ବିଶ୍ୱାସ ହେଉନି କି ମନ ମାନୁନି । ପୁଅ ପାଇଁ ଅନ୍ତର କାନ୍ଦୁଛି । ଯେଉଁ ହାତରେ ତାକୁ କୋଳେଇ କାଖେଇ ବଡ଼ କରିଥିଲେ, ଆଜି ସେଇ ହାତରେ ତା’ର ଶବସତ୍କାର କରି ଆସିଛନ୍ତି । ପୁଅକୁ ହରାଇବାର ଦୁଃଖ ସହିପାରୁନାହାନ୍ତି, ହେଲେ ଆଉ ଜଣେ ବାପାକୁ କଷ୍ଟ ଦେବାକୁ ଚାହୁଁନାହାନ୍ତି । ପୁଅ ତ . ଚାଲିଗଲା ଆଉ କାହା ଜୀବନ ନଷ୍ଟ ନହେଉ । ସୁଇସାଇଡ୍ ନୋଟରେ ସୋନିଲିର ନାଁ , ତଥାପି ତା’ ଉପରେ ରାଗ ରଖିନାହାନ୍ତି ସୌମ୍ୟଙ୍କ ବାପା । ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି ।
ପୁଅ ପ୍ରେମର କଠିନ ପରୀକ୍ଷା ଦେଇପାରିଲାନି, ଆଜି ବାପାକୁ କଷ୍ଟ ଭୋଗିବାକୁ ପଡ଼ୁଛି । ପ୍ରେମ ପାଇଁ ପୁଅ ଜୀବନ ଦେଇଦେଲା ସିନା, ବାପାମା’ କୁଆଡ଼େ ଯିବେ ? କାହାକୁ ଦୋଷ ଦେବେ ? ଦୋଷ ଦେଲେ ପୁଅ କି ଆଜି ପାଖକୁ ଫେରଆସିବ । ବାପାମା’ଙ୍କୁ ଛାଡ଼ି ଆଜି ଅଜଣା ରାଇଜକୁ ଚାଲିଯାଇଛି ପୁଅ । ପୁଅକୁ ହରାଇ ବି ମନକୁ ଦୃଢ଼ କରିଛନ୍ତି ସୌମ୍ୟଙ୍କ ବାପା । ପୁଅର ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ କହୁଥିଲେ ବି ତାକୁ କ୍ଷମା କରି ଦିଆଦେବାକୁ ପ୍ରସ୍ତୁତ। ତେବେ ସେ ଆଉ କାହା ଜୀବନକୁ ଆସି ଏପରି ନଖେଳୁ ବୋଲି କହିଛନ୍ତି ।
ଅନ୍ୟପଟେ ସୌମ୍ୟଙ୍କ ଭଉଣୀ ସୋନାଲିକୁ କ୍ଷମା କରିପାରୁ ନାହାନ୍ତି । ଭାଇ ଆତ୍ମହତ୍ୟା କରିଥିବା କଥା ଗ୍ରହଣ କରିପାରୁନାହାନ୍ତି । ତା’ପରି ଏତେ ସରଳ, ଶାନ୍ତ ପିଲା ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଛି ମାନେ, ତା’ ହୃଦୟକୁ ବାଧିଛି । ମୋ ଭାଇନା ତା’ ପାଇଁ ହିଁ ଆମକୁ ଛାଡ଼ିଚାଲିଯାଇଛି । ତା’କୁ ଉଚିତ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି ।
ସେପଟେ ସମସ୍ତ ଦିଗକୁ ଧରି ଖୋଳତାଡ଼ କରୁଛି ଇନଫୋସିଟି ପୋଲିସ। ହ୍ୱାଟସଆପ୍ ଚାଟ ସହ ମୋବାଇଲ୍ କଲ୍ ଡିଟେଲ୍ସ ସଂଗ୍ରହ ସହ କିଛି ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କରିଛି। ତାସହ ସଂପୃକ୍ତ ଯୁବତୀଙ୍କୁ ବି ପୋଲିସ ପଚରାଉଚରା କରିବ ବୋଲି କହିଛି।