Advertisment

ରାଜ୍ୟବ୍ୟାପୀ ଠପ୍ ପ୍ରାଣୀ ଚିକିତ୍ସା, ଯନ୍ତ୍ରଣାରେ ସନ୍ତୁଳି ହେଉଛନ୍ତି ଅସୁସ୍ଥ ଗୃହପାଳିତ ପଶୁପକ୍ଷୀ

ଗାଈଗୋରୁ ହେଉ କି କୁକୁର, ବିଲେଇ। ଘରେ ରଖି ଲାଳନ ପାଳନ କରୁଛନ୍ତି କି, ଆଗକୁ ସେମାନଙ୍କ ଅବସ୍ଥା ବେହାଲ୍ ହେବାର ଆଶଙ୍କା ଉପୁଜିଛି। କାରଣ ୨୮ ଦିନର ଆନ୍ଦୋଳନ ପରେ ଏବେ ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରାଣୀ ଡାକ୍ତର।

author-image
Santosh Kumar Sahoo
undefined

Veterinary Doctor Protest

ଦିନେ କି ଅଧେ ନୁହେଁ। ୨୮ ଦିନରେ ପହଞ୍ଚିଲାଣି ପ୍ରାଣୀ ଚିକିତ୍ସକଙ୍କ ସମୂହ ଆନ୍ଦୋଳନ। ଫଳରେ ରାଜ୍ୟବ୍ୟାପୀ ଠପ୍ ପ୍ରାଣୀ ଚିକିତ୍ସା ସେବା। ଗାଁଠୁ ସହର, ସବୁଠି ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି। ଯାହାର ସିଧାସଳଖ ପରିଣାମ ଭୋଗୁଛନ୍ତି ପ୍ରାଣୀ ପାଳକ। ନବରଙ୍ଗପୁର ଜିଲ୍ଲା ଝରିଗାଁ CDVOଙ୍କ ଅଫିସ ସାମ୍ନାର କିଏ ମଲା କୁକୁଡ଼ାକୁ ଆଣି ଏଇଠି ପକେଇଲେଣି ତ ଆଉ କିଏ ଅନ୍ୟ ଗୃହପାଳିତ ପଶୁପକ୍ଷୀଙ୍କୁ ଧରି ଘେରାଉ କଲେଣି। କିନ୍ତୁ ଏଠି କିଏ ଶୁଣିବାକୁ ନାହାନ୍ତି। ଆନ୍ଦୋଳନ ସ୍ୱରୂପ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିବାରୁ ନିରାଶ ହେବାକୁ ପଡ଼ିଛି ଏହି ପ୍ରାଣୀ ପାଳକଙ୍କୁ।

Advertisment

ଜୟପୁର ସହର ଶୌରାସାହିର ଆନନ୍ଦ ମହାପାତ୍ର। ଦୀର୍ଘ ବର୍ଷ ହେଲା ସଉକରେ ବିଭିନ୍ନ ପ୍ରଜାତିର ଦାମୀ କୁକୁର ପାଳିଛନ୍ତି। କିନ୍ତୁ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଜାରି ରହିଥିବାରୁ ତାଙ୍କ ଛାତି ଧଡ଼ଧଡ଼। କାରଣ ଯଦି କୌଣସି କୁକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଏ, ତା ହେଲେ କରିବେ କ’ଣ ? ଏଣେ ସେହି ସହରର ଗୌଡ଼ସାହିରେ ବି ଭାଳେଣି ପଡ଼ିଛି। କାରଣ ପ୍ରତ୍ୟେକଙ୍କ ଘରେ ଗାଈ ଅଛି। ପୂର୍ବରୁ ରୁଟିନ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସକ ଘରକୁ ଆସୁଥିଲେ। ଏବେ କିନ୍ତୁ ସମୂହ ଆନ୍ଦୋଳନ ପରଠୁ ଆଉ କେହି ଆସୁନଥିବାରୁ ଏଠି ଚିନ୍ତାରେ ପଡ଼ିଯାଇଛନ୍ତି ଗୋପାଳକ। କେବଳ ଜୟପୁର କି ନବରଙ୍ଗପୁର ନୁହେଁ। ରାଜ୍ୟବ୍ୟାପୀ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

ରାଜ୍ୟର ପ୍ରାଣୀପାଳକଙ୍କ ହିତରେ ବିଭାଗୀୟ ରୂପାନ୍ତରଣ ଯଥା ନିଶୁଳ୍କ ଚିକିତ୍ସା ଓ ବିଶେଷଜ୍ଞ ଚିକିତ୍ସା ସୁବିଧା, ୨୪ ଘଣ୍ଟିଆ ସେବା ସହ ପ୍ରାଣୀ ଚିକିତ୍ସକଙ୍କୁ କେନ୍ଦ୍ରୀୟ ହାରରେ ପଦୋନ୍ନତି ସୁବିଧା (ଡିଏସିପି), ନନ୍ ପ୍ରାକଟିସିଂ ଭତ୍ତା (ଏନପିଏ) ଓ କ୍ୟାଡର୍ ପୁନର୍ଗଠନ ଆଦି ଦାବିରେ ଗତ ୧୮ ତାରିଖରୁ ସମୂହ ଛୁଟିରେ ଅଛନ୍ତି ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ। ଗତ ୧୨ ତାରିଖରେ ଆନ୍ଦୋଳନରତ ପ୍ରାଣୀ ଚିକିତ୍ସକଙ୍କ ସହ ଆଲୋଚନା ବି କରିଥିଲେ ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର। କିନ୍ତୁ କୌଣସି ପ୍ରତିଶ୍ରୁତି ନଦେଇ ଆନ୍ଦୋଳନରୁ ଓହରିଯିବାକୁ କହିଥିବା ଅଭିଯୋଗ ଆଣିଛି ରାଜ୍ୟ ପ୍ରାଣୀ ଚିକିତ୍ସକ ସେବା ସଂଘ। ତେଣୁ ଆସନ୍ତା ୧୬ରୁ କଟକ ସ୍ଥିତ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ଆଗରେ ଗଣଧାରଣା ଓ ୨୦ରୁ ଆମରଣ ଅନଶନ ପାଇଁ ସଂଘ ଚେତାବନୀ ଦେଇଛି।

Advertisment

ଗୋଟିଏ ପଟେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ, ଅନ୍ୟପଟେ ନିରୀହ ପ୍ରାଣୀ କଲବଲ। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି, ତାକୁ ଅପେକ୍ଷା।

Protests Veterinary Veterinary Hospitals
Advertisment
Advertisment