• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ ଆସିଲା ଟ୍ୱିଷ୍ଟ । ଅନୁଭବଙ୍କ ପିଟିସନକୁ ଗ୍ରହଣ କଲେ SDJM କୋର୍ଟ । ଆଉ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ । ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦେଶ ରହିଛି । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବେ ବର୍ଷା । ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ସେ ଏହି ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।

କିଛି ଦିନ ପୂର୍ବରୁ ଅର୍ଥାତ୍ ମେ’ ୭ ତାରିଖରେ ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କୁ ହାଇକୋର୍ଟ ତାଗିଦ କରିଥିଲେ । କେହି କାହା ବିରୋଧରେ କୌଣସି ମନ୍ତବ୍ୟ ଦେଇପାରିବେନି ବୋଲି କୋର୍ଟ କହିଥିଲେ । ମିଡିଆ ଓ ସୋସିଆଲ ମିଡିଆରେ ଆପତ୍ତିଜନକ ଆକ୍ଷେପ କରିବାକୁ ବି ମନା କରିଥିଲେ । ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ନିଜ ଆବେଦନରେ ବର୍ଷା ଦର୍ଶାଇଥିଲେ ଯେ, ଅନୁଭବଙ୍କ ଏଭଳି ଭିଡିଓ ପୋଷ୍ଟ ଯୋଗୁଁ ତାଙ୍କ ମର୍ଯ୍ୟାଦା ହାନୀ ହେଉଛି । ଯାହାକି ସମ୍ବିଧାନର ଅନୁଚ୍ଛେଦ-୨୧କୁ ଉଲ୍ଲଂଘନ କରୁଛି । ତେଣୁ ଏହା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଅନ୍ତୁ ହାଇକୋର୍ଟ ବୋଲି ବର୍ଷା ଆବେଦନ କରିଥିଲେ । ବର୍ଷା ନିଜ ଆବେଦନରେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଥିଲେ । ବର୍ଷାଙ୍କ ଏହି ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରି ଉଭୟ ପକ୍ଷଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ କହିଥିଲେ କୋର୍ଟ । ସୋସିଆଲ ମିଡିଆରେ ଭିଡିଓ କରି ପତ୍ନୀ ବର୍ଷାଙ୍କ ବିରୋଧରେ ତିନି ତିନି ଥର ବର୍ଷିଥିବା ଅନୁଭବଙ୍କୁ ଏଭଳି ଆଉ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।