Advertisment

ଭୋଟ୍‌କୁ ଦେଖି ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି, ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ।

author-image
Santosh Kumar Sahoo
Protest still echoes in Bhubaneswar

Protest still echoes in Bhubaneswar

ଭୋଟ୍ ବେଳ ଯେତିକି ପାଖୋଉଛି, ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଭାଗର କର୍ମଚାରୀଙ୍କୁ ଖୁସ୍ କରିବାକୁ ନୂଆ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି। କାହାର ଦରମା ବୃଦ୍ଧି ହେଉଛି ତ କାହାର ପାହ୍ୟା। ତା ସତ୍ତ୍ୱେ ବି ରାଜଧାନୀ ରାଜରାସ୍ତାରେ ଥମିନି ଆନ୍ଦୋଳନ। ଏଇ ଯେମିତି ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ। ଶହ ଶହ ସଂଖ୍ୟାରେ ଅବସରପ୍ରାପ୍ତ ସୈନିକ ଆଜି ଲୋୟର ପିଏମଜିରେ ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରା କରିଥିଲେ, ସେମାନଙ୍କ ଦାବି- ଅବସର ପରେ ମିଳୁ ୫ ଏକର ଜମି ଓ ଯୋଗ୍ୟତା ଅନୁସାରେ ଚାକିରି ସହ ପ୍ରତି ଜିଲ୍ଲାରେ ନିର୍ମାଣ ହେଉ ସଂଘ କାର୍ଯ୍ୟାଳୟ।

Advertisment

ସେମିତି ବିଧାନସଭା ଆଗରେ ଟେଣ୍ଟ ତଳେ ଗର୍ଜୁଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ କଲେଜ୍ ଟିଚିଂ ଆଣ୍ଡ ନନ୍ ଟିଚିଂ ଏମ୍ପ୍ଲଇଜ୍ ଆସୋସିଏସନ। ୨୦୦୮ରୁ ୨୦୧୩ ମଧ୍ୟରେ କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ପ୍ରାୟ ୩ ହଜାର କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବାକୁ ଚାଲିଛି ଆନ୍ଦୋଳନ। ୧୬ ବର୍ଷ ଧରି ସେମାନଙ୍କ ଦାବି ସରକାର ଶୁଣୁ ନ ଥିବାରୁ ଆଗକୁ ଆନ୍ଦୋଳନ ଦୁର୍ବାର କରିବାକୁ ସଂଘ ଦେଇଛି ଧମକ।

ସେପଟେ ଗତକାଲି ପେନସନ୍ ପାଉନଥିବା ସମସ୍ତ କର୍ମଚାରୀଙ୍କୁ ଏକକାଳୀନ ଅଧ୍ୟାପକ ଓ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣ ଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କ୍ୟାବିନେଟର ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛି ଅଲ୍ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ - ଓଷ୍ଟା। ସଂଘ କହିଛି- ଏକକାଳୀନ ନୁହେଁ, ସମସ୍ତଙ୍କୁ ମାସିକ ପେନସନ୍ ଦିଆଯାଉ। ସେହିପରି ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଗତକାଲିର କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେମାନଙ୍କ ଏ ଆନ୍ଦୋଳନ ଆଗକୁ ଜାରି ରହିବ। ଦାବି ପୂରଣ ନ ହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ଦଳ ବିରୋଧରେ ସବୁଠି ପ୍ରାର୍ଥୀ ଦେବାକୁ ବି ଏ ସଂଘ ଧମକ ଦେଇଛି।

Advertisment

ଗୋଟିଏ ପଟେ ରାଜ୍ୟ ସରକାର ଅଧ୍ୟାପକ ଓ ଶିକ୍ଷକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା କଥା ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ କହୁଥିବାବେଳେ, ବିରୋଧୀଙ୍କ ଆକ୍ଷେପ ଭୋଟ୍ ପୂର୍ବରୁ ମାଳ ମାଳ କ୍ୟାବିନେଟ୍ ମୋହର ସତ୍ତ୍ୱେ ସରକାର ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରୁନାହାନ୍ତି।

Odisha Government General Elections 2024
Advertisment
Advertisment