• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ, ଉଭୟ ବସ୍ ଓ ଟ୍ରକ୍ ଓଲଟି ପଡ଼ିଥିଲା । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମିତି ସୋନପୁରରେ ଏକ ବରଯାତ୍ରୀ ଗା଼ଡ଼ି ମହାନଦୀ ପୋଲ ଉପରେ ଟ୍ରକ୍ ସହ ପିଟି ହେବାରୁ ୫ ଜୀବନ ଚାଲିଯାଇଛି । ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗୋଟିଏ ଶ୍ମଶାନ ଘାଟରେ ଏହି ଦୁର୍ଘଟଣାର ମୃତକ ମାନଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ଦିନ ପ୍ରାୟ ୧ଟା ୨୦ ରେ ବାଲେଶ୍ୱର ଜିଲ୍ଲା ସୋର ବିଦୁ ଛକରେ ଯାତ୍ରୀ ଓହ୍ଲାଉଥିବା ଶାନ୍ତିଲତା ନାମରେ ଏକ ବସ୍‌କୁ ପଛପଟୁ ଧକ୍କା ଦେଇଥିଲା ଏକ କୋଇଲା ବୋଝେଇ ଟ୍ରକ୍ । ସେ ସମୟର ପ୍ରତୀକାତ୍ମକ ଚିତ୍ର ସୂଚନା ଅନୁସାରେ ସକାଳ ପ୍ରାୟ ସାଢ଼େ ୧୧ଟାବେଳେ ମୟୂରଭଞ୍ଜ ମାଣତ୍ରୀରୁ ଭୁବନେଶ୍ୱର ଅଭିମୁଖେ ଶାନ୍ତିଲତା ବସ୍ ଆସୁଥିଲା । ବିଦୁ ଛକରେ ଯାତ୍ରୀ ଓହ୍ଲାଉ ଥିବାବେଳେ ପଛରୁ ଅତି କ୍ଷିପ୍ର ଗତିରେ ଆସୁଥିବା କୋଇଲା ବୋଝେଇ ଟ୍ରକ୍ ଶକ୍ତ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଆଉ ପଛରୁ ଧକ୍କା ଖାଇ ବସ୍‌ଟି ମଧ୍ୟ ଓଲଟି ପଡିଥିଲା ।

ରାସ୍ତା କଡ଼ ଖାଲକୁ ବସରେ ଥିବା ଯାତ୍ରୀମାନେ ଚାପି ହୋଇ ଡାକ ପକାଉଥିବାର ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଛୁଟିଯାଇ ଯେମିତି ସେମିତି ଉଦ୍ଧାର କାମରେ ଲାଗିଯାଇଥିଲେ । ପରେ ହାଇଡ୍ରା ସାହାଯ୍ୟରେ ବସଟିକୁ ଛିଡ଼ା କରାଯିବା ପରେ ତା ଭିତରୁ ଆହତ ଓ ଅନ୍ୟ ଗୁରୁତର ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩ରୁ ଅଧିକ ଆହତ ହୋଇଛନ୍ତି । ୮ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି ।

ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଥିବାବେଳେ ଗୋଟିଏ ପରିବାରର ମା-ଝିଅ ଓ ବାପା ରହିଥିବା ସୂଚନା ମିଳିଛି । ସେପଟେ ସୋର ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେମିତି ଗତକାଲି ବିଳମ୍ବିତ ରାତିରେ ସୋନପୁର ମହାନଦୀ ପୋଲ୍ ଉପରେ ମଧ୍ୟ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ବୋଲେରୋ ସହ ସାମ୍ନା ପଟୁ ଟ୍ରକ୍ର ଧକ୍କା ଦେବାରୁ ଘଟଣାସ୍ଥଳରେ ୫ଜଣଙ୍କ ଜୀବନ ଚାଲିଯାଇଛି । ଏମାନଙ୍କ ମଧ୍ୟରେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁର ଏକ ପରିବାରର ୩ଜଣ ସଦସ୍ୟ ଅଛନ୍ତି । ଅନ୍ୟ ଦୁଇଜଣ ମୃତକ ବି ସେହି ଗାଁର ଥିବାର ସୂଚନା ମିଳିଛି । ଏହି ଘଟଣା ପରେ ସାରା ଗାଁରେ ଶୋକାକୁଳ ପରିବଶ ସୃଷ୍ଟି ହୋଇଥିଲା । ମହାନଦୀ ଶ୍ମଶାନ ଘାଟରେ ଏକାଠି ୫ଜଣ ମୃତକଙ୍କ ଜୁଇ ଜଳିଥିବାର ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ଆଉ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସାମାନଙ୍କୁ ବୁର୍ଲା ମେଡିକାଲ ସ୍ତାନାନ୍ତର କରାଯାଇଛି । ଘଟଣା ସାରା ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି ।

ଇଏ ରାଜଧାନୀ ଭୁବନେଶ୍ୱରରେ ଏକ ଦୁର୍ଘଟଣାଗ୍ରସ୍ତ କାରର ଅବସ୍ଥା । ଗତକାଲି ମଧ୍ୟରାତ୍ରିରେ ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ଉପରୁ ହଠାତ୍ ବ୍ରିଜ୍ର ବାଡ଼ ଭାଙ୍ଗି ତଳକୁ ଖସି ପଡ଼ିଥିଲା ଏକ କାର । ଆଶ୍ୱସ୍ତିର କଥା ହେଲା, ଚାଳକଙ୍କର ବିଶେଷ କିଛି କ୍ଷତି ଘଟିନାହିଁ । ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ମେଡିକାଲ ପଠାଯାଇଛି ।