• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଲିଥିନ କବଳରେ ବିଶ୍ୱ । ସୁନା ଫଳାଉଥିବା ଉର୍ବର ମାଟି ପଲିଥିନ କାରଣରୁ ଜହର ରେ ପରିଣତ ହୋଇଗଲାଣି । ତେବେ ନୟାଗଡ଼ ର ଏକ ଯୁବ ସଂଗଠନ ପଣ କରିଛି ଜିଲ୍ଲାକୁ ପଲିଥିନ ମୁକ୍ତ କରିବ ବୋଲି । ଏହି ଉତ୍ସାହି ଯୁବକ ଙ୍କ ନିଆରା ପ୍ରୟାସ ପାଇଁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।

ଗାଁକୁ ଗାଁ, ପର୍ଯ୍ୟଟନ ସ୍ଥଳୀ ଠାରୁ ଆରମ୍ଭ କରି ଦେବାଳୟ ପର୍ଯ୍ୟନ୍ତ, ସବୁଠି ଚାଲିଛି ସଫେଇ କାର୍ଯ୍ୟ । ପଲିଥିନ ଗୋଟାଇ ତାକୁ ଏକ ବ୍ୟାଗ ରେ ରଖୁଛନ୍ତି ଯୁବ ଗୋଷ୍ଠୀମାନେ । ଇଏ କୌଣସି ପେଶାଦାର ଜରି ଗୋଟାଳି ନୁଁହନ୍ତି କି ଏଥିରୁ ଅର୍ଥ ଉପାର୍ଜନ କରିବାର ଉଦେଶ୍ୟ ନାହିଁ ଏମାନଙ୍କର । ଇଏ ହେଉଛନ୍ତି ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଯୁବକ ମାନେ । ଏମାନଙ୍କ ମିଳିତ ଉଦ୍ୟମ ରେ ଗଢି ଉଠିଛି ସ୍ୱେଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ ।

ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳ ଠାରୁ ଆରମ୍ଭ କରି ମନ୍ଦିର ଏବଂ ପ୍ରମୁଖ ସ୍ଥାନ ରେ ପଡ଼ିଥିବା ପଲିଥିନ ଗୋଟାଇ ସଫା କରିବା ସହ ଏହାର ପୁନଃ ବ୍ୟବହାର ପାଇଁ ଲୋକ ମାନଙ୍କୁ ସଚେତନ କରାଉଛନ୍ତି । କେବଳ ସେତିକି ନୁହେଁ ପଲିଥିନକୁ କମ ମାତ୍ରାରେ ବ୍ୟବହାର କରିବାକୁ ଗାଁ କୁ ଗାଁ ବୁଲି ପ୍ରଚାର ମଧ୍ୟ କରୁଛନ୍ତି ।

ତେବେ ଏହି ଯୁବ ଗୋଷ୍ଠୀଙ୍କର ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବକୁ ନେଇ ଅଭିଯୋଗ ରହିଛି । କାରଣ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବାବଦରେ ଯେଉଁ ସହାୟତା ର ଆବଶ୍ୟକତା ରହିଛି, ତାହା ଯୋଗାଇ ଦିଆଯାଉ ନଥିବା କଥା କହିଛନ୍ତି ଏହାର ସଦସ୍ୟ ମାନେ ।

ସେପଟେ ସହର ଅପେକ୍ଷା ଗାଁ ଗହଳିରେ ପଲିଥିନ ବ୍ୟାପକ ପ୍ରଦୂଷଣ କରୁଥିବାର ଦେଖାଯାଉଛି । ସଚେତନତା ଅଭାବ ସାଙ୍ଗକୁ ପଲିଥିନ ବ୍ୟବହାରକୁ ରୋକ ଲଗାଇବାରେ ବିଫଳ ହୋଇଛି ପ୍ରଶାସନ । କେବଳ ଘୋଷଣାରେ ସୀମିତ ସରକାରଙ୍କ ବ୍ୟାନ ନିଷ୍ପତି । କିନ୍ତୁ ଏହା କେତେ କାର୍ଯ୍ୟକାରୀ ହେଉଛି ଏହା ସମସ୍ତଙ୍କ ଆଗରେ ରହିଛି ।

ଗୁଟଖା ବ୍ୟାନ ଭଳି ପଲିଥିନ ମଧ୍ୟ ବ୍ୟାନ କରାଯାଇଥିଲା । କିନ୍ତୁ ବଜାରରେ ଯେତେ ପରିମାଣରେ ଖୋଜିବେ ସେତେ ପରିମାଣରେ ଏସବୁ ମିଳୁଛି । ଗୋଟିଏ ପଟେ ପଲିଥିନ ବ୍ୟାନ ଘୋଷଣା ଅନ୍ୟପଟେ ପଲିଥିନ ଫ୍ୟାକ୍ଟ୍ରି ଶିଳ୍ପ ଭାବେ ରିହାତି ସୁଧ ରେ ଋଣ ଯୋଗାଇଦେବା ସରକାରଙ୍କ ଦୋ ମୁଁହା ନିତି କୁ ସ୍ପଷ୍ଟ କରୁଛି । ତେଣୁ ଏନେଇ ଲୋକମାନଙ୍କୁ ଏବଂ ଆମ ସମସ୍ତଙ୍କୁ ଆମର ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା କରିବାର ସମୟ ଆସିଛି । ଏହି ପରିପ୍ରେକ୍ଷୀରେ ଗୋଟିଏ କଥା ବୁଝା ପଡେ ପ୍ରଚାର ବଦଳରେ ଆମେ ନିଜେ ନିଜକୁ ସଚେତନ ନ କରାଇଲେ ଆମର ଆଗାମୀ ଭବିଷ୍ୟତ ଆମକୁ କେବେ କ୍ଷମା ଦେବ ନାହିଁ ଏହା ନିଃସନ୍ଦେହ ।