/odishatv-khabar/media/post_attachments/uploadimage/library/16_9/16_9_0/s_1685777322.jpg)
Train Accident In Odisha
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମର୍ମାହତ ହୋଇଛନ୍ତି। ଏଭଳି ଦୁଃଖଦ ସମୟରେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ତାଙ୍କର ହେଲିକପ୍ଟର ଅଫର କରିଛନ୍ତି। ଏନେଇ ମୁଖ୍ୟ ସଚିବ ଓ ଏସ୍ଆରସିଙ୍କୁ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।
ଉଦ୍ଧାର କାର୍ଯ୍ୟରେ ଯୋଗଦେବା ପାଇଁ ଯଦି କୌଣସି ସରକାରୀ ଅଧିକାରୀ, ଡାକ୍ତରୀ ଦଳ କିମ୍ବା ବିପର୍ଯ୍ୟୟ ପ୍ରଶମନ ଦଳ ଭୁବନେଶ୍ୱରରୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଚାହୁଁଥିଲେ ହେଲିକପ୍ଟର ପ୍ରସ୍ତୁତ ଥିବା ବୈଜୟନ୍ତ ପଣ୍ଡା ଜଣାଇଛନ୍ତି। ଯାତ୍ରୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବୈଜୟନ୍ତ ପଣ୍ଡା ସହଯୋଗର ହାତ ବଢାଇବା ସହ ମୁଖ୍ୟ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ତାଙ୍କର ହେଲିକପ୍ଟର ବ୍ୟବହାର କରିବାକୁ ନିବେଦନ କରିଛନ୍ତି।
ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଅଭାବନୀୟ ଟ୍ରେନ ଦୁର୍ଘଟଣାରେ ପ୍ରାଣହାନୀ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।
ଓଁ ଶାନ୍ତି…— Baijayant Jay Panda (@PandaJay) June 2, 2023
ସୂଚନାଥାଉ କି, ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।
ଦୁଇଟି ସୁପର୍ଫାଷ୍ଟ ଓ ଗୋଟିଏ ମାଲ୍ବାହୀ ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)