• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ଶତ ପ୍ରତିଶତ ଗାଁକୁ ବିଜୁଳି ସଂଯୋଗ ସାରିଥିବା ୨୦୧୮ ମସିହାରୁ ଡିଣ୍ଡିମ ପିଟୁଛନ୍ତି ଓଡ଼ିଶା ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା । କେଉଁଠି ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ ତ ପୁଣି କେଉଁଠି ଘରେ ମିଟର ବସାଇ ବିଦ୍ୟୁତ୍ ବିଭାଗ ଉଭାନ୍ । ଆଉ କେଉଁଠି ଉପଭୋକ୍ତାଙ୍କୁ ତ୍ରୁଟିଯୁକ୍ତ ବିଦ୍ୟୁତ୍ ବିଲ୍ ଦେବା ପରେ ୨ବର୍ଷ ହେଲାଣି ଲାଇନ୍ କାଟି ବେଧଡକ୍ ବସିଛି ବିଦ୍ୟୁତ ବିଭାଗ । ଚାକଚକ୍ୟର ସମାଜରେ ଅନ୍ଧାରୀ ଜୀବନ ବିତାଉଛନ୍ତି କୋଇଡ଼ା, ଉଦଳା ଓ ରାୟଗଡ଼ାରେ ନିରୀହ ମଣିଷମାନେ ।

ଡିବିରି ଆଲୁଅରେ ବିତୁଛି ଜୀବନ । ବିଜୁଳିବତୀ ସାତ ସପନ ହୋଇପଡ଼ିଛି । ଦେଶ ପାଳୁଛି ସ୍ୱାଧୀନତାର ସ୍ୱର୍ଣ୍ଣିମ ୭୫ବର୍ଷ, ଅଥଚ ଏଠି ସଞ୍ଜ ନଇଁଲେ ଖୋଜାପଡ଼େ ଡିବିରି, ଲଣ୍ଠନ । ଏଭଳି ଦୃଶ୍ୟ ହେଉଛି କୋଇଡ଼ା ବ୍ଲକ ପାଟମୁଣ୍ଡା କଦମଢ଼ି ଗାଁର । ଯେଉଁଠି ଡିବିରି ଆଲୁଅରେ ଗଢ଼ା ହେଉଛି ଭବିଷ୍ୟତ । କେନ୍ଦୁଝର-ସୁନ୍ଦରଗଡ଼ ସୀମାରେ ଥିବା ଗାଁ ଲୋକଙ୍କ ପାଇଁ ଟିଭି, ମୋବାଇଲ୍‌ର ମାନେ କିଛି ନାହିଁ । ୨ଶହରୁ ଅଧିକ ପରିବାର ବସବାସ କରୁଥିବା ସେହି ଗାଁ ଲୋକେ ବିଜୁଳି ସଂଯୋଗ ପାଇଁ ଗୁହାରି କରି କରି ଥକିଗଲେଣି । ତେଣୁ ଭୋଟ ବର୍ଜନକୁ ଶେଷ ଅସ୍ତ୍ର କରିବେ ବୋଲି ଚେତାବନୀ ଦେଲେଣି । ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି, ଗାଁକୁ ବିଜୁଳି ସଂଯୋଗ ପାଇଁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ।

ଅନ୍ଧାରୀ ମୂଲକରେ ନିରୀହ ମଣିଷମାନେ କେମିତି ଭୋଗୁଛନ୍ତି ବିଜୁଳି ଯନ୍ତ୍ରଣା, ତାହା ମୟୂରଭଞ୍ଜ ଜିଲ୍ଲା ଶାଳଚୁଆ ପଞ୍ଚାୟତ ସାଗରସାହିରେ ଦେଖିବାକୁ ମିଳିଛି ।ବିଦ୍ୟୁତ୍ ବିଭାଗ କିନ୍ତୁ ଏଠି ଖେଳିଛି ବିଚିତ୍ର ଖେଳ । ଗାଁ ଲୋକଙ୍କ ବାରମ୍ବାର ଧାରଣା ଓ ଆନ୍ଦୋଳନ ପରେ ଧର୍ମକୁ ଆଖିଠାର ମାରିଲା ଭଳି ଲୋକଙ୍କ ଘରେ ସୁଇଚ୍ ବୋର୍ଡ ଓ ମିଟର ବସାଇ ଦେଇଛି । କିନ୍ତୁ ଗାଁକୁ ଗୋଟିଏ ବି ବିଦ୍ୟୁତ୍ ଖୁଣ୍ଟ ପଡ଼ିନି । ଏଣେ ବିଜୁଳି ଆଲୁଅର ସ୍ୱପ୍ନ ଦେଖୁଥିବା ଆଦିବାସୀ ମଣିଷମାନଙ୍କୁ ମହଙ୍ଗା ବଜାରରୁ କିରୋସିନି ଲିଟର ଶହେ ଟଙ୍କାରେ କିଣି ଡିବିରି ଜାଳି ବଞ୍ଚିବାର କଷ୍ଟ କେତେ ବାଧୁଛି, ତାହା ନକହିବା ଭଲ । ଶୀଘ୍ର କରେଣ୍ଟ ନଆସିଲେ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

 

ରାୟଗଡ଼ା ଜିଲ୍ଲା ନାକିଟି ପଞ୍ଚାୟତର ଚିତ୍ର ତ ଆହୁରି ଚିନ୍ତାଜନକ । ଆଜିକୁ ୨ବର୍ଷ ହେଲାଣି ଅନ୍ଧାରରେ ଜୀବନ କାଟୁଛନ୍ତି ଟୁଡୁଲେଲେରୀ,ପାଙ୍ଗାଲେଲେରୀ, ପରମଝୋଲା ଓ କାଲୁଗାଁର ଶତାଧିକ ପରିବାର । ବିଦ୍ୟୁତ୍ ବିଲ୍ ସମସ୍ୟାରୁ ଲାଇନ୍ କାଟିଦେଲା ବିଦ୍ୟୁତ୍ ବିଭାଗ, ହେଲେ ଆଉ ସଂଯୋଗ କରୁନି । ଉପଭୋକ୍ତାଙ୍କ ଅଭିଯୋଗ ଯେ ପ୍ରତି ମାସ ବିଲ୍‌ ପରିବର୍ତ୍ତେ ହଠାତ୍ ଏକା ଥରକେ ଆସିଥିଲା ୩ ବର୍ଷର ବିଲ୍ । ଅଭାବୀ ମଣିଷମାନେ ହଠାତ୍ ଏତେ ଟଙ୍କା ଭରଣା କରିବାକୁ ଅସମର୍ଥ ହୋଇପଡ଼ିବାରୁ କଟିଯାଇଛି ଲାଇନ୍ । ଦିନରେ ଗରମ, ରାତିରେ ଅନ୍ଧାରର ରାଜୁତି ସମସ୍ୟା ନେଇ ବିଦ୍ୟୁତ୍ ବିଭାଗର ପ୍ରତିକ୍ରିୟା ମିଳିନି । ହେଲେ ବିଡିଓ କହିଛନ୍ତି ଆଲୋଚନା କରି ସମାଧାନ କରିବେ ।

ଓଡ଼ିଶାର ଶତ ପ୍ରତିଶତ ଗାଁକୁ ୨୦୧୮ ଏପ୍ରିଲ୍‌ରୁ ବିଜୁଳି ସଂଯୋଗ ସରିଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଅନ୍ଧାରୀ ଗାଁର ଏସବୁ ମାଳ ମାଳ ଚିତ୍ର, ସତେ ଯେମିତି ବଡ଼ ମିଛ ଉପରୁ ପରଦା ହଟାଇ ଦେଉଛି ।

(ରିପୋର୍ଟର- କୋଇଡ଼ାରୁ ସୁନୀଲ ପଣ୍ଡା, ଉଦଳାରୁ ମାନସ ପାଣି ଓ ରାୟଗଡାରୁ ମାଉ଼ଡି ବାରିକ)