• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଲୋକଙ୍କ ମନରୁ ଯାଉନି ଭାଲୁ ଡର । ଏବେ ବି ଘରୁ ବାହାରିବାକୁ ସାହସ କରିପାରୁନାହାନ୍ତି ଲୋକେ । ଭାଲୁ ଆତଙ୍କରେ ଆତଙ୍କିତ ହୋଇ ରହିଛନ୍ତି ନୂଆପଡା ଜିଲ୍ଲାର ବିରୁନପଦର ଗାଁ ଲୋକ । ଜଙ୍ଗଲ ଭିତରେ ରହିଛି ସେହି ଗାଁ । ସ୍ଥିତି ଏମିତି ହେଲାଣି ଯେ ଦରକାର ଥିଲେ ବି ଏକା କେହି ଘରୁ ବାହାରୁନାହାନ୍ତି । ଆଉ ଏମିତି ସ୍ଥିତିରେ ଗାଁରେ ଥିବା ବୁଦା ଗୁଡ଼ିକ ସଫା କରିବା ଆରମ୍ଭ କରିଛି ବନବିଭାଗ , ରାସ୍ତାର ବିଭିନ୍ନ ସ୍ଥାନରେ ସତର୍କ ସୂଚନା ଫଳକ ବି ରହିଛି । କିନ୍ତୁ ଲୋକଙ୍କ ମନରୁ ଡର କମୁନି ।

ଗତ କିଛିଦିନ ହେବ ନୂଆପଡା ଜିଲ୍ଲା କୋମନା ରେଂଜର ବିରୁନପଦର ଗାଁରେ ଭାଲୁ ମଣିଷର ଲଢେଇ ହୋଇଥିଲା । ଭାଲୁ ଆକ୍ରମଣରେ ୨ ଜଣଙ୍କ ପ୍ରାଣ ଯିବା ସହିତ ୪ ଜଣ ଗୁରୁତର ଆହତ ହୋଇ ବଂଚିବା ଲାଗି ସଂଗ୍ରାମ କରୁଛନ୍ତି । ସ୍ଥିତି ଏମିତି ହୋଇଥିଲା ଯେ ଭାଲୁଠାରୁ ମଣିଷର ଜୀବନ ବଂଚାଇବାକୁ ଯାଇ ଭାଲୁକୁ ଠେଙ୍ଗାରେ ପିଟିଥିଲେ ଆଉ ଭାଲୁର ମୃତ୍ୟୁ ହୋଇଥିଲା । ଆଉ ମୃତ ଭାଲୁ ବନବିଭାଗ ଉଦ୍ଧାର କରିଥିଲା ।

ଭାଲୁ ମରିଯିବା ପରେ ଲୋକେ ଭାବିଥିଲେ ଆଉ ଭାଲୁ ନାହାନ୍ତି ବୋଲି ହେଲେ ପୁଣି ଗାଁ ପାଖରେ ଭାଲୁ ଦେଖିବା ପରେ ଲୋକମାନେ ଭୟଭୀତ ଅଛନ୍ତି । ଘରୁ ନବାହାରିବାକୁ ପରସ୍ପର ପରସ୍ପରକୁ କହୁଛନ୍ତି । ତେବେ ବନବିଭାଗ ଖବର ପାଇବା ପରେ ବିଜାଖମନ ଜଙ୍ଗଲର ୪ ପଟେ ଅନାବନା ଗଛ ସହ ବୁଦା କାଟିବା ଆରମ୍ଭ କରିଛି । ଏନଏଚ୍‌.୩୫୩ କଡରେ ତାର ଜାଲି ଲଗାଇବାକୁ ଯୋଜନା ବି କରାଯାଇଛି । ଏମିତିକି ଜଙ୍ଗଲ ତିନିପଟେ ସୋଲାର ଲାଇଟ୍‌ ଲଗାଇବାକୁ ଯୋଜନା ହେଉଥିବା ଜଣାପଡ଼ିଛି ।

ଏବେ ନୁହେଁ ଅନେକ ସମୟରେ ଆମେ ଦେଖିଛନ୍ତି ବନ୍ୟଜନ୍ତୁ ଓ ମଣିଷ ଭିତରେ ଲଢେଇ ହେଉଛି । କେତେବେଳେ ଜୀବଜନ୍ତୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର । ଆଉ ଏମିତି ସ୍ଥିତିରେ ବନବିଭାଗ କାହାକୁ କେତେ ସୁରକ୍ଷା ଦେଇପାରୁଛି ତାହା ସମୟ କହିବ ।

 

  • Reported by:
  • MAYADHAR SARAF