• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉପରମୁହାଁ ବଜାର ଦର ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶକୀୟ ଜିନିଷର ଦରଦାମ୍ ବଢିଛି । ହାତ ମାରିବାକୁ ବି ଡର ଲାଗୁଛି । ଟମାଟୋ କିଲୋ ପିଛା ଶହେ, ଚିକେନ୍ ପାଖାପାଖି ୩ ଶହ ଆକାଶଛୁଆଁ ଦରକୁ ଦେଖି ମୁଣ୍ଡରେ ହାତ ଦେଲେଣି ଖାଉଟି । ଚାହିଦା ତୁଳନାରେ ଉତ୍ପାଦନ ନଥିବାରୁ ଦର ବଢିଥିବା କହିଛନ୍ତି ବ୍ୟବସାୟୀ । ତେଣେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉଚ୍ଚା ଦରକୁ ନେଇ ୮ ପ୍ରତିଶତରେ ପହଞ୍ଚିବାକୁ ବସିଲାଣି ମୁଦ୍ରାସ୍ଫୀତି, ଯାହାକି ଗଲା ୮ ବର୍ଷରେ ସର୍ବାଧିକ । ତୁରନ୍ତ ପ୍ରତିକାର ନକଲେ, ଆଗକୁ ଦେଶର ଆର୍ଥିକ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାଇ ଦେଇଛନ୍ତି ଅର୍ଥନୀତି ବିଶାରଦ ।

ଖାଉଟି ସାମଗ୍ରୀ ବଜାରରେ ନିଆଁ । ଲେମ୍ବୁ ପରେ ଲମ୍ବ ଡିଆଁ ମାରିଛି ଟମାଟୋ । ବାଲେଶ୍ୱରରୁ ବ୍ରହ୍ମପୁର, କଟକରୁ କଳାହାଣ୍ଡି ଦର ଶୁଣିଲା ବେଳକୁ ଟମାଟୋ ରଙ୍ଗଠାରୁ ଅଧିକ ଲାଲ୍ ପଡିଯାଉଛି ଖାଉଟିଙ୍କ ମୁହଁ । ରବିବାର ଖୁଚୁରା ବଜାରରେ ଟମାଟୋ କିଲୋ ଥିଲା ୬୦ ଟଙ୍କା, ଆଜି ସେଞ୍ଚୁରୀ ମାରିଥିବା ବେଳେ କିଛି ସ୍ଥାନରେ ୧୨୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀଙ୍କ ମତ ରାଜ୍ୟରେ ଟମାଟୋ ଉତ୍ପାଦନ ଶୂନ୍ ବାଙ୍ଗାଲୋର ଟମାଟୋ ଉପରେ ନିର୍ଭର କରିବାକୁ ପଡ଼ୁଛି । ସେଠି ବି ଉତ୍ପାଦନ କମିଛି । ତେଣୁ ଦର ଉପରମୁହାଁ ହୋଇଥିବା କହିଛନ୍ତି ବ୍ୟବସାୟୀ ।

ଏପଟେ ଟ୍ରିପଲ୍ ସେଞ୍ଚୁରି ମାରିବାକୁ ବସିଛି ଚିକେନ୍ ଯାହାକି ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । ସପ୍ତାହକ ତଳେ ଚିକେନ୍ ଦର କିଲୋଗ୍ରାମ ପ୍ରତି ୧୮୦ରୁ ୨୦୦ ଟଙ୍କା ଥିଲା, ଏବେ ୨୮୦ ହୋଟେଲ ଓ ଫାଷ୍ଟଫୁଡ୍ ଉପରେ ବି ଦର ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି । ସବୁ ଚିକେନ୍ ଆଇଟମା ଦାମ ପ୍ଲେଟ ପିଛା ୧୦ରୁ ୨୦ ଟଙ୍କା ବଢ଼ିଛି । ବ୍ୟବସାୟୀ ସିନା ଦର ବଢାଇ ଦେଉଛନ୍ତି, ହେଲେ ଖାଉଟି ଯିବେ କୁଆଡେ । ଘରେ ଆଣି ଖାଆନ୍ତୁ କି ହୋଟେଲରେ, ମହଙ୍ଗା ମାଡ଼ରେ କଲବଲ ହେଉଛନ୍ତି । ବିବାହ ଋତୁ ଚାଲିଥିଲେ ମଧ୍ୟ ରାଜ୍ୟରେ ଚିକେନ୍ ଉତ୍ପାଦନ କମ୍ ରହିଛି, ତାସାଙ୍ଗକୁ କୁକୁଡ଼ା ଚିଆଁ ଓ ଔଷଧ ଦର ବଢିଥିବାରୁ ଉତ୍ପାଦନ ଖର୍ଚ୍ଚ ବଢିଥିବା ରାଜ୍ୟ କୁକୁଡା ବ୍ୟବସାୟୀ ସଂଘ କହିଛି ।

ଏସବୁ ଭିତରେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବଢ଼ିଯାଇଛି, ଯାହାକି ଗଲା ୮ ବର୍ଷରେ ସର୍ବାଧିକ । ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଦର ବଢ଼ିବା ଯୋଗୁ ମୁଦ୍ରାସ୍ଫୀତି ଉପରମୁହାଁ ହୋଇଥିବା ଯୁକ୍ତି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ୨୦୧୪ ମେରେ ଖୁଚୁରା ମୁଦ୍ରାସ୍ଫୀତି ସର୍ବାଧିକ ୮.୩୩ ପ୍ରତିଶତ ଥିଲା ।

ଅର୍ଥନୀତି ବିଶାରଦଙ୍କ ମତରେ କୋଭିଡ୍ ପରବର୍ତ୍ତୀ ସମୟରେ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି । ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ତେଲଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଦର ବଢ଼ିଛି । ତେବେ ଦର ନିୟନ୍ତ୍ରଣ ଲାଗି ସରକାର ଯଦି ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଦେଶରେ ଆର୍ଥିକ ଅସ୍ଥିରତା ଆସିବା ଆଶଙ୍କା ଥିବା ଅର୍ଥନୀତି ବିଶାରଦ ଚେତାଇ ଦେଇଛନ୍ତି ।