• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପେଟ୍ରୋଲ ଦର ୧୧୦ ପ୍ଲସ୍‌ । ଗାଡ଼ି ବାହାର କରିବାକୁ ମନ ଡାକୁନି । କାରଣ ଆଜିକାଲି ଯେଉଁ ସବୁ ଗାଡ଼ି ବାହାରିଲାଣି, ଲିଟରେ ତେଲ ପକାଇଲେ ମାତ୍ର ୪୫ ରୁ ୫୦ କିଲୋମିଟର ଯାଉଛି । ବଜାରରୁ ଘେରେ ବୁଲି ଆସିଲେ ଟାଙ୍କି ଖାଲି । ତେବେ ଏହାରି ଭିତରେ ଲୋକଙ୍କ ମନରେ ଏକ ନୂଆ ଆଶା ସଞ୍ଚାର କରିଛନ୍ତି ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ରାଧାଚରଣପୁର ଗାଁର ଜଣେ ଯୁବକ ଅଜୟ ବେହେରା ।

ଆପଣ ଭାବୁଥିବେ ସେ କ’ଣ ଏମିତି କଲେ କି ? ଯେଉଁଥିରେ ପେଟ୍ରୋଲ ସମସ୍ୟା ଦୂର ହୋଇଯିବ । ଆଜ୍ଞା ହଁ ଅଜୟ ଏମିତି କିଛି କାମ କରିଛନ୍ତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆପଣ ବି କହିବେ ଏମିତି ହେଲେ ଭଲ ହୁଅନ୍ତା । ତେବେ ଅଜୟ ପେଟ୍ରୋଲ ସମସ୍ୟା ଦୂର କରିନାହାନ୍ତି ସତ, ହେଲେ ଏକ ନୂଆ ଆଶା ସଞ୍ଚାର କରିଛନ୍ତି ।

ସେ ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ପ୍ଲାଷ୍ଟିକ୍‌ ଆବର୍ଜନାରୁ ପେଟ୍ରୋଲ ବାହାର କରିଛନ୍ତି । ସେ ଯେଉଁ ଏକ୍ସପେରିମେଣ୍ଟ କରିଛନ୍ତି ସେଥିରେ ସେ ସଫଳ ହୋଇଥିବା ଦାବି କରିଛନ୍ତି । ସେ ପ୍ଲାଷ୍ଟିକ୍‌ରୁ ପେଟ୍ରୋଲ ବାହାର କରି ତାକୁ ଗାଡ଼ିରେ ପକାଇ ବ୍ୟବହାର ମଧ୍ୟ କରିଛନ୍ତି । ଗାଡ଼ି ମଧ୍ୟ ସମ୍ପୂର୍ଣ୍ଣ ଫିଟ୍‌ ରହୁଥିବା ସେ କହିଛନ୍ତି ।

ଲୋକମାନେ ସାଧାରଣତଃ ଆବର୍ଜନାଯୁକ୍ତ ପ୍ଲାଷ୍ଟିକ୍ ଗୁଡିକୁ ଏଣେ ତେଣେ ଫୋପାଡ଼ି ଦେଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ସେହି ପ୍ଲାଷ୍ଟିକ୍‌ରୁ ପେଟ୍ରୋଲ ବାହାରିପାରେ । ଅଜୟ ବେହେରା ପାଠ ସିନା କମ୍‌ ପଢିଛନ୍ତି । ହେଲେ ତାଙ୍କ କାରନାମା କିନ୍ତୁ ଖୁବ୍‌ ବଡ଼ । ସାଧାରଣ ଇଲେକ୍ଟ୍ରିସିଆନ୍ ଭାବେ କାମ କରି ସେ ଦୁଇ ପଇସା ରୋଜଗାର କରନ୍ତି । ଆଉ ସେହି ପଇସାରେ ଗୁଜୁରାଣ ମେଣ୍ଟାନ୍ତି ।

ୟୁଟ୍ୟୁବ୍‌ରୁ ଏଭଳି ଭିଡିଓ ଦେଖିବା ପରେ, ଅଜୟ ମଧ୍ୟ ତାହା କରି ଦେଖାଇବାକୁ ମନ ସ୍ଥିର କରିଥିଲେ । ଏଥିପାଇଁ ପ୍ରଥମେ ଛୋଟ ଛୋଟ ଡବା ବା ଛୋଟ ଆକାରର ଏକ୍ସପେରିମେଣ୍ଟ କରିଥିଲେ । ଆଉ ସେଥିରେ ସେ ଅନୁଭବ କରିଥିଲେ ଯେ, ଏକ୍ସପେରିମେଣ୍ଟ କାମ କରୁଛି ଏବଂ ତାଙ୍କ ପ୍ରୟାସ ସଫଳ ହୋଇଛି ।

ଏହାପରେ ସେ ଟିକେ ବଡ଼ ଆକାରରେ କରି ତାର ଫାଇଦା ନେବା ପାଇଁ ଇଚ୍ଛା କରିଥିଲେ । ହେଲେ ପାଖରେ ଅର୍ଥ ନଥିଲା । ତେଣୁ ବାପାଙ୍କ ପାଖରେ ହାତ ପତାଇଥିଲେ ଅଜୟ । ବାପାଙ୍କ ପାଖରେ ସେତିକି ସମ୍ବଳ ନଥିବାରୁ ଅଜୟ ନିଜ ଗାଡ଼ି ବିକି ଏକ୍ସପେରିମେଣ୍ଟ କରିବାକୁ ସ୍ଥିର କରିଥିଲେ । ଗାଡ଼ି ବିକିବା ପରେ ଘରୁ ମାଆଙ୍କର ଗହଣା ନେଇ ବନ୍ଧା ପକାଇ ଟଙ୍କା ସଂଗ୍ରହ କରିଥିଲେ । ଆଉ ସେହି ଟଙ୍କାରେ ସେ ଏକ୍ସପେରିମେଣ୍ଟ କରିଥିଲେ । ଏବେ ସେଥିରେ ମଧ୍ୟ ସେ ସଫଳ ହୋଇଥିବା କହୁଛନ୍ତି । ଅଧିକ ପ୍ଲାଷ୍ଟିକ୍‌ ତରଳାଇ ଯେଉଁ ପେଟ୍ରୋଲ ବାହାର କରିଥିଲେ, ତାକୁ ବାଇକରେ ପକାଇ ଗାଁରେ ବୁଲିଥିଲେ । ଗାଡ଼ି ଚଲାଇବାରେ କୌଣସି ସମସ୍ୟା ହୋଇନଥିବା ସେ କହିଛନ୍ତି ।

ତାଙ୍କ କହିବାନୁଯାୟୀ ପାଖାପାଖି ୧୨ କିଲୋଗ୍ରାମ୍‌ ପ୍ଲାଷ୍ଟିକ୍‌କୁ ଅଢେଇ ଘଣ୍ଟା ନିଆଁରେ ତରଳାଇ ପ୍ରୋସେସିଂ କଲେ, ୮ ଲିଟର ପାଖାପାଖି ପେଟ୍ରୋଲ ବାହାରେ । ତେବେ ବିଶେଷଜ୍ଞଙ୍କ ମତରେ ଏହା କୌଣସି ଇନ୍ଧନ ହୋଇଥାଇପାରେ । ବିନା ପରୀକ୍ଷା ନିରିକ୍ଷାରେ ଏହାକୁ ପେଟ୍ରୋଲ ବୋଲି କହିପାରିବା ନାହିଁ । ତେବେ ସତରେ ଯଦି ପ୍ଲାଷ୍ଟିକ୍‌ ଆବର୍ଜନା ଓ ପଲିଥିନ୍‌ରୁ ଏମିତି କିଛି ଇନ୍ଧନ ବାହାରେ, ଆଉ ସେଥିରେ ବାଇକ୍‌ ଚାଲିପାରିବ, ତେବେ ନିହାତି ଭାବେ ସମସ୍ତେ କହିବେ ଏମିତି ହେଲେ ଭଲ ହୁଅନ୍ତା ।