• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆକାଶଛୁଆଁ ପନିପରିବା ଦରର ଛାଟରେ ଘାଇଲା ଖାଉଟି । ନିଇତି ବଢ଼ି ଚାଲିଛି ଦର । କାଲି ଯେଉଁଠି ୮୦ରୁ ଶହେ ଟଙ୍କା ଭିତରେ ଟମାଟୋ ବିକ୍ରି ହେଉଥିଲେ, ସ୍ଥାନେ ସ୍ଥାନେ ଆଜି ତାହା ୧୨୦ ଛୁଇଁଛି । କେବଳ ଟମାଟୋ ନୁହେଁ, ଅନ୍ୟ ସବୁ ପନିପରିବା ଦର ବି ୮୦ ଉପରେ। ରାଜ୍ୟରେ କମ୍ ଉତ୍ପାଦନ ଓ ଆମଦାନୀ ଅଧିକା ହେଉଥିବାରୁ ବର୍ତ୍ତମାନ ଗ୍ରାହକଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍ ।

ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଯାହାକୁ ଛୁଇଁବ ୮୦ । ପୋଟଳ, କାଙ୍କଡ, କଲରା, ବାଇଗଣ, ଭେଣ୍ଡି, ଜହ୍ନି ସବୁ ପରିବାର ଉଚ୍ଚା ଦର । ଆଉ ଟମାଟୋ କଥା ନକହିବା ଭଲ । କାଲି ୮୦ରୁ ଶହେରେ ବିକ୍ରି ହେଉଥିଲା । ରାତି ପାହିଲା ବେଳକୁ ଦର ୧୨୦ରେ ପହଁଚିଯାଇଛି । ପନିପରିବା ଦରରେ ଯେମିତି ନିଆଁ ଲାଗିଛି ।

ବ୍ୟବସାୟୀ ବି ଆଉ କେଜିର ଦର ନକହି ଅଢେଇଶହକୁ ଏତେ ଟଙ୍କା ଅଢେଇଶହକୁ ସେତେ ଟଙ୍କା କହୁଛନ୍ତି। ଆଉ ଦର ଶୁଣି ମୁହଁ ଆମ୍ବିଳ ପଡିଯାଉଛି ଗ୍ରାହକର। କଣ ନେବେ, କେତେ ନେବେ ଦୁଇ ଥର ଭାବିବାକୁ ପଡୁଛି । ୫ଶହରୁ ୬ଶହ ଟଙ୍କାରେ ବି ବ୍ୟାଗ୍ ଅଧା ହେଉନି । ବ୍ୟବସାୟୀ ବି କରିବେ କଣ, ଅଧିକ ଟଙ୍କା ଦେଇ କିଣୁଛନ୍ତି ଆଉ ବିକ୍ରି ବି କରୁଛନ୍ତି ଚଢା ଦରରେ ।

ପନିପରିବା ମହଙ୍ଗା ମାଡ଼ରେ ଗ୍ରାହକ ହନ୍ତସନ୍ତ ହେଉଥିବା ବେଳେ ଚାଷୀ ମୁଣ୍ଡରେ ବି ଚଡକ ପଡିଛି । ବାଙ୍କୀରେ ଖାଁ ଖାଁ ପଡିଛି ପରିବା ବଜାର। ଦର ଉଚ୍ଚା ଥିବାରୁ ଅଧିକ ବିକ୍ରି ହେଉନି । ଚାଷୀ ଅଭିଯୋଗ କରିଛନ୍ତି, ବେପାରୀ ତାଙ୍କଠୁ କମ୍ ରେଟରେ କିଣି ଅଧିକ ଦାମରେ ବିକୁଛନ୍ତି । ଏହାରି ଭିତରେ ବର୍ତ୍ତମାନ ପରିବା ଦର ଖସିବା ଭଳି ଲାଗୁନାହିଁ । କାରଣ, ଏବେ ଆମ ରାଜ୍ୟରେ ଉତ୍ପାଦନ କମିଛି। ବାହାର ରାଜ୍ୟରୁ ଆମଦାନୀ ଅଧିକା ହେଉଛି । ପରିବା ବ୍ୟବସାୟ କରିବା ଭିତରେ ଏଭଳି ମହଙ୍ଗା ସ୍ଥିତି କେବେ ଦେଖିନଥିବା ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

ବଜାରରେ ପରିବା ଦର ଆକାଶଛୁଆଁ ଥିବା ବେଳେ ଚାଷୀର ମୁଣ୍ଡବ୍ୟଥା ବଢାଇଛି ମୌସୁମୀ ବର୍ଷା । ବାଲେଶ୍ୱର ଖଇରା ବ୍ଳକ୍ ସଇଁ ଗାଁରେ ଉଜୁଡିବାକୁ ବସିଛି ସବୁଜ ପନିପରିବା ଚାଷ । ଲଗାଣ ବର୍ଷାରୁ ବିଲରେ ପାଣି ଜମି ରହିଛି । ଫଳରେ ନଷ୍ଟ ହେବାକୁ ବସିଛି ଏକର ଏକର ଜମିରେ ଅମଳ ହୋଇଥିବା ବାଇଗଣ, ପୋଟଳ, ଜହ୍ନି ଓ ଲଙ୍କା ଫସଲ । ବର୍ଷକର ପରିଶ୍ରମରେ ପାଣି ପଶିଯିବାରୁ ଚିନ୍ତାରେ ଚାଷୀ । ଏବେ ଅପେକ୍ଷା ପନିପରିବାର ଏହି ମହଙ୍ଗା ମାଡରୁ ଗ୍ରାହକଙ୍କୁ କେବେ ମିଳୁଛି ଆଶ୍ୱସ୍ତି।