• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଦେଖାଗଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଡିଣ୍ଡିମ ପିଟିଲେ ବି ବାସ୍ତବ ଚିତ୍ର ସବୁ ପୋଲ ଖୋଲିଦେଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କଥା କହି ବିଜ୍ଞାପନରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ ଚତ୍ର କିନ୍ତୁ ଭିନ୍ନ ରହିଛି । ସରକାରଙ୍କ ସବୁ କଥା କେବଳ ଧୁଆଁ ବାଣ ପାଲଟି ଯାଉଛି ।

ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍‌ ନାହାନ୍ତି । ଏମିତିକି ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ଥିବା ବେଳେ ସେ ଅଧିକାଂଶ ସମୟ ଛୁଟିରେ ରହୁଥିବା ଦେଖାଯାଇଛି । ଫଳରେ ଅନେକ ସ୍ଥାନରେ ସବୁ ଥାଇ ବି ସ୍ୱାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ହେଉଛି ।

ତେବେ ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳରେ । ଗଛମୂଳେ ପ୍ରସବ କରିଛନ୍ତି ଜଣେ ମହିଳା । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ବିରାଶାଳ ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବିରାଶାଳ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏକ ଗଛ ମୂଳେ ମହିଳା ପ୍ରସବ କରିଛନ୍ତି । ତେବେ ଶିଶୁ ପୁତ୍ରଟି ଏବେ ସୁସ୍ଥ ଥିବା ଜଣାପ଼ଡିଛି ।

ସୂଚନା ଅନୁଯାୟୀ ବିରାଶାଳ ରହଣି ଗାଁର ସନ୍ତୋଷ ନାୟକଙ୍କ ସ୍ତ୍ରୀ ଦେବକୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ମାତ୍ର ଡାକ୍ତରଖାନାରେ ସେତେବେଳେ ତାଲା ଝୁଲୁଥିଲା । ଏହାସହ କୌଣସି ଡାକ୍ତର କିମ୍ବା ଷ୍ଟାଫ୍‌ଙ୍କର ଦେଖାନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶେଷରେ ମହିଳା ଜଣକ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ମୂଳେ ପ୍ରସବ କରିଥିଲେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ, ସେ କହିଛନ୍ତି ଯେଉଁମାନେ ଡ୍ୟୁଟିରେ ଅବହେଳା କରିଛନ୍ତି ତଦନ୍ତ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।