣ୍ଟାଏ ଜଳ ଯୋଗାଣ ହୋଇପାରୁଛି । ଯାହା ସମସ୍ତଙ୍କ ପାଇଁ ନିଅଣ୍ଟ ପଡୁଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ କହିଛନ୍ତି ।

ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବି ବିଭାଗୀୟ ଉଦାସୀନତା ଓ ଅବହେଳା ଯୋଗୁଁ ଏସବୁ କାମରେ ଲାଗିପାରୁନାହିଁ । ତେଣୁ ସମସ୍ୟାର ସମାଧାନ କରି ଖୁବଶୀଘ୍ର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଆଠଗଡ଼ରୁ ନୀଳକଣ୍ଠ ଦୋରା