Advertisment

ଅଭାଗିନୀର ଅମର ପ୍ରେମ: ‘ସ୍ୱାମୀଙ୍କୁ ନପାଇଲେ ଆତ୍ମହତ୍ୟା କରିବି’

କାରାଗାରରେ ସ୍ୱାମୀ ଆଉ କାଠଗଡ଼ାରେ ସ୍ତ୍ରୀ। ବାଜିରେ ଲାଗିଛି ଶଙ୍ଖା, ସିନ୍ଦୂର। ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ କେସ୍‌ ଲଢ଼ୁଛନ୍ତି ସ୍ତ୍ରୀ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Unique Love Story Wife Fights To Release Husband From Jail

Unique Love Story Wife Fights To Release Husband From Jail

ପ୍ରେମ ବୟସର ବୋଲ ମାନେନା। ସୀମା, ସରହଦ୍‌କୁ ଖାତିର କରେନା। ପ୍ରେମ ଚିରନ୍ତନ, ଶାଶ୍ୱତ ଓ ଅମର। ହେଲେ ସାମାନ୍ୟ ଭୁଲ୍‌ ଯୋଗୁ କେତେବେଳେ ଯେ କ’ଣ ହୋଇଯିବ ତାହା କେହି କହିପାରିବେନି। କାରାଗାରରେ ସ୍ୱାମୀ ଆଉ କାଠଗଡ଼ାରେ ସ୍ତ୍ରୀ। ବାଜିରେ ଲାଗିଛି ଶଙ୍ଖା, ସିନ୍ଦୂର। ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ କେସ୍‌ ଲଢ଼ୁଛନ୍ତି ସ୍ତ୍ରୀ। ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ବଲାଙ୍ଗିରରେ।

Advertisment

ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ୍‌ ଅନ୍ତର୍ଗତ ବିଳାସପୁର ଗାଁର ଅଭାଗିନୀ ଡାଙ୍ଗ ଓ ଜୟପାଲ ମହାକୁଡ଼ଙ୍କ ମଧ୍ୟରେ ପ୍ରଥମେ ଦେଖା ସାକ୍ଷାତ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅଭାଗିନୀଙ୍କୁ ୧୬ ବର୍ଷ ବୟସରେ ଭଲ ପାଇ ପ୍ରେମିକ ଜୟପାଲ ନିଜ ଘରକୁ ନେଇ ଆସିଥିଲେ। ହେଲେ ଏଭଳି ସମ୍ପର୍କକୁ ଜୟପାଲଙ୍କ ପରିବାର ବିରୋଧ କରିବାରୁ ୩ ଦିନ ପରେ ଅଭାଗିନୀ ନିଜ ଘରକୁ ଫେରି ଆସିଥିଲେ। 

ଅଭାଗିନୀଙ୍କ ପରିବାର ଲୋକ ଜୟପାଲଙ୍କ ନାଁରେ ନାବାଳିକା ଅପହରଣ ଅଭିଯୋଗ କରିଥିଲେ। ମାମଲାରେ ଗିରଫ ହୋଇ ଜୟପାଲ ୩ ବର୍ଷ ଜେଲ୍‌ରେ ରହିଥିଲେ ଓ ୨୦୧୯ରେ ଜାମିନରେ ବାହାରିଥିଲେ। ପରେ ଉଭୟ ମନ୍ଦିରରେ ବିବାହ କରି ଖୁସିରେ ସଂସାର କରୁଥିଲେ। ହେଲେ ସେମାନଙ୍କର ଏହି ଖୁସି ଉପରେ ଛାଇ ଯାଇଥିଲା ଦୁଃଖର କଳା ବାଦଲ।  ୩ ବର୍ଷ ପୂର୍ବେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ବଲାଙ୍ଗିର ପୋକ୍ସୋ କୋର୍ଟ ଜୟପାଲଙ୍କୁ ୨୦ ବର୍ଷର ସଜା ଶୁଣାଇଲେ। ସେହି ସମୟରେ ପରିବାର ଲୋକଙ୍କ ଚାପରେ ଅଭାଗିନୀ ଦେଇଥିବା ବୟାନ୍ ଯୋଗୁ ସ୍ୱାମୀ ଜୟପାଲଙ୍କୁ ଲମ୍ବା ସମୟର ସଜା ହୋଇଛି। 

Advertisment

ଏବେ ଅଭାଗିନୀଙ୍କୁ ନା ଶାଶୁଘର ଲୋକ ପଚାରୁଛନ୍ତି ନା ବାପଘର ଲୋକ ଗ୍ରହଣ କରୁଛନ୍ତି। ବଲାଙ୍ଗିର ସହରର ଏକ ହଷ୍ଟେଲରେ ରହି ଦୋକାନରେ କାମ କରି ଅଭାଗିନୀ ଚଳୁଛନ୍ତି। ନିଜ ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବଲାଙ୍ଗିର ଜେଲ୍‌ର ସାକ୍ଷାତ ଗୃହରେ ସ୍ୱାମୀଙ୍କୁ ପତ୍ନୀ ଅଭାଗିନୀ ସାକ୍ଷାତ କରିଥିବା ଦେଖିବାକୁ ମିଳିଥିଲା। ସ୍ୱାମୀ ଲୁହା ଝରକା ଭିତରେ ଥିବାବେଳେ ସ୍ତ୍ରୀ ବାହାରେ ଛିଡ଼ା ହୋଇ କିଛି ସମୟ ପାଇଁ ସୁଖଦୁଃଖ ହୋଇଥିଲେ। 

ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଅଭାଗିନୀ ଦିନରାତି ଏକ କରି ଦେଇଛନ୍ତି। ମାତ୍ର ୪ ହଜାର ଟଙ୍କା ଦରମାରେ ନିଜେ ଚଳିବା ସହ ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି। ସ୍ୱାମୀ କିଭଳି ଜେଲ୍‌ରୁ ଶୀଘ୍ର ମୁକୁଳିବେ ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଶା ରଖିଛନ୍ତି, ଦିନେ ସ୍ୱାମୀ ଜେଲ୍‌ରୁ ବାହାରିବେ ଆଉ ସେମାନଙ୍କର ସୁଖର ସଂସାର ପୁଣିଥରେ ହସି ଉଠିବ। ଯଦି ସ୍ୱାମୀଙ୍କୁ ନପାଆନ୍ତି, ତା’ହେଲେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବେ ବୋଲି ଅଭାଗିନୀ କହିଛନ୍ତି।   

Unique Love Story
Advertisment
Advertisment