/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701441126.jpg)
Ex block chairman
ଦିନେ ଯିଏ, ଲୋକଙ୍କ ଦୁଃଖ ସୁଖ ବୁଝୁଥିଲେ । ଆଜି ସିଏ ଦାନା ପାଇଁ ଦାଦନ ଖଟୁଛନ୍ତି । ସେତେବେଳେ, ପଦ ପଦବୀ ଥିଲା, ସ୍ୱାମୀ ଥିଲେ ଆଉ ସଂସାର ବି ଥିଲା । ହେଲେ ଏବେ ଆଉ କିଛି ନାହିଁ । ଅନେକ କିଛି ବଦଳି ଯାଇଛି । ଆଉ ଜୀଇବା ପାଇଁ ସେ ସଂଗ୍ରାମ କରୁଛନ୍ତି ।
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର । ଯିଏ ଦିନେ ଦୁଃଖୀଙ୍କ ଦୁଃଖରେ ଛିଡ଼ା ହେଉଥିଲେ । ଗରିବଙ୍କ ନିକଟରେ କିପରି ସରକାରଙ୍କ ଯୋଜନା ପହଞ୍ଚିବ ସେନେଇ ପ୍ରାଣପ୍ରଣେ ଚେଷ୍ଟା କରୁଥିଲେ । ହେଲେ ଆଜି ସମୟ ତାଙ୍କ ପାଇଁ ବଦଳିଯାଇଛି । ଆଉ ପାଖରେ ରହିଯାଇଛି ସେହି ଦିନର ପୁରୁଣା ଫଟୋ । ଫଟୋ ଫ୍ରେମରେ ରହିଛନ୍ତି ୩ ଜଣ । ସେତେବେଳର ଧନକଉଡା ବ୍ଲକ ଅଧ୍ୟକ୍ଷା କାନ୍ତି କୁମ୍ଭାର । ଅନ୍ୟ ଜଣେ ବି.ଡି.ଓ ଏବଂ ଜଣେ ବ୍ଲକର କନିଷ୍ଠ ଯନ୍ତ୍ରୀ ।
ଲୋକ କଥା ଅନୁସାରେ କର୍ପୁର ସିନା ଉଡିଯାଇଛି, କିନ୍ତୁ ଏବେ ଖାଲି କନା ପଡିରହିଛି । ସିଏ ଯେ ଦିନେ ଜନ ପ୍ରତିନିଧି ଥିଲେ, ଏହି ଫଟୋଟି କେବଳ ସେ ଦିନର ସ୍ମୃତି ବଖାଣୁଛି । ଆଉ କିଛି କହିବା ଆଗରୁ ଯେମିତି ସବୁ କହିଦେଉଛି ଏ ଝୁମ୍ପୁଡି ଘର । ୧୯୯୭ ମସିହାରେ, ମାତ୍ର ୧୯ ବର୍ଷ ବୟସରେ କାନ୍ତି କୁମ୍ଭାର କଳାମାଟି ପଂଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଆଉ ୨୦୦୦ ମସିହାରେ ତାଙ୍କର ବିବାହ ହୋଇଥିଲା । ଗୋଟିଏ ପୁତ୍ର ଓ କନ୍ୟା ସନ୍ତାନର ମା’ ହେଲେ । ପରେ ସ୍ୱାମୀଙ୍କ ସହ ମତାନ୍ତର ପରେ ଯେମିତି କାନ୍ତିଙ୍କ ସବୁ ଖୁସି ଲିଭିଗଲା ।
କଷ୍ଟେମଷ୍ଟେ କିଛି ଦିନ ଚଳିବାପରେ ସେ ତାମିଲନାଡୁ ଚାଲିଗଲେ । ସେଠାରେ ସୂତା କଳରେ କାମ କରୁଛନ୍ତି କାନ୍ତା । ପରିସ୍ଥିତି ଏବେ ଏମିତି ହୋଇଛିଯେ, ଦାଦନ ନଗଲେ ପୁରୁନି ପରିବାରର ପେଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)