• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଜଣେ ମ୍ୟାଡମ ସିଧା ସିଧା କହୁଛନ୍ତି, ତୁମେ ଦିଆନିଆ ଟିକେ କମ କରିଦେଲ ତେଣୁ କାମ ହେଲାନି। ସରକାରୀ ଅଫିସରେ ଯେଉଁ ଭଳି ପିସି ଦିଆଯାଉଛି ଆପଣଙ୍କୁ ବି ଦେବାକୁ ପଡିବ। ତୁମେ ଦେବାରେ କମ କଲ ତେଣୁ କାମ ହେଲାନି...ଥରେ ଚିନ୍ତା କରନ୍ତୁ ସରକାରୀ ଅଫିସ୍‌ରେ କେମିତି ଚାଲିଛି ଲାଂଚ କାରବାର, ଯାହାର ମୁଖା ଖୋଲି ଦେଇଛି ଏହି ମୋବାଇଲ ରେକର୍ଡ। 

ଏ ଫୋନକଲ ଏମିତି ସେମିତି ବ୍ୟକ୍ତିଙ୍କର ନୁହେଁ ବରଂ ରାଜ୍ୟ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରିଣୀଙ୍କର। ଏହି ଅଡିଓଟି ହେଉଛି ବୌଦ୍ଧ ଜିଲ୍ଲାର ସହକାରୀ ଜିଲ୍ଲା ସମାଜ ମଙ୍ଗଳ(ଏଡିଏସଡବ୍ଲୁ) ଅଧିକାରୀଙ୍କର। ଜିଲ୍ଲାରେ ଛତୁଆ ଯୋଗାଣ କରୁଥିବା ଏକ ସ୍ୱଂୟ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହିତ ଏହିଭଳି ବାର୍ତ୍ତାଳାପ କରିଛନ୍ତି ଜିଲ୍ଲା ସହକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତି ପତିଙ୍କର। ମ୍ୟାଡମ ମୀନତି ସିଧା ସିଧା କହୁଛନ୍ତି, ଯେଉଁ କାମ କରିଛ ତାହାର ବିଲ୍ ପାଇବାକୁ ହେଲେ ଲାଞ୍ଚ ଦେବାକୁ ପଡିବ। ଯଦି ଲାଂଚ ନଦେବ ତେବେ ବିଲ ହବନି ବୋଲି କୁହାଯାଉଥିବା ଅଡିଓରୁ ସ୍ପଷ୍ଟ ହୋଇଛି।

ବୌଦ୍ଧ ଜିଲ୍ଲାରେ ଚାଲିଥିବା ଦୁର୍ନୀତିର ଅଡିଓ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା। ହେଲେ ଲାଚଂ କଥାକୁ ନେଇ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ଏହାକୁ ଅସ୍ୱୀକାର କରିଛନ୍ତି ମୀନତି।

ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସ୍ୱଂୟ ସହାୟକ ଗୋଷ୍ଠୀକୁ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି ସରକାର। ତେଣୁ ୨୦୧୩ ମସହାରୁ ବୌଦ୍ଧ ଜିଲ୍ଲା ଅଇଁଲାପାଲି ଗାଁର ଇନ୍ଦିରା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪ ଗ୍ରାମ ପଂଚାୟତର ୧୪୨ କେନ୍ଦ୍ରକୁ ଛତୁଆ ଯୋଗଣ ଦାୟିତ୍ୱ ମିଳିଥିଲା। ଆଉ ଏହି ଗୋଷ୍ଠୀ ଭଲ କାମ ବି କଲେ। ହେଲେ ଛତୁଆ ତିଆରି ବାବଦରେ ଆଉ ଟଙ୍କା ପାଇଲେନି। ଏମିତିକି ଲାଂଚ ନଦେଲେ ବିଲ ଦେଉନଥିବା କର୍ମକର୍ତ୍ତାମାନେ ଅଭିଯୋଗ ବି କଲେ। ହେଲେ ଲାଂଚୁଆ ଅଫିସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ପ୍ରଶାସନ। ସ୍ଥିତି ଏମିତି ହେଲାଣି ଯେ ଆଗାମୀ ଦିନରେ ଆଉ ଛତୁଆ ଯୋଗାଣ କରାଯିବ ନି ବୋଲି ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ।

ଦୁର୍ନୀତି ରୋକିବାକୁ ରାଜ୍ୟରେ 5T କାମ କରୁଛି। ହେଲେ ଛତୁଆ ବିଲ୍ ପାଇଁ କେମିତି ସିଧାସିଧା ଲାଂଚ ମାଗୁଛନ୍ତି ସରକାରୀ ଅଫିସର ତାହାକୁ ନେଇ ଏବେ ପୂରା ଜିଲ୍ଲାରେ ଚର୍ଚ୍ଚା ହେଉଥିବା ବେଳେ ଲାଂଚୁଆ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ତେବେ ଏନେଇ ବୌଦ୍ଧ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

(ସୋନପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ)

OTV is now on Whatsapp

Join and get latest news update delivered to you via whatsapp

Join Now