• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସ ୭୦ ହେଲାଣି । ଶରୀର କ୍ଷୀଣ ହୋଇ ଆସିବା ସହ, ନା କାନକୁ ଭଲ ଶୁଭୁଛି ନା ଆଖିକୁ ଭଲ ଦିଶୁଛି । ଅଭାବ ଅନଟନରେ ରହୁଥିବା ବିଧବା ବୃଦ୍ଧା ସରକାରୀ ଭତ୍ତାକୁ ଚାହିଁ ବସିଛନ୍ତି । ହେଲେ ଭତ୍ତା ସରକାରୀ କାଗଜରେ ଉଠୁଥିଲେ ବି ବୃଦ୍ଧାଙ୍କୁ କିନ୍ତୁ ମିଳିପାରିନି । ଭତ୍ତା ଟଙ୍କା ପାଇବା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଦୀର୍ଘଦିନ ଧରି ମଞ୍ଜୁର ଭତ୍ତାକୁ କେହି ଜଣେ ଗାଏବ କରୁଛି, ହେଲେ ହିତାଧିକାରୀଙ୍କୁ ମିଳି ପାରୁନି ।

ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତ ବୀଣାଦଣ୍ଡା ଗ୍ରାମର ବିଧବା ବୃଦ୍ଧା ଲକ୍ଷ୍ମୀପ୍ରିୟା ନାୟକ । ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡେ କରେଇବା ପାଇଁ ଦୀର୍ଘ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଧାଉଁଛନ୍ତି । ହେଲେ ଭତ୍ତା ହୋଇ ପାରୁନାହିଁ । ଦୁଇ ପୁଅ ସହ ଅଭାବରେ ଚଳୁଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ପରିବାର । ସ୍ୱାମୀ ଆର ପାରିକୁ ଚାଲିଯିବା ପରେ ଏକାକୀ ହୋଇଯାଇଛନ୍ତି । କେବେ ହେବ ଭତ୍ତା ବୁଝିବାକୁ ଗଲେ, ହୋଇଯିବ ହୋଇଯିବ କହି ପ୍ରତିଥର ଫେରାଇ ଦିଅନ୍ତି ବୃଦ୍ଧାଙ୍କୁ ।  

ଦୀର୍ଘଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟରୁ ନିରାଶ ହେବାପରେ ବିଧବା ବୃଦ୍ଧାଙ୍କ ପୁଅ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟକୁ ଅଭିଯୋଗ ପାଇଁ ଯାଇଥିଲେ । ହେଲେ କାହିଁକି ଭତ୍ତା ହେଉନାହିଁ ଅଭିଯୋଗ କରିବାକୁ ଆସି, ଦୀର୍ଘ ୧୫ ମାସ ଧରି ଭତ୍ତା ମଞ୍ଜୁର ହୋଇ ଉଠା ଚାଲିଛି ବୋଲି ଜାଣିବାକୁ ପାଇଥିଲେ । ଗତବର୍ଷ ୨୦୨୧ ଫେବୃୟାରୀ ମାସରୁ ଲକ୍ଷ୍ମୀପ୍ରିୟାଙ୍କ ଭତ୍ତା ମଞ୍ଜୁର ହୋଇସାରିଛି । ହେଲେ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି ।

ଘଟଣା ସମ୍ପର୍କରେ ସରପଞ୍ଚ କହିଛନ୍ତି, ଯଦି ବୃଦ୍ଧାଙ୍କ ଭତ୍ତା ହୋଇପାରିନାହିଁ ମୁଁ ତୁରନ୍ତ କରାଇବାକୁ ଯତ୍ନବାନ ହେବି । ଏଥିସହ ଭତ୍ତା ହୋଇଥିଲେ ମଧ୍ୟ କାହିଁକି ଦିଆଯାଉନାହିଁ ସେ ସମ୍ପର୍କରେ ନିଶ୍ଚିତ ତଦନ୍ତ କରିବି ବୋଲି କହିଛନ୍ତି । ଅନ୍ୟପଟେ ବିଡ଼ିଓ କହିଛନ୍ତି, ବୃଦ୍ଧାଙ୍କ ଭତ୍ତା ଅନୁମୋଦନ ହୋଇଛି, ହେଲେ ସେ କାର୍ଡ ଏଯାଏଁ ନେଇ ନାହାନ୍ତି । ଯଦି ତାଙ୍କ ନାମରେ ଭତ୍ତା ଉଠାଯାଉଥିବ, ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବାସୁଦେବପୁରରୁ କିରୀଟି ଦାସ