• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ବିକ୍ରି ହୋଇନପାରି ପଡିରହିଛି

  • ଦୁର୍ଦ୍ଦଶାରେ ହଳଦୀ ଚାଷୀ  

କନ୍ଧମାଳ(ତ୍ରିନାଥ ସାହୁ) : କନ୍ଧମାଳ ହଳଦୀକୁ କରୋନା ଛାଟ । ଚାଷୀଙ୍କ ଘରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଶୁଖିଲା ହଳଦୀ । ପ୍ରଥମେ କରୋନା ମହାମାରୀ ଓ ତାପରେ ଗାଡି ଯାଆସ କଟକଣା ଯୋଗୁ ଚାଷୀଙ୍କ ଉତ୍ପାଦିତ ହଳଦୀ ବିକ୍ରି ହୋଇପାରୁନି । ଜିଲ୍ଲାର ୬୦ ହଜାର ପରିବାର ଏହି ହଳଦୀ ଚାଷ ଉପରେ ନିର୍ଭରଶୀଳ ଥିବାବେଳେ ଏବେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ନା ବ୍ୟବସାୟୀ ନା ସଂସ୍ଥା, କେହି ହଳଦୀ କିଣିବାକୁ ଆସୁନଥିବାରୁ ଆର୍ଥିକ ଦୁରବସ୍ଥା ବଢିବାରେ ଲାଗିଛି ।

କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀ । ବିକ୍ରି ଉପଯୋଗୀ କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ଘରେ ପଡିରହିଛି । କାଳେ ଖରାପ ହୋଇଯିବ, ସେଇ ଭୟରେ ସବୁଦିନ ଖରାରେ ଶୁଖାଇବା ସହ ହାତରେ ମନ୍ଥା ରଗଡା କରୁଛନ୍ତି ଚାଷୀ । ଜିଲ୍ଲାର ପ୍ରାୟ ୬୦ ହଜାର ପରିବାର ଏହି ହଳଦୀ ଚାଷ ସହ ଜଡିତ । ଉତ୍ପାଦିତ ହଳଦୀକୁ ବିକ୍ରି କରି ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ । ଆଉ କରୋନା ମହାମାରୀ ଆସିବା ପରଠୁ ବେପାର ବନ୍ଦ ହୋଇଯାଇଛି । ରୋଜଗାର ଦେଉଥିବା ବସ୍ତା ବସ୍ତା ହଳଦୀ ସେଇମିତି ଘରେ ଥୁଅଆ ହୋଇଛି । ହଳଦୀ କିଣିବାକୁ ନା କୌଣସି ସଂସ୍ଥା ନା କେହି ବ୍ୟବସାୟୀ ଆସୁଛନ୍ତି । ଯାହାଫଳରେ ଆର୍ଥିକ ଦୁର୍ଦ୍ଦଶା ବଢିଯାଇଛି ।

କନ୍ଧମାଳ ଜିଲ୍ଲାର ପ୍ରାୟ ୧୨ରୁ ୧୩ ହଜାର ହେକଟର ଜମିରେ ହଳଦୀ ଚାଷ ହୋଇଥାଏ॥ ଯେଉଁଥିରୁ ପ୍ରାୟ ୨୫ ହଜାର ମେଟ୍ରିକ ଟନ୍ ହଳଦୀ ଉତ୍ପାଦନ ହୋଇଥାଏ । ଯେଉଁଥିରୁ କସମ ନାମକ ସଂସ୍ଥା ୫ ହଜାର ମେଟ୍ରିକ୍ ଟନ୍ ହଳଦୀ କିଣୁଥିବାବେଳେ ବାକି ହଳଦୀକୁ ବାହାରର ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି ଚାଷୀ । ମାତ୍ର ଗଲା ୨ ବର୍ଷ ହେଲା କରୋନା ଯୋଗୁ ସବୁ ବନ୍ଦ । ଚାଷୀଙ୍କ ହଳଦୀ କ୍ରୟ କରୁଥିବା କସମ ସଂସ୍ଥାର ସଂପାଦକ କହିଛନ୍ତି, କରୋନା ଯୋଗୁ ହଳଦୀ କିଣାଯାଇପାରିନି । ଚାଷଙ୍କ ଗଚ୍ଛିତ ହଳଦୀ ଖୁବ୍ ଶୀଘ୍ର କିଣିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଜିଲ୍ଳା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।