Advertisment

କାମଧନ୍ଦା ନାହିଁ : ଘରେ କବାଟ ପଡିଛି, ବାପମାଆଙ୍କୁ ଛାଡି ବାହାରେ ଦାଦନ ଖଟୁଛନ୍ତି ପୁଅବୋହୂ

ଦାଦନ ସମସ୍ୟା ବର୍ତ୍ତମାନର ପ୍ରମୁଖ ସମସ୍ୟା। କାମଧନ୍ଦା ନ ପାଇ ଭିଟାମାଟି ଛାଡୁଛନ୍ତି ବାଧ୍ୟ ହେଉଛନ୍ତି। ଗାଁର ମମତା ସେମାନଙ୍କୁ ଟାଣୁଥିଲେ ମଧ୍ୟ ପେଟର ଦାଉ ପ୍ରବାସୀ ହେବାକୁ ବାଧ୍ୟ କରୁଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ଖଡିଆଳ(କୁନାଲ ଚରଣ ବେହେରା) : ଘରେ ସବୁ କବାଟ ପଡିଛି। କେଉଁଠି ଘରର ଚୂନ ଖସିଲାଣି ତ, ଆଉ କେଉଁଠି ମାଟିରେ ମିଶି ଗଲାଣି ଘର। ପୁଣି କେଉଁଠି ଘର ସାରା ମାଡି ଯାଇଛି ଗଛ ଲତା।  ନୂଆପଡା ଜିଲ୍ଲା ଖଡ଼ିଆଳ ବଙ୍କାପୁରର ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁର ଦଳିତ ପଡା ଏବେ ଏମିତି ଖାଁ ଖାଁ । କିଛି ବୃଦ୍ଧ ବୃଦ୍ଧାଙ୍କୁ ଛାଡି ଦେଲେ କେହି ଗାଁରେ ଦେଖା ଯାଉ ନାହାଁନ୍ତି। ଘରର ଯୁବକମାନେ କାମ ଧନ୍ଦା ପାଇଁ ବାହାରକୁ ଦାଦନ ଖଟି ଯାଇଛନ୍ତି। କିଏ ଆନ୍ଧ୍ରପ୍ରଦେଶରେ ଇଟା ଗଢୁଛି ତ ଆଉ କିଏ ରାୟପୁରରେ ରିକ୍ସା କିବା ଅଟୋ ଚଳାଉଛି । କିଏ ପର ଘରେ ବାସନ ମାଜୁଛି ତ କିଏ ବଗିଚାରେ ମାଳି କାମ କରୁଛି।

Advertisment

ଆଗରୁ ଏହି ପଡ଼ାରେ ଶତାଧିକ ପରିବାର ରହୁଥିଲେ। ଏବେ ଦୁଇ ତିନି ପରିବାର ଓ କିଛି ବୃଦ୍ଧ ବୃଦ୍ଧାଙ୍କୁ ଛାଡି ଦେଲେ ଆଉ କେହି ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ସବୁ ତିଆରି ହୋଇଛି, ଘରେ ସବୁ ତାଟି କବାଟ ପଡିଛି। ନୂଆଁଖାଇ କିମ୍ୱା ବିବାହ ବ୍ରତ ଘରରେ ଗାଁକୁ ଆସି ପୁଣି କାମକୁ ଫେରି ଯାଉଛନ୍ତି। ଏତେ ପରିବାର ବାହାରେ ରହିବାକୁ ନେଇ ଗାଁ ଲୋକେ ବ୍ୟଥିତ।

Advertisment

କେବଳ ବଙ୍କାପୁରର ଦଳିତ ପଡା ନୁହେଁ, ନୂଆପଡା ଜିଲ୍ଲାର ଅନେକ ଗାଁ ଅବସ୍ଥା ଏମିତି। ଜିଲ୍ଲାରେ କୌଣସି ଶିଳ୍ପ କି କଳ କାରଖାନା ନଥିବାରୁ ପ୍ରତି ବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ମନରେଗାରେ ବର୍ଷ ସାରା କାମ ମିଳୁନଥିବାରୁ ଏହି ଯୋଜନାରୁ ଲୋକେ ମୁହଁ ଫେରାଇ ନେଇଛନ୍ତି। ଫଳରେ ପେଟ ପାଟଣା ପାଇଁ ଭିଟାମାଟି ଛାଡିବାକୁ ବାଧ୍ୟ ହେୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଦାଦନ ସମସ୍ୟା ଉପରେ ରୋକ ଲଗାଇବାକୁ ବହୁବିଧ ଯୋଜନା ହାତକୁ ନେଇଛନ୍ତି। ହେଲେ ସବୁ କିଛି କାଗଜପତ୍ରରେ ରହି ଯାଇଛି।

Tragic Story
Advertisment
Advertisment