• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବନ୍ଧ ହେଲା, ଭିଟାମାଟି ଗଲା ।

  • ଅସରନ୍ତି ଦୁଃଖରେ ହୀରାକୁଦ ବିସ୍ଥାପିତ ।

  • ହୀରାକୁଦ ଡ୍ୟାମ୍‌ର ୬ ଦଶନ୍ଧି ପରେ ଦୁର୍ଦ୍ଦିନରେ ବିସ୍ଥାପିତ ।

ଭୁବନେଶ୍ୱର (ରିପୋର୍ଟ-ସଞ୍ଜୟ ଜେନା, ଭାଗିରଥୀ ସାହୁ): ବିଶ୍ୱର ଦୀର୍ଘତମ ମାଟିବନ୍ଧ ହୀରାକୁଦ ଡ୍ୟାମ୍ ପାଇଁ ନିଶ୍ଚିନ୍ନ ହୋଇଛି ପ୍ରାୟ ୩୬୦ ଗାଁ ଓ ବିସ୍ଥାପିତ ହୋଇଛନ୍ତି ଲକ୍ଷେରୁ ଅଧିକ ଲୋକ । ବନ୍ଧ ନିର୍ମାଣ ବେଳେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ପରିବାର ହରାଇଥିଲେ ଭିଟାମାଟି । ହେଲେ ସେ ବାସହରା ପାଇଛନ୍ତି କଣ ? ବଞ୍ଚୁଛନ୍ତି କେମିତି ? ସେକଥା ଆଜି ଏଇଥିପାଇଁ ମନେପଡ଼ିଛି, ଗତକାଲି ଝାରସୁଗୁଡ଼ାର ୨ହଜାର ବିସ୍ଥାପିତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଘରଡିହ ଘୋଷଣା ପରେ ଗ୍ରାଉଣ୍ଡ ଜିରୋରୁ ଚିତ୍ର ସଂଗ୍ରହ ବେଳେ ଦୀର୍ଘ ୬ ଦଶନ୍ଧି ପରେ କିଛି ବିସ୍ଥାପିତଙ୍କୁ ନୁହେଁ ବରଂ ସବୁ ବାସହରାଙ୍କ ଲାଗି ଘରଡିହ ମାଗିଛି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତି ।

ହୀରାକୁଦ ଡ୍ୟାମ୍‌ର ଅଥଳ ଜଳରାଶିରେ ଭିଟାମାଟି ବୁଡ଼ିବାର ଦୃଶ୍ୟ ଲୋକମାନେ ଅଙ୍ଗେ ଲିଭେଇଛନ୍ତି । ସେଇ ମନ ଆଜି ଯାଏଁ ପାଶୋରି ପାରୁନି ଜନ୍ମସ୍ଥାନରୁ ବିସ୍ଥାପନ ଯନ୍ତ୍ରଣାର ଚିତ୍ର । ଦୀର୍ଘ ୬୫ବର୍ଷ ତଳେ ହୀରାକୁଦ ନଦୀବନ୍ଧ କାମରେ କେମିତି ସ୍ୱାମୀ ଡ୍ରାଇଭର କାମ କରୁଥିଲେ ଆଉ ସ୍ତ୍ରୀ ବି ମାଟି କାମରେ ଲାଗିଥିଲେ । ଏବେ ବି ସବୁ କଥା ମନେ ପକାଇ କାନ୍ଦି କାନ୍ଦି କୋହ ଭରା କଣ୍ଠରେ ଦୁଃଖ ବଖାଣିଛନ୍ତି ଜଣେ ବିସ୍ଥାପିତ ପରିବାର । ସମ୍ବଲପୁର ସୋନୁଟିକ୍ରା ଗାଁର ବିସ୍ଥାପିତ ରୁକ୍ମିଣୀ ଭୁଏ କହିଛନ୍ତି-ଡ୍ୟାମ୍ ପାଇଁ ଯେତେବେଳେ ଅତି ଆପଣାର ତିହୁରା ଗାଁ ଛାଡ଼ିଥିଲେ, ସେତେବେଳେ ଜମି ଓ ଘରଡିହ ଦେବେ କହି ସରକାର କେତେ ସବୁ ଲୋଭ ଦେଖାଇଥିଲେ, କିନ୍ତୁ ପରେ ସବୁ ଭୁଲିଗଲେ ।

ସେହି ସମାନ ଘଟଣା ଘଟିଛି ଶ୍ରୀକାନ୍ତ ଭୋଇଙ୍କ ପରିବାର କ୍ଷେତ୍ରରେ । ନଦୀବନ୍ଧ ଭିତରେ ଗାଁ ବୁଡ଼ିବା ପୂର୍ବରୁ ବାପ-ଅଜାଙ୍କର ଜୀବୀକା ଥିଲା ଚାଷ ବାସ । ହେଲେ ବିସ୍ଥାପନ ପରେ ହଠାତ୍ ବଦଳିଗଲା ଜୀବନର ଧାରା । ଡ୍ୟାମ୍‌ରୁ ମାଛ ଧରି ବିକ୍ରି କରି ପରିବାର ପ୍ରତିପୋଷଣ କରିବାକୁ ପଡ଼ିଲା । ଯାହାକି ତିନି ପୀଢ଼ି ଧରି ଚାଲିଛି ଯେ ଚାଲିଛି । ନା ତାଙ୍କୁ ଆଜି ଯାଏଁ ମିଳିଛି କ୍ଷତିପୂରଣ ନା ମୁଣ୍ଡଗୁଞ୍ଜିବାକୁ ଖଣ୍ଡେ ଜମି । ତାଙ୍କ ଭଳି ସୋନୁଟିକ୍ରା ଗାଁରେ ଅନେକ ଲୋକ ଅଛନ୍ତି, ଯାହାଙ୍କ ଜୀବନରେ ପରିବର୍ତ୍ତନର ତ ଚିହ୍ନବର୍ଣ୍ଣ ନାହିଁ, ହେଲେ ବଦଳିଯାଇଛି କୌଳିକ ବୃତ୍ତି । ଆଉ ଯେଉଁ କିଛି ଲୋକଙ୍କୁ ପୂର୍ବରୁ ଜମିପଟ୍ଟା ଦିଆଯାଇଥିବା କଥା କୁହାଯାଉଛି, କେଉଁଠି ଜମି ମିଳିଛି ତା ଅବସ୍ଥିତି ଜଣାନଥିବାରୁ ଦଖଲକୁ ନେଇପାରୁନଥିବା କ୍ଷୋଭର ସହ ଅଭିଯୋଗ କରିଛନ୍ତି ।

ତେବେ ଗତକାଲି ଯେଉଁ ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା । କିନ୍ତୁ ନଦୀବନ୍ଧ ପାଇଁ ଭିଟାମାଟି ହରାଇବା ପରଠୁ ଆଜି ଯାଏଁ ଦୀର୍ଘ ୬ ଦଶନ୍ଧିରୁ ଅଧିକ କାଳ କେମିତି କଦର୍ଯ୍ୟ ସ୍ଥିତିରେ ଜୀବନ ବିତାଉଛନ୍ତି, ତାର ଚିତ୍ର ଦେଖିଲେ ଆଖିରୁ ଲୁହ ଗଡ଼ି ଆସିବ ।

ଥଇଥାନ ଓ ଅଧିକାର ପାଇଁ ସରକାରଙ୍କ ପାଖରେ କେତେ କାକୁତିମୀନତି, କେତେ ଆନ୍ଦୋଳନ । ହେଲେ ସବୁ ଫେଲ୍ । ଏମିତିକି ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ବି ଅଭିଯୋଗ ହୋଇଛି, ହେଲେ ବିସ୍ଥାପିତଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଯୋଗୁଁ ସେଠି ବି ବାଟବଣା ହୋଇଛି ନ୍ୟାୟ । ଏପଟେ ବିଳମ୍ବରେ ହେଲେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ବିସ୍ଥାପିତଙ୍କ କଥା ମନେ ପଡ଼ିଛି । ତେବେ ଖାଲି ୨ହଜାର ନୁହଁନ୍ତି ବାସ ହରାଇଥିବା ପାଖାପାଖି ୨୦ ହଜାରରୁ ଅଧିକ ପରିବାରଙ୍କୁ ଘର ଡିହ ଯୋଗାଇବାକୁ ଦାବି ହୋଇଛି । ତେବେ ଲହୁ ଓ ଲୁହର ସମିଶ୍ରଣରେ ୧୯୫୭ ଜାନୁଆରୀରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାବରଲାଲ୍ ନେହେରୁଙ୍କ ଦ୍ୱାରା ଉଦ୍‌ଘାଟିତ ହୀରାକୁଦ ବନ୍ଧ ଖାଲି ଦେଶ ନୁହେଁ ବିଶ୍ୱର ବି ସବୁଠୁ ବଡ଼ ମାଟିବନ୍ଧ ଭାବେ ଓଡ଼ିଶାର ଗୌରବ ବଢ଼ାଇ ଚାଲିଛି ।