• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଲକାନଗିରି, କୋରାପୁଟ ପରେ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଅଜଣା ରୋଗ ଆତଙ୍କ । ୧୦ ଦିନରେ ଗଲାଣି ୪ ଜୀବନ । ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।

ଗାଁର ଦୁର୍ଯ୍ୟୋଧନ ପାରାଭୋଇଙ୍କ ପରିବାରର ୪ ଜଣ ଏହି ଅଜଣା ରୋଗରେ ପ୍ରାଣ ହରାଇ ସାରିଲେଣି । ଗତ ୨୯ ତାରିଖରେ ସାନ ଭାଇ ସଦାରାମ ପାରାଭୋଇର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସ ୧ ତାରିଖରେ ମାଆ ଦେମତୀ ପାରାଭୋଇ ଓ ୪ ତାରିଖରେ ବାପା ଲକ୍ଷ୍ମୀଧର ପାରାଭୋଇଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଆଉ ଜଣେ ଭାଇ କୌବଲ୍ୟ ପାରାଭୋଇଙ୍କର ମୃତ୍ୟୁ ଘଟିଛି ।

ଏବେ ଦୁର୍ଯ୍ୟୋଧନଙ୍କୁ ମିଶାଇ ପରିବାରରେ ୩ ଜଣ ଜୀବିତ ଅଛନ୍ତି । କଣ ପାଇଁ ଚାଲିଯାଉଛି ଗୋଟିଏ ପରେ ଗୋଟିଏ ଜୀବନ, ସେନେଇ ଡାକ୍ତରୀ ଟିମ୍ ବି ସନ୍ଦେହରେ ରହିଛନ୍ତି । ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପୋଷ୍ଟମର୍ଟମ ହେଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଚନ୍ଦାହାଣ୍ଡି ମେଡିକାଲ ଅଫିସର କହିଛନ୍ତି ।

ଏପଟେ ମାଲକାନଗିରି ମାଥିଲିରେ ମଧ୍ୟ ଥମିନି ଅଜଣା ରୋଗର ଆତଙ୍କ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଅଜଣା ରୋଗ । ୧୧ ଦିନ ଭିତରେ ଏହି ପ୍ରାଣଘାତୀ ରୋଗରେ ୭ ଜଣଙ୍କର ମୃତ୍ୟୁ ହେଲାଣି । ବିଶେଷ କରି ହଳଦୀକୁଣ୍ଡରେ ଅଜଣା ରୋଗକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । କାହାକୁ ଜ୍ୱର ହେଉଛି ତ କାହାର ଗୋଡ଼ ଫୁଲିଯାଇଛି ।

ଘରେ ଘରେ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି ରୋଗୀ । ତିନି ଚାରି ଦିନ ପଡ଼ି ରହିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ଗତ ୧୫ ଦିନ ହେଲା ଏହି ରୋଗ ବ୍ୟାପିଥିବା ଲୋକେ କହିଛନ୍ତି ।

ସେପଟେ କୋରାପୁଟ ଜିଲ୍ଲା କାଣ୍ଡିକିଗୁଡ଼ା ଗାଁରେ ବି ସମାନ ସ୍ଥିତି । ଏଠି ବି ସପ୍ତାହେ ଭିତରେ ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଆତଙ୍କିତ । ସେମାନଙ୍କ କହିବା କଥା ରୋଗୀରେ ହଠାତ୍ ହାତ ଗୋଡ଼ ଓ ମୁହଁ ଫୁଲି ଯାଉଛି । ଦୁର୍ବଳ ହୋଇ ୧୫ରୁ ୨୦ ଦିନ ବିଛଣାରେ ପଡ଼ି ରହିବା ପରେ ମୃତ୍ୟୁ ଘଟୁଛି । ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ଚିକିତ୍ସା ଚଳାଇଥିବାବେଳେ ଆଉ ଏକ ସାତ ଜଣିଆ ଡାକ୍ତରୀ ଦଳକୁ କାମରେ ଲଗାଯାଇଛି । ଗତବର୍ଷ ବି ଠିକ୍ ଏହି ସମୟରେ ଅଜଣା ରୋଗରେ ଗାଁର ୬ ଜଣକର ମୃତ୍ୟୁ ହୋଇଥିଲା ।