• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡ଼ା(ମନୋଜ କୁମାର ପାତ୍ର) : ଦିନକୁ ଦିନ ବ୍ୟାପକ ଭାବେ ଗଛ କଟାଯିବା ଯୋଗୁଁ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ହେଉଛି । ଯଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ମଣିଷ ସମାଜକୁ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡୁଛି । ଏଥିପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଥିବା ବେଳେ ଗଛ ଲଗାଇବା ତଥା ପରିବେଶ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଛନ୍ତି ରାୟଗଡା ସହରର ଗୋପୀନାଥ ଚୌଧୁରୀ । ଟ୍ରି-ମ୍ୟାନ୍‌ ନାମରେ ସହରରେ ପରିଚିତ ଗୋପୀନାଥ ଏଯାଏଁ ୧୦ ହଜାରରୁ ଅଧିକ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ଦିଗରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ରାୟଗଡା ସହରର ତ୍ରିନାଥ ମନ୍ଦିର ସାହିର ଗୋପୀନାଥ ଚୌଧୁରୀ । ମୃତ୍ତିକା ସଂରକ୍ଷଣ ବିଭାଗରେ କିରାଣୀ ଭାବେ କାମ କରୁଥିଲେ । ହେଲେ ଅବସର ଗ୍ରହଣ ପରେ ଏବେ ଗଛ ଲଗାଇବା ତାଙ୍କ ପାଇଁ ନିଶା ପାଲଟିଛି । ନିଜ ଘରେ ବିଭିନ୍ନ କିସମର ଫୁଲଗଛ ସମେତ ଔଷଧୀୟ ବୃକ୍ଷର ଚାରା ସୃଷ୍ଟି କରନ୍ତି । ଆଉ ପ୍ରତିଦିନ ସହର ତଥା ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରୁଛନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୨୦ ବର୍ଷ ହେଲାଣି ଗୋପୀନାଥ ରାସ୍ତାକଡରେ ହଜାର ହଜାର ଗଛ ଲଗାଇଛନ୍ତି ।

ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିନ୍ତି ଗୋପୀନାଥ । ସକାଳୁ ଉଠିବା ଠାରୁ ସଂଧ୍ୟା ଯାଏଁ ସାରାଦିନ କେବଳ ଗଛଲଗା ଓ ଗଛର ଯତ୍ନ କରିବାରେ ସେ ସମୟ ବିତାଇଥାନ୍ତି । କେବଳ ଗୋପୀନାଥ ଏକା ନୁହଁନ୍ତି ତାଙ୍କର ଏହି କାର୍ଯ୍ୟରେ ସ୍ତ୍ରୀ, ପୁଅବୋହୂ ସମେତ ସାରା ପରିବାର ତାଙ୍କୁ ସାହାଯ୍ୟ କରନ୍ତି ।

କେବଳ ଗଛଲଗା କାମ ନୁହେଁ ଲୋକଙ୍କୁ ବୃକ୍ଷର ଉପକାରୀତା ପରିବେଶର ସୁରକ୍ଷା ସମ୍ପର୍କରେ ବି ଲୋକଙ୍କୁ ସଚେତନ କରାଇଥାନ୍ତି ଗୋପୀନାଥ । ପ୍ରତିଦିନ ସଂଧ୍ୟାରେ ଘର ଘର ଦୋକାନ ଦୋକାନ ବୁଲି ଖାଲି ଦୁଗ୍ଧ ପ୍ୟାକେଟ୍‌, ଅବ୍ୟବହୃତ ଜରି ସଂଗ୍ରହ କରି ସେଥିରେ ଚାରା ରୋପଣ କରିଥାନ୍ତି । ଯେଉଁ ପଲିଥିନ୍‌ ଗୁଡିକ ପରିବେଶର କ୍ଷତି ନକରିବ, ମାଟିରେ ମିଶିଯିବ ସେଭଳି ପଲିଥିନ୍‌ ହିଁ ବ୍ୟବହାରରେ ଲଗାଇଥାନ୍ତି ।

ଟ୍ରି-ମ୍ୟାନ୍‌ ନାମରେ ପରିଚିତ ଗୋପୀନାଥ ପ୍ରତିଦିନ ସକାଳେ ଚାରା ଓ ପାଣି ବୋଲତ ଧରି ବାଇକ୍‌ରେ ବୁଲି ବୁଲି ସହରର କୋଣ ଅନୁକୋଣ ଖାଲିସ୍ଥାନ ଗୁଡିକରେ ଗଛ ଲଗାନ୍ତି ଓ ଲଗାଇଥିବା ଗଛ ଗୁଡିକର ଯତ୍ନ ମଧ୍ୟ ନେଇଥାନ୍ତି । ସହରକୁ ସବୁଜ ସୁନ୍ଦର କରିବା ସହ ଗୋପୀନାଥଙ୍କ ବୃକ୍ଷରୋପଣ ଭଳି ମହତ୍‌ କାର୍ଯ୍ୟପାଇଁ ସାହିପଡିଶା ଠାରୁ ସହରର ସବୁ ସ୍ଥାନରେ ତାଙ୍କରି ଭୂରୀ ଭୂରୀ ପ୍ରଶଂସା କରିଥାନ୍ତି ସହରବାସୀ । ପରିବେଶପ୍ରେମୀ ଗୋପୀନାଥଙ୍କ ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟୀ ହେବ ଏଥିରେ ସନ୍ଦେହ ନାହିଁ ।