• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଡ଼ିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ବେଳେ ଦେଖାଦେଲା ଭାବବିହ୍ୱଳ ପରିସ୍ଥିତି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରସୁଲପୁର ବିଡ଼ିଓ ଉମାକାନ୍ତ ପରିଡାଙ୍କ ଅନ୍ୟତ୍ର ବଦଳି ଯୋଗୁଁ ତାଙ୍କୁ ବିଦାୟ ଦେବାବେଳେ ଉପସ୍ଥିତ ବ୍ଲକ କର୍ମଚାରୀ, ଲୋକ ପ୍ରତିନିଧି, ଜନସାଧାରଣଙ୍କ ସହ ଖୋଦ ବିଡ଼ିଓ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ଉମାକାନ୍ତ ପରିଡ଼ା ରସୁଲପୁର ବିଡ଼ିଓ ଭାବେ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରିବା ପରେ ନିକଟରେ ତାଙ୍କର କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକକୁ ବଦଳି ହୋଇଛି । ତେଣୁ ସୋମବାର ନୂତନ ବିଡ଼ିଓଙ୍କୁ ଶ୍ରୀ ଉମାକାନ୍ତ ପରିଡା କାର୍ଯ୍ୟଭାର ଦେଇ ବ୍ଲକରୁ ବିଦାୟ ନେଇଥିଲେ । ତେବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଓ ଜନପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ପରିସରରେ ଭିଡ଼ ଜମାଇଥିଲେ । ବିଦାୟୀ ବିଡ଼ିଓ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତେ ସମ୍ବର୍ଦ୍ଧିତ କରିଥିଲେ । ବାଜା ବଜାଇ, ବାଣ ଫୁଟାଇ ବିଡ଼ିଓଙ୍କୁ କାନ୍ଧରେ ବସାଇ ଲୋକେ ବ୍ଲକ ପରିସରରେ ବୁଲାଇଥିଲେ ।

ପରେ ବିଡ଼ିଓ ଯିବା ସମୟରେ ସମସ୍ତେ ଭାବବିହ୍ଵଳ ହୋଇପଡ଼ିଥିଲେ । ବିଡ଼ିଓଙ୍କ ଠାରୁ ଆରମ୍ଭ କରି ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ ସମସ୍ତେ କାନ୍ଦୁଥିବାରଦେଖିବାକୁ ମିଳିଥିଲା । ଉମାକାନ୍ତ ପରିଡାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଶୁଭେଚ୍ଛୁ ମାନେ ଯାଜପୁରରୋଡ଼ ସ୍ଥିତ ବାସଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ତେବେ ଉମାକାନ୍ତ ପରିଡ଼ା ଜଣେ ଭଲ ମଣିଷ ସହ ଜଣେ ଦକ୍ଷ ସରକାରୀ ଅଧିକାରୀ ଥିଲେ ବୋଲି ସମସ୍ତେ କହିଛନ୍ତି ।

ବ୍ଲକର ୨୮ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାର୍କ ଓ ବ୍ୟାପକ ବୃକ୍ଷରୋପଣ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏଣୁ ତାଙ୍କୁ ବିଦାୟ ଦେବା ସମୟରେ ବିଡ଼ିଓ ହେବ ତ ଉମାକାନ୍ତ ପରିଡ଼ାଙ୍କ ଭଳି ବିଡ଼ିଓ ହେବା ଦରକାର ବୋଲି ସମସ୍ତଙ୍କ ମୁହଁରେ ଏହି ଗୋଟିଏ କଥା ଆପେ ଆପେ ବାହାରି ଆସୁଥିଲା ।