• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯିଏ ଯୁଆଡେ ପାଇଲା , ସିଏ ସିଆଡେ ମୋଡିଲା । ଆଗପଛ, ଡାହାଣ କି ବାମ କିଛି ଦେଖିଲାନି । କିଏ ପଛରେ ଅଛି କି କିଏ ଆଗରୁ ଆସୁଛି ? କିଛି ଦେଖିବାର ନାହିଁ । ବାସ୍‌ ଇଚ୍ଛା ଯୁଆଡେ ହେଲା ସିଆଡେ ଗାଡି ମୋଡୁଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି କି ବେଳେ ଲୋକଙ୍କ ପାଇଁ ମଝି ରାସ୍ତାରେ ଫଶିଯାଉଛି ଆମ୍ବୁଲାନ୍ସ ।

ଖୋର୍ଦ୍ଧା ସଦର ମହକୁମାରେ ବିପର୍ଯ୍ୟସ୍ତ ହେଲାଣି ଟ୍ରାଫିକ୍‌ ବ୍ୟବସ୍ଥା । ଦିନକୁ ଦିନ ଅଣାୟତ୍ତ ହେଲାଣି ଟ୍ରାଫିକ ପରିଚାଳନା । କ୍ୟାବିନ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ପାଇଁ ସମସ୍ୟାରେ ସହରବାସୀ । ଅବସ୍ଥା ଏମିତି ହେଲାଣି କି ଗାଡ଼ିମଟର ତ ଦୂରର କଥା ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଲାଣି । ଯାହାକୁ ନେଇ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଲୋକ ।

ଖୋର୍ଦ୍ଧା ପୌରପରିଷଦ । ପ୍ରାୟ ୬୦ ହଜାରରୁ ଅଧିକ ଲୋକ ପୌରପାଳିକାରେ ରହୁଛନ୍ତି । ସହର ଭିତରେ ହିଁ ୬ ଜିଲ୍ଲାକୁ ରହିଛି ସଂଯୋଗର ମୁଖ୍ୟ ରାସ୍ତା । ତାହା ସହିତ ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଏହିଠାରେ ରହିଥିବାରୁ ସହର ଭିତରେ ଅସମ୍ଭବ ଭିଡ଼ । ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି ସହର ଭିତରେ ଥିବା କ୍ୟାବିନ ଏବଂ ଉଠାବ୍ୟବସାୟୀ । ହେଲେ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଖୋର୍ଦ୍ଧାର ହାବେଳି ପଡ଼ିଆ ଏବଂ ଟି.ଏଲ୍‌.ସି ପାଖ ଜାଗା ଚିହ୍ନଟ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନଥିବାରୁ ବ୍ୟବସାୟୀ ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ତେବେ ସହର ଭିତରେ ଆଉ ଅଧିକ ଜବରଦଖଲ କରାଯିବା ଉପରେ ରୋକ ଲଗାଇବା ସହିତ ସମସ୍ତ ଜବରଦଖଲ ହଟାଇବା ପରେ ହିଁ ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ ବୋଲି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହିଛନ୍ତି । ସେପଟେ ପ୍ରାଥମିକ ଭାବେ ପରିବା, ଫଳ ଏବଂ ଆମିଷ ଦୋକାନିଙ୍କୁ ଭେଣ୍ଡିଂ ଜୋନ୍ କରି ସ୍ତାନାନ୍ତର କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସୁଧୁରୁଛି ଟ୍ରାଫିକ୍‌ ସମସ୍ୟା....।

(ଖୋର୍ଦ୍ଧାରୁ ବଳରାମ ଲେଙ୍କାଙ୍କ ରିପୋର୍ଟ)