• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଥାନା ପରିସରରେ ପଡିଛି ଶହଶହ ବାଇଟ୍‌, କାର ଓ ବଡବଡ ଗାଡି । ମାସେ କି ଦୁଇ ମାସ ନୁହେଁ ବରଂ ବର୍ଷବର୍ଷ ଧରି ଗାଡ଼ି ଗୁଡ଼ିକ ପଡିରହିଥିବା କାରଣରୁ ପ୍ରବଳ ଧୂଳି ବି ଜମିଗଲାଣି । ଖରା, ବର୍ଷା, ଶୀତ କାକରରେ ପଡି ଗାଡିର ଅବସ୍ଥା ପୂରା ବେହାଲ ହେଲାଣି । ହେଲେ ଗାଡି ଥାନାରୁ ଯିବାର ନା ଧରୁନି । ଏମିତିକି ଗାଡି କାହାର? କେଉଁ ଅଭିଯୋଗରେ ଥାନାରେ ଗାଡ଼ି ରହିଛି? ସେ ଫାଇଲ ବି ସବୁ ହଜିଗଲାଣି...ମାମଲା ସବୁ ପୋଲିସ ଭୁଲିଗଲାଣି । ହେଲେ ଥାନା ପରିସରରୁ ଗାଡି ଯାଉନି । ଯେଉଁଥି ପାଇଁ ଥାନା ପରିସରରେ ଅଜଥାରେ ଜାଗା ନଷ୍ଟ ହେଉଛି ।

ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନା ଭିତରେ ପଡିରହିଛି ମେଞ୍ଚା ମେଞ୍ଚା ଗାଡ଼ି । ଜିଲ୍ଲାର ମୋଟ ୧୯ଟି ଥାନା, ୭ଟି ଫାଣ୍ଡି ସମେତ ୫ଟି ଅବକାରୀ ଥାନା ରହିଛି । ପ୍ରତିଦିନ ମାମଲା ହେବା ସହିତ କିଛିକିଛି ଗାଡି ଥାନାରେ ଆସି ରହୁଛି । ଏମିତିକି ରାସ୍ତାରୁ ବି ଅନେକ ଗାଡି ଜବତ ହେଉଛି । କିନ୍ତୁ ଗାଡି କେଉଁ ମାମଲାରେ ଥାନାକୁ ଆସିଛି ତାହା ଏଯାଏଁ ଜଣାପଡିନଥିବା ବେଳେ ଅଯଥାରେ ଥାନାରେ ଗ୍ୟାରେଜର ଭ୍ରମ ସୃଷ୍ଟି କରୁଛି । କଥା ଏତିକିରେ ସରିନି ବରଂ ଅନେକ ମାମଲା ସମାଧାନ ହୋଇସାରିଥିବା ପରେ ବି ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଥାନାରେ ଗାଡି ଗୁଡିକ ପଡିରହିଛି ।

ବର୍ଷବର୍ଷ ଧରି ଗାଡି ପଡିରହିଛି । ହେଲେ ମାଲିକାନା ନଥିବାରୁ ଗାଡିକୁ କେହି ନେଉନାହାନ୍ତି । ଦିନ ବଢିବା ସାଙ୍ଗକୁ ଗାଡିର ଅବସ୍ଥା ଖରାପ ହେବାରେ ଲାଗିଲାଣି । ଖାଲି ଖରାପ ହେଲାଣି ତାହା ନୁହେଁ ବରଂ ଗଛପତ୍ର ସବୁ ଏମିତି ମାଡି ଗଲାଣି ଯେ ଗାଡି ନୁହେଁ ବରଂ ବଣର ଭ୍ରମ ସୃଷ୍ଟି ହେଲାଣି । ଏହାସହି ଅଧିକାଂଶ ଗାଡିର ପାର୍ଟ୍ସ କୁଆଡେ ଗଲାଣି ତାହାର ଉତ୍ତର ବି କାହା ପାଖରେ ନାହିଁ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଥାନାରେ ଅନେକ ଗାଡି ପଡିରହିଥିବା କାରଣରୁ ଏବେ ଗାଡିର ନିଲାମ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ୍‌ । ପ୍ରଥମେ ମାଲିକଙ୍କୁ ସୁଯୋଗ ଦିଆଯିବ ନିଜ ଗାଡିକୁ ଆଇନ ଅନୁସାରେ ଥାନାରୁ ନେବା ପାଇଁ । ହେଲେ ଯଦି ସେମାନେ ଗାଡି ନେବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ତେବେ ପରବର୍ତ୍ତୀ ସମୟରେ ଗାଡିର ନିଲାମ କରାଯିବ ବୋଲି କୁହାଯାଇଛି । ତେବେ ବର୍ଷବର୍ଷ ଧରି ଗାଡି ପଡିରହିଥିବାରୁ ଏବେ ନିଲାମ କରାଯିବାରୁ ନିଷ୍ପତ୍ତି ନେଇଛି ଭଦ୍ରକ ପୋଲିସ ।

  • Reported by:
  • Partha Sarathi nayak