• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୂରରୁ ପୂରା ଚକାଚକ୍‌ ଦେଖାଯାଉଛି ଘର । ଘର ଯିଏ ଦେଖିବ ସିଏ କହିବ ତାହା ନିଶ୍ଚୟ କେଉଁ ବାବୁଙ୍କ ଅଫିସ ହୋଇଥିବ ନହେଲେ ଧନୀ ଲୋକର ଘର ହୋଇଥିବ । ହଁ...ଠିକ୍‌ ଅନୁମାନ କରୁଛନ୍ତି ଆପଣ । ତାହା ସରକାରୀ ଅଫିସ୍‌ । ରାଜ୍ୟ ସରକାରଙ୍କ ରାଜସ୍ୱରୁ ଖର୍ଚ୍ଚ ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଛି ଘର । ହେଲେ ଭିତରର ଦୃଶ୍ୟ ଦେଖିବା ପରେ ଆପଣଙ୍କର ଉଡିଯିବ ହୋସ୍‌ । କାରଣ ସରକାରୀ ଅଫିସରେ ମଦ କେନ୍‌ ସହ ଅନ୍ୟ ଅବକାରୀ ଜିନିଷ ବି ପଡିଛି ।

ଖଡ଼ିଆଳ ଏନଏସି ଅନ୍ତର୍ଗତ ବିଜେପୁର ଗାଁ ଗାନ୍ଧୀନଗର ସାହିରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ କୋଠାର ଅବସ୍ଥା ପୂରା ବେହାଲ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆୟୁର୍ବେଦିକ ଡାକ୍ତରଖାନା ସହ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି । କିନ୍ତୁ ନିର୍ମାଣ ପରେ ଘର ବ୍ୟବହାର ନହେବାରୁ ବିଲ୍ଡିଂ ଗୁଡିକ ବର୍ତ୍ତମାନ ଅବସ୍ଥାରେ ଭୂତକୋଠୀରେ ପରିଣତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତେଜିଲାଣି ଅସନ୍ତୋଷ ।

୨୦୧୯ ମସିହାରେ ଗାନ୍ଧିନଗର ସାହିରେ ଏହି ସବୁ କୋଠାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ମେଗା ପ୍ରୋଜେକ୍ଟ କାର୍ଯ୍ୟଳୟର ଅଫିସ ସହ ସି-ଟାଇପ ଡି-ଟାଇପ ଓ ଇ-ଟାଇପ ମିଶି ମୋଟ ଏକ କୋଟି ୭୫ଲକ୍ଷ ଟଙ୍କା ବ୍ୟୟରେ ୫ଟି ବିଲଡିଂ ନିର୍ମାଣ ହୋଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ କି, ମେଗା ପ୍ରୋଜେକ୍ଟ ହୋଇଥିବାରୁ ମାତ୍ର ୧ ବର୍ଷ ମଧ୍ୟରେ ପୂରା କାମ ସରିଯାଇଥିଲା । ହେଲେ ନିର୍ମାଣର ୩ ବର୍ଷ ପରେ ବି ଘର ଗୁଡିକ ବ୍ୟବହାର ହେଲାନାହିଁ ।

କୁହାଯାଉଛି କି, ମେଗା ପ୍ରୋଜେକ୍ଟ କାର୍ଯ୍ୟାଳୟଟି ନୂଆପଡା ଜନସ୍ୱାସ୍ଥ୍ୟ ବିଭାଗରେ ବିଲିନହୋଇଯିବାରୁ ମେଗା ପ୍ରୋଜେକ୍ଟ ବିଲ୍ଡିଂ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଘର ତିଆରି ହୋଇଥିବାରୁ ଏଠାରେ ଖଡିଆଳ ବ୍ଲକ କାର୍ଯ୍ୟାଳୟ ଓ ପରବର୍ତ୍ତୀ ସମୟରେ ଏନଏସି କାର୍ଯ୍ୟାଳୟ ପରିଚାଳନା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ତାହା ବି କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ସ୍ଥାନୀୟ ଅଂଚଳରେ ଥିବା ଆୟୁର୍ବେଦିକ ମେଡିକାଲର ଅବସ୍ଥା ଖରାପ । ଘର ଅଭାବରୁ ଠିକ୍‌ରେ ଚିକିତ୍ସା ସେବା ପାଉନାହାନ୍ତି ରୋଗୀ । କିନ୍ତୁ ଏଠାରେ ଘର ଥାଇ ବି କାର୍ଯ୍ୟକାରୀ ହୋଇପାରୁନି । ତେଣୁ ଅସମାଜିକ ଲୋକଙ୍କର ସେହି ଘର ଏବେ ମୁଖ୍ୟ ଆଡ୍ଡାସ୍ଥଳ ପାଲଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏ ଘଟଣାକୁ ନେଇ ଅସନ୍ତୋଷ ତେଜିବା ପରେ ଖୋଦ୍ ବିଧାୟକ ମଧ୍ୟ ଘର ଗୁଡିକ ତୁରନ୍ତ ବ୍ୟବହାର କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ।  ସେପଟେ ଜିଲ୍ଲାପାଳ କହୁଛନ୍ତି, ଘର ନିର୍ମାଣ ହେବା ପରେ ବି କାହିଁକି ତାହା ବ୍ୟବହାର ହୋଇପାରୁନାହିଁ ତାହାର ତଦନ୍ତ କରାଯିବା ସହିତ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।

(ଖଡିଆଳରୁ କୁନାଲ ଚରଣ ବେହେରାଙ୍କ ରିପୋର୍ଟ)