• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ ସାମିଲ

  • ସମରାଭ୍ୟାସରେ ୧୮ ଟି ସଂସ୍ଥା ସାମିଲ ହୋଇଛନ୍ତି

  • ୨୬/୧୧ ମୁମ୍ବାଇ ଆକ୍ରମଣ ପରଠାରୁ ହେଉଛି ଏହି ସମରାଭ୍ୟାସ

ପାରାଦ୍ୱୀପ: ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ । ଏଥିରେ ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ, ଗୁଇନ୍ଦା ପୋଲିସ, ଓଡ୍ରାଫ, ସିଆଇଏସଏଫ୍, କଷ୍ଟମ୍ସ, ଫରେଷ୍ଟ, ଫିସେରି ଇତ୍ୟାଦି ୧୮ ଟି ସଂସ୍ଥା ସାମିଲ ହୋଇଛନ୍ତି । ରେଡ୍ ଟିମ୍ ଏବଂ ବ୍ଲୁ ଟିମ୍ ଭାବରେ ଦୁଇ ଭାଗ ହୋଇ ଆତଙ୍କବାଦୀ ସର୍ଚ୍ଚ ଅପରେସନର ମକଡ୍ରିଲ କରାଯାଉଛି ।

ସୂଚନାଅନୁସାରେ,ଆତଙ୍କୀ ଛଦ୍ମବେଶରେ ରେଡ୍ ଟିମ୍ ଜଳପଥରୁ ସ୍ଥଳପଥକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ବ୍ଲୁ ଟିମ୍ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରଖିଛି । ଫିସିଙ୍ଗ ହାର୍ବର, ରାଡାର ଷ୍ଟେସନ, ବସଷ୍ଟାଣ୍ଡ, ଡେଲିମାର୍କେଟ୍, ସହର, ବସ୍ତି, ଶିଳ୍ପସଂସ୍ଥା ଫାଟକ, ପାରାଦୀପ ପୋର୍ଟ ଫାଟକ, ଜନଗହଳିପୂର୍ଣ୍ଣ ସ୍ଥାନ ଆଦିକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ଅଧିକ ଥିବାରୁ ବ୍ଲୁ ଟିମ୍ ସେସବୁ ଜାଗାରେ ତୀକ୍ଷ୍ଣ ନଜର ରଖିଛି ।

ମତ୍ସ୍ୟଜୀବୀ ବେଶରେ ସ୍ଥଳଭାଗକୁ ଅନୁପ୍ରବେଶ ସମ୍ଭାବନା ଦୃଷ୍ଟିରୁ ମାଛଧରା ଟ୍ରଲରଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଉପକୂଳ ସୁରକ୍ଷା ଏବଂ ସାମୁଦ୍ରିକ ସୀମା ଦେଇ ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ପ୍ରତି ୬ ମାସରେ ଥରେ ଏପରି ସମରାଭ୍ୟାସ କରାଯାଉଛି । ଗତ ୨୬/୧୧ ମୁମ୍ବାଇ ଆକ୍ରମଣ ପରଠାରୁ ହିଁ ସାରା ଦେଶର ଉପକୂଳିଆ ଅଞ୍ଚଳରେ ସି-ଭିଜିଲ, ହମଲା ନଚେତ ସାଗର କବଚ ଭଳି ନାଁରେ ଏପରି ମକଡ୍ରିଲ କାର୍ଯ୍ୟକ୍ରମ କରାଯାଉଛି ।