Advertisment

ଅସୁରକ୍ଷିତ ଓଡ଼ିଶା ଜଙ୍ଗଲ: ରାଜ୍ୟରୁ ବୁଡ଼ିଯିବ କି ମହାବଳ ବଂଶ ?

କେବଳ ମହାବଳ ନୁହେଁ, ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ ।

author-image
Chandan Shishu
ଅଦ୍ୟତନ ହୋଇଛି
Tiger unsafe in odisha Forest

Tiger unsafe in odisha Forest

ବାଘ ଦିବସରେ ବାଘଙ୍କୁ ନେଇ ଚିନ୍ତାଜନକ ତଥ୍ୟ। ଗତ ୪ ବର୍ଷରେ ଓଡ଼ିଶାରେ କମିଛନ୍ତି ୮ ମହାବଳ, ସଂଖ୍ୟା ୨୦କୁ କମିଛି । ଆଉ ସେପଟେ ଘୋର ସଙ୍କଟରେ କଲରାପତରିଆ ବଂଶ । ୩ ବର୍ଷରେ ଜବତ ହେଲାଣି ୬୮ କଲରାପତରିଆ ଛାଲ। ବାଘ ସଂଖ୍ୟାରେ ଏଭଳି ଦୃତ ହ୍ରାସକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଚିନ୍ତାପ୍ରକଟ କରିଥିବାବେଳେ କେନ୍ଦ୍ର ବାଘ ଗଣନା ପଦ୍ଧତିକୁ ଆଉ ଭରସାକୁ ନ ନେଇ ନିଜସ୍ବ ବାଘ ଗଣନା ପାଇଁ ସଜବାଜ ହେଲେଣି ସରକାର।

Advertisment

ଅସୁରକ୍ଷିତ ଓଡ଼ିଶା ଜଙ୍ଗଲ, ସଙ୍କଟରେ ମହାବଳ। ୨୦୧୮ରେ ଥିଲେ ୨୮,  ୨୨ରେ ୨୦। ୪ ବର୍ଷରେ ମହାବଳ ସଂଖ୍ୟା ୩୦% ହ୍ରାସ। ତେଣୁ ଏଠି ପ୍ରଶ୍ନ- ରାଜ୍ୟରୁ ବୁଡ଼ିଯିବ କି ମହାବଳ ବଂଶ ? ଆନ୍ତର୍ଜାତିକ ବାଘ ଦିବସରେ କେନ୍ଦ୍ର ସରକାର ପ୍ରକାଶ କରିଥିବା ସଦ୍ୟତମ ବାଘ ଗଣନା ରିପୋର୍ଟରୁ ଓଡ଼ିଶାରେ ମହାବଳ ସଂଖ୍ୟା ନେଇ ଆସିଛି ଏମିତି ଚିନ୍ତାଜନକ ତଥ୍ୟ। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଏନଟିସିଏର ପରିସଂଖ୍ୟାନ କହୁଛି, ଓଡ଼ିଶାରେ କମି କମି ଚାଲିଛି ମହାବଳ ସଂଖ୍ୟା। ୨୦୦୬ରୁ ୨୦୨୨ ମଧ୍ୟରେ ରାଜ୍ୟରେ ଏହି ବାଘଙ୍କ ସଂଖ୍ୟା ୫୫ ପ୍ରତିଶତ କମିଛି।

୨୦୦୬ରେ ୪୫, ୨୦୧୦ରେ ୩୨ ଓ ୨୦୧୪ରେ ୨୮କୁ ଖସିଥିଲା। ଏମିତିକି ୨୦୧୮ ଗଣନା ବେଳେ ରାଜ୍ୟର ବାଘ ସଂଖ୍ୟା ୨୮ରେ ହିଁ ସ୍ଥିର ରହିଥିଲା। ହେଲେ ୨୦୨୨ ଗଣନାରେ ସଂଖ୍ୟା ପୁଣି ହ୍ରାସ ପାଇ ୨୦ରେ ପହଞ୍ଚିଲାଣି। ଯଦିଓ ଗତ ୪ ବର୍ଷରେ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ସଂଖ୍ୟା ଦୁଇ ଗୁଣା ହୋଇ ୮ରୁ ୧୬ରେ ପହଞ୍ଚିଛି। ହେଲେ ରାଜ୍ୟରେ ବାଘ ବଂଶ ହ୍ରାସ ପାଇଁ ଶିକାରୀଙ୍କ ପ୍ରାଦୁର୍ଭାବ ଓ ନୂଆ ଗଣନା ପଦ୍ଧତିକୁ ଅନେକାଂଶରେ ଦାୟୀ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Advertisment

କେବଳ ମହାବଳ ନୁହେଁ, ରାଜ୍ୟରେ କଲରାପତରିଆ ବାଘ ବି ସଙ୍କଟରେ। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ । ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଦୃତ ଗତିରେ କମୁଛି ଏମାନଙ୍କ ବଂଶ। ଗତ ୩ ବର୍ଷରେ ରାଜ୍ୟରେ ବନ ବିଭାଗ ଓ ଏସଟିଏଫ୍ ଜବତ କଲାଣି ୬୮ଟି କଲରାପତରିଆ ବାଘ ଛାଲ। ଯେଉଁଥିରୁ କେବଳ ୨୦୨୩ର ପ୍ରଥମ ୭ ମାସରେ ୧୯ଟି କଲରାପତରିଆ ବାଘ ଚମଡ଼ା ଧରା ପଡ଼ିଥିଲା।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ କଲରାପତରିଆ ବାଘ ଶିକାର ପଛରେ କାମ କରୁଛି ଆନ୍ତର୍ଜାତିକ ପେସାଦାର ରାକେଟ୍ । ଯେତିକି କଲରାପତରିଆ ବାଘ ଛାଲ ଜବତ ହେଉଛି, ତାହା ତୁଳନାରେ ଶିକାର ହେଉଥିବା କଲରାପତରିଆଙ୍କ ସଂଖ୍ୟା ଢେର୍ ଅଧିକ । ସରକାର ଏବେଠୁ ଏହା ଉପରେ ନଜର ନ ରଖିଲେ, ଆଗକୁ ଏ ବାଘଙ୍କ ସଂଖ୍ୟା ବି ଲୋପ ପାଇଯିବ।

ଏସବୁ ଭିତରେ ରାଜ୍ୟରେ ନିଜସ୍ୱ ବାଘ ଗଣନା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ଅକ୍ଟୋବରରୁ ଉଭୟ ପାଦ ଚିହ୍ନ ଓ ସ୍କ୍ରାଚ୍ ମାର୍କ ଭଳି ତଥ୍ୟ ଆଧାରିତ ଟ୍ରାଞ୍ଜାକ୍ଟ ଆନାଲିସିସ ଓ ସିସିଟିଭି କ୍ୟାମେରା ଟ୍ରାପ୍ ଜରିଆରେ ଦେଢ଼ ମାସ ଧରି ଚାଲିବ ଏହି ଗଣନା ପ୍ରକ୍ରିୟା।

Similipal Tiger Reserve
Advertisment
Advertisment