/odishatv-khabar/media/post_attachments/uploadimage/library/16_9/16_9_0/Nilagiri_1640241471.jpg)
Nilagiri
ନୀଳଗିରି: ଶୀତ ବଢିବା ସହ ବାଲେଶ୍ୱର ନୀଳଗିରିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ପଞ୍ଚଲିଙ୍ଗେଶ୍ୱର ସହ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର, କୁଲଡିହା ଅଭୟାରଣ୍ୟ ଏବଂ ଖୁମକୁଟ୍ ଡ୍ୟାମ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ପର୍ଯ୍ୟଟନ ଋତୁରେ ଏଭଳି ଏକ ଡେଷ୍ଟିନେସନ୍ ବୁଲିବା ସହ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ ।
ଶୀତଦିନ ଆସିଲେ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପର୍ଯ୍ୟଟକ ଭିଡ ଜମିବାରେ ଲାଗେ । ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଶୀତଦିନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି । ଆଉ ତା’ସାଙ୍ଗକୁ ଜମେ ବଣଭୋଜି । ଲୋକେ ଶୀତର ମଜା ନେବା ପାଇଁ ପାହାଡ ଜଙ୍ଗଲ ଆଦି ଜାଗାକୁ ବଣଭୋଜି ନିମନ୍ତେ ଯାଇଥାନ୍ତି । ତେବେ ଠିକ ଏହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ହେଉଛି ନୀଳଗିରି ।
ବଣ, ପାହାଡ଼ ଘେରା ଅଙ୍କାବଙ୍କା ରାସ୍ତାରେ ଆଖି ଯୁଆଡ଼େ ବୁଲାଇବେ ସବୁଠି ସବୁଜିମା ଭରା । ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣା ପ୍ରକୃତିରାଣୀ ପ୍ରକୃତିର ଏ ମନଲୋଭା ଦୃଶ୍ୟ ବାଲେଶ୍ୱର ନୀଳଗିରି ଅଞ୍ଚଳର କୁଲଡିହା ଅଭୟାରଣ୍ୟ କୁହନ୍ତୁ ବା ଖୁମକୁଟ୍ ବା ପଞ୍ଚଲିଙ୍ଗେଶ୍ୱର କୁହନ୍ତୁ ଏଠାକାର ସୌନ୍ଦର୍ଯ୍ୟ ଟାଣି ଆଣୁଛି ପର୍ଯ୍ୟଟକଙ୍କୁ । ଶୀତୁଆ ସକାଳରେ କୁଲଡିହା ଅଭୟାରଣ୍ୟରେ ଭଳିକି ଭଳି ଫୁଲର ସମ୍ଭାର ଭିତରେ ବୁଲିବାର ନିଆରା ମଜା ନେଉଛନ୍ତି ପର୍ଯ୍ୟଟକ । ଖାଲି ବୁଲାବୁଲି କାହିଁକି ପଞ୍ଚଲିଙ୍ଗେଶ୍ୱର ଏହଂ ଜଗନ୍ନାଥ ମନ୍ଦିରରେ ଦିଅଁ ଦର୍ଶନର ସାନିଧ୍ୟ ବି ପାଉଛନ୍ତି ଶ୍ରଦ୍ଧାଳୁ ।
ନୀଳଗିରିଠୁ ୨୦ କିମି ଦୂରରେ ରହିଛି ଖୁମକୁଟ ଡ୍ୟାମ୍ । ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଗଛ ଉପରେ ଛୋଟ ଛୋଟ ଘର ତିଆରି କରିଛନ୍ତି ଚାଷୀ ଭାଇ । ତେବେ ଏହାକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ବେଶ୍ ଉତ୍ସାହିତ ରହୁଛନ୍ତି । ସେହିପରି ନୀଳଗିରି ରାଜାଙ୍କ କୀର୍ତ୍ତିରାଜି ପାଣି ଭିତରେ ଥିବା ତାଙ୍କ ଶିକାର ଭାଡ଼ି ଓ ମନ୍ଦିର ଦେଖିବାକୁ ବି ଭି଼ଡ଼ ଜମୁଛି । ଏଥିସହ ବିଶ୍ୱେଶ୍ୱର ମହାଦେବଙ୍କର ଦର୍ଶନ କରିବାକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ପର୍ଯ୍ୟଟନ ଋତୁରେ ବଣଭୋଜି ପାଇଁ ଭିଡ ଜମୁଥିବାବେଳେ ଏହା ସେଲ୍ଫି ଓ ଭିଡିଓ ସୁଟ୍ ପାଇଁ ବି ଉପଯୁକ୍ତ ଡେଷ୍ଟିନେସନ୍ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)