• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର

  • ତୈଳ ଦର ବୃଦ୍ଧି ସହ ଏବେ ବଢିଛି ପରିବା ଦର

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ସପ୍ତାହରେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଥିଲା । ଆଜି ମାଲକାନଗିରିରେ ପେଟ୍ରୋଲ ଦର ୧୧୨ ଟଙ୍କା ୩୬ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ୍‌ ଦର ୧୦୮ ଟଙ୍କା ୫୬ ପଇସାକୁ ବଢ଼ିଛି । କାଲିମେଳାରେ ତୈଳ ଦର ୧୧୩ ଟଙ୍କା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ି ୧୦୭ ଟଙ୍କା ୨ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପିଛା ୧୦୩ ଟଙ୍କା ୧୫ ପଇସାରେ ରହିଛି । ସେହିପରି କଟକରେ ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୪ ପଇସା ଏବଂ ଡିଜେଲ ଦର ଲିଟର ପିଛା ୧୦୩ ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି । ରାଉରକେଲାରେ ପେଟ୍ରୋଲ ୧୦୭ ଟଙ୍କା ୮୮ ପଇସା ଥିବା ବେଳେ ବାଲେଶ୍ୱରରେ ୧୦୬ ଟଙ୍କା ୭୦ ପଇସାରେ ପହଞ୍ଚିଛି ।

ସେହିପରି ପନିପରିବା ଦରର ମଧ୍ୟ ବୃଦ୍ଧି ପାଇଛି । ଫଳରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ଯାହା ପ୍ରଭାବରେ କୌଣସି ପରିବା  ୫୦ ଟଙ୍କା ତଳେ ବିକ୍ରି ହେଉ ନାହିଁ । ବଜାରରେ ପୋଟଳ କିଲୋ ପ୍ରତି ୬୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ କଲରା ୭୦ ଟଙ୍କା, ଖମ୍ବଆଳୁ ୬୦ ଟଙ୍କା, ବାଇଗଣ ୪୦ଟଙ୍କା, ଟମାଟୋ ୫୦ ଟଙ୍କା ରହିଛି । ସେହିପରି ପିଆଜ କିଲୋ ପ୍ରତି ୫୦ ଟଙ୍କା, ଝୁଡ଼ଙ୍ଗ ୮୦ ଟଙ୍କା ଥିବା ବେଳେ ବିନ୍ସ ଦର ୧୦୦ ଟଙ୍କାରେ ବିକ୍ରି ହେଉଛି ।

ସୂଚନା ଅନୁସାରେ, ଆଗକୁ କାର୍ତ୍ତିକ ମାସ ଆସୁଛି । କାର୍ତ୍ତିକ ମାସରେ ଅଧିକାଂଶ ଲୋକେ ଆମିଷ ଖାଉନଥିବାରୁ ପରିବା ଦର ଏବେଠୁ ଆକାଶ ଛୁଆଁ ହୋଇଥିବା କୁହାଯାଉଛି । ପରିବା ଦର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଖାଉଟି ଏବେ ଚିନ୍ତାରେ ପଡ଼ିଲେଣି । ବିଭିନ୍ନ ନିତି ଦିନିଆ ସାମଗ୍ରୀ ତଥା ତେଲ, ସଉଦା ଠାରୁ ଆରମ୍ଭ କରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଛି । ଫଳରେ ଖାଉଟିମାନେ ହନ୍ତସନ୍ତ ହେବାରୁ ସେମାନଙ୍କୁ ଏବେ ପରିବା ଦର ବୃଦ୍ଧି ବେଶ ବାଧିଲାଣି । ଗତ କିଛି ଦିନ ହେବ ତୈଳ ଦରରେ ମାତ୍ରାଧିକ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ପାଇଁ ଯନ୍ତ୍ରଣା ପଲଟିଛି । ତେଲ ଦର ପରେ ଏବେ ଖାଉଟିଙ୍କୁ ଘାରିଲାଣି ପରିବା ଦର ଚିନ୍ତା । ଯାହା ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ପାଲଟିଛି ।