• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ତହସିଲ ଅଫିସ୍‌ ସାମ୍ନାରେ ଜୋରସୋରରେ ପାଟି କରୁଛନ୍ତି । ଆଉ କହୁଛନ୍ତି ଏ ଅଫିସ୍‌ରେ କେହି ନାହାନ୍ତି, କାମ କିଛି ହେଉନି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଆମର କାମ ହୋଇଯାଉ । ହେଲେ ସରକାରୀ ଅଫିସ୍‌ରେ ଏମିତି ପାଟିତୁଣ୍ଡ କରୁଥିବା ବ୍ୟକ୍ତି ଜଣକ କିଏ ? କାହିଁକି ସିଏ ଏମିତି ପାଟିତୁଣ୍ଡ କରୁଛନ୍ତି ? କ’ଣ ରହିଛି ଘଟଣା ?

ଅନୁଗୁଳ ତାଳଚେରର ତହସିଲ ଅଫିସ୍‌ । ଯେଉଁଠି ୫-ଟି କାମ କରୁନଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଲିଗାଲ ସାର୍ଟିଫିକେଟ୍‌ ହେଉ କି ଜାତିଗତ ପ୍ରମାଣପତ୍ର କିମ୍ବା ଇନକମ୍‌ ସାର୍ଟିଫିକେଟ୍‌ ହେଉ । ଯାହା ବି ଆପ୍ଲାଏ କଲେ ସମୟ ଅନୁସାରେ କିଛି ମିଳୁନି । ଯେଉଁଥି ଲାଗି ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ତହସିଲ ଲୋକେ । ଅଭିଯୋଗ ହେଉଛି ଅଫିସ୍‌ର ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅତିରିକ୍ତ ତହସିଲଦାରଙ୍କ ପର୍ଯ୍ୟନ୍ତ କୁଆଡେ ଟଙ୍କା ନଦେଲେ ଫାଇଲ୍‌ ଇଂଚେ ବି ଘୁଂଚିବ ନାହିଁ । ଆଗେ ଟଙ୍କା ପରେ କାମ ହେଉଥିବା ଅଭିଯୋଗ ଆଣିଛନ୍ତି ତାଳଚେର ବାଘୁଆବୋଲ ଗାଁର ଲକ୍ଷ୍ମଣ ପ୍ରଧାନ ।

ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ଏମିତି ହେଲାଣି ଯେ ଲୋକ ତ୍ରାହିତ୍ରାହି ଡାକିଲେଣି । ଏମିତିକି ଖୋଦ୍‌ ବିଜେଡି ଦଳର ଜିଲ୍ଲା ସମ୍ପାଦକ ରାଜେଶ ଦାସ କହିଛନ୍ତି, ତହସିଲ କାର୍ଯ୍ୟାଳୟ ଏବେ ନାନା ଅସୁବିଧାରେ ଚାଲିଛି । ଲାଂଚୁଆ କର୍ମଚାରୀ ଓ ଅଫିସରଙ୍କ ଲାଗି ଲୋକେ ହଇରାଣ ହେଉଛନ୍ତି । ଯିଏ ଯେଉଁ କାମ ପାଇଁ ଗଲା ଲାଂଚ ମଗାଯାଉଛି । ଆଉ ଟଙ୍କା ଦେବା ପରେ ବି କାମ ହେଉନି ।

ତେବେ ଶହଶହ ଅଭିଯୋଗର ପାହାଡ ଭିତରେ କିନ୍ତୁ ତହସିଲଦାର ମାଡାମଙ୍କ ଠାଣି କିଛି ଅଲଗା । ଗଣମାଧ୍ୟମ କ୍ୟାମେରା ଭୁଲ ଦେଖାଉଛି, ଆମ ସିସି କ୍ୟାମରାରେ ଠିକ୍ ଦେଖାଉଛି କହି ଚିହିଁକି ଉଠୁଛନ୍ତି ତାଳଚେର ତହସିଲଦାର ଡ. ରୋଜାଲିନ ବେହେରା । ଖାଲି ରାଗୁଛନ୍ତି ତାହା ନୁହେଁ ବରଂ ସବୁ ଠିକ୍‌ଠାକ୍‌ ଚାଲିଥିଲା କହୁଛନ୍ତି । ସରକାରୀ ଅଫିସ୍‌ରେ ସ୍ୱଚ୍ଛତା ଆଣିବାକୁ ୫-ଟିରେ କାମ ହେଉଛି । ଲାଂଚୁଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଥିବା ଡେଙ୍ଗୁରା ପିଟାଯାଉଛି । କିନ୍ତୁ ଖୋଦ୍‌ ଶାସକ ଦଳର ନେତା ଏଇଠି ଖୋଲିଛନ୍ତି ଲାଂଚୁଆ ଅଫିସରଙ୍କ ଗୁମର । ତେବେ ସମୟ କହିବ କେବେ ସୁଧୁରୁଛି ତାଳଚେର ତହସିଲ ଅଫିସ୍‌ର ବ୍ୟବସ୍ଥା ।

 

  • Reported by:
  • MANIL MOHARANA