• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବେଦାନ୍ତ ୟୁନିଭର୍ସିଟି ଏବେ ବି ତାଙ୍କର ସ୍ୱପ୍ନ ବୋଲି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି । ଏନେଇ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଉମାବଲ୍ଲଭ ରଥ କହିଛନ୍ତି, ବେଦାନ୍ତ ଏକ ଫ୍ରଡ୍ କମ୍ପାନୀ । ଅନୀଲ ଅଗ୍ରୱାଲଙ୍କ ସ୍ୱପ୍ନ ଏକ ଉଦଭ୍ରାନ୍ତ ଚିନ୍ତାଧାରା । କେବଳ ଜନମତ ସଂଗ୍ରହ କରିବାକୁ ବେଦାନ୍ତ ୟୁନିଭର୍ସିଟିକୁ ଏବେ ବି ତାଙ୍କର ସ୍ୱପ୍ନ ବୋଲି କହିଛନ୍ତି ଅନୀଲ ।

ଚାପରେ ତାଙ୍କ ପାଇଁ ୧୫ ହଜାର ଏକର ଜମି ଅଧିଗ୍ରହଣ କରାଯାଉଥିଲା । ୟୁନିଭର୍ସିଟିର ଦ୍ୱାହି ଦେଇ ଜମି ହଡ଼ପ କରିବାକୁ ଏହି ଉଦ୍ୟମ ହେଉଥିଲା । ଯଦି ସେ ଗରିବ, ଆଦିବାସୀ, ପଛୁଆ ବର୍ଗଙ୍କ ପାଇଁ ଏତେ ଚିନ୍ତା କରୁଥିଲେ, ତେବେ କାହିଁକି ଏମଓୟୁରେ ତାହା ଉଲ୍ଲେଖ ନଥିଲା ବୋଲି ଉମାବଲ୍ଲଭ ପ୍ରଶ୍ନ କରିଛନ୍ତି ।

ବିଶ୍ୱର ବଡ଼ ବଡ଼ ୟୁନିଭର୍ସିଟି ୪ ଶହ-୫ ଶହ ଏକର ଜମିରେ ହୋଇଛି । ବେଦାନ୍ତ ପାଇଁ କାହିଁକି ୧୫ ହଜାର ଏକର ଜମି ଦରକାର ଥିଲା ? ସେଠାରେ ବେଦାନ୍ତ ସିଟି କରାଯାଇଥାନ୍ତା । ଶିକ୍ଷାକୁ ନେଇ ଯେଉଁ ସ୍ୱପ୍ନ କଥା କହୁଛନ୍ତି ଅନୀଲ, ତାହା କେବଳ ଭୁଆଁ ବୁଲାଇବା ପାଇଁ ବୋଲି ଉମାବଲ୍ଲଭ ଅଭିଯୋଗ କରିଛନ୍ତି । ଖବର ଲେଖାଯିବା ସୁଦ୍ଧା ତାଙ୍କର ଏହି ଅଭିଯୋଗ ନେଇ ବେଦାନ୍ତ ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।  

ସୂଚନାଥାଉ କି, ବେଦାନ୍ତ ୟୁନିଭର୍ସିଟି ପ୍ରତିଷ୍ଠା ନେଇ ପୁରୀ ନିକଟରେ ଜମି ଅଧିଗ୍ରହଣ କରାଯାଉଥିଲା । ଏହା ବିରୋଧରେ କିଛି ସଂଗଠନ ସୁପ୍ରିମକୋର୍ଟ ଯାଇଥିଲେ । ଜମି ଅଧିଗ୍ରହଣକୁ ବେଆଇନ କହି ଖାରଜ କରି ଦେଇଥଲେ ସୁପ୍ରିମକୋର୍ଟ । ସେହି ଦିନଠାରୁ ବେଦାନ୍ତ ୟୁନିଭର୍ସିଟି ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା । କିନ୍ତୁ କିଛି ଦିନ ପୂର୍ବରୁ ଅନୀଲ ଅଗ୍ରୱାଲଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି ।