• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ବଢ଼ୁଛି, ରାଜ୍ୟରେ ଖସୁଛି । ଦେଶର ବାଘ ସଂଖ୍ୟା ୧୨ ବର୍ଷରେ ଦୁଇଗୁଣା । ଓଡ଼ିଶାରେ କିନ୍ତୁ କମିଛି ୪୦ ପ୍ରତିଶତ । କାହିଁକି ରାଜ୍ୟରେ ଖସି ଚାଲିଛି ବାଘଙ୍କ ସଂଖ୍ୟା ? ଆଜି ଆନ୍ତର୍ଜାତିକ ବାଘ ଦିବସ । ବାଘ ସଂରକ୍ଷଣ ଲାଗି ଚାଲିଛି ଅନେକ ସଚେତନତା କାର୍ଯ୍ୟକ୍ରମ ଓ ଅଭିଯାନ । ରିପୋର୍ଟ କହୁଛି, ଦେଶରେ ବାଘ ସଂଖ୍ୟା ବଢ଼ୁଛି, ହେଲେ ଚିନ୍ତାଜନକ ବିଷୟ ହେଉଛି ଓଡ଼ିଶାରେ ଖସୁଛି ବାଘସଂଖ୍ୟା । ବନ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସମନ୍ୱୟ ଅଭାବ ଓ ଶିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଅଭାବରୁ ବାଘ ସଂଖ୍ୟାରେ ଦ୍ରୁତ ଅବନତି ଦେଖିବାକୁ ମିଳିଛି ।

ତେବେ ପିସିସିଏଫ୍‌ଙ୍କ ମତ, ପରୋକ୍ଷ ପଦ୍ଧତିରେ ଗଣନା ହେଉଥିବାରୁ ଏଭଳି ତଥ୍ୟ ଆସୁଛି । ରାଜ୍ୟରେ କେତେ ବାଘ ଅଛନ୍ତି ସଂଖ୍ୟାକୁ ନେଇ ବିତର୍କ ଭିତରେ ଚିଡ଼ିଆଖାନା ବାଘଙ୍କୁ ରି-ୱାଇଲ୍ଡିଂ କରି ବଂଶ ବଢ଼ାଇବାକୁ ଯୋଜନା କରିଛନ୍ତିି ନନ୍ଦନକାନନ କର୍ତ୍ତୃପକ୍ଷ । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-NTCA ରିପୋର୍ଟ ଅନୁସାରେ, ୨୦୦୬ରେ ଦେଶରେ ମୋଟ ୧ ହଜାର ୪୧୧ଟି ବାଘ ଥିଲେ । ୨୦୧୮ରେ ଏହି ସଂଖ୍ୟା ବଢି ୨ ହଜାର ୯୬୭ରେ ପହଞ୍ଚିଛି । କିନ୍ତୁ ଚିନ୍ତାର ବିଷୟ ହେଉଛି, ଏ ସମୟ ଭିତରେ ଓଡ଼ିଶାରେ ଢେର୍ କମିଛି ବାଘ ସଂଖ୍ୟା । 

NTCA ରିପୋର୍ଟ ଅନୁସାରେ ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲେ । ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସି ଆସିଥିବା ବେଳେ ୨୦୧୪ ଓ ୨୦୧୮ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୮ଟି ବାଘ ଅଛନ୍ତି । ଅନ୍ୟପକ୍ଷରେ ବାଘ ବଂଶ ବୃଦ୍ଧି ଲାଗି ରାଜ୍ୟ ସରକାର ଆରମ୍ଭ କରିଥିବା ପ୍ରୟାସ ସଂପୂର୍ଣ୍ଣ ଫେଲ ମାରିଛି । ୨୦୧୮ ଜୁନ୍‌ରେ ରାଜ୍ୟ ସରକାର ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ମହାବଳ ମହାବୀର ଓ ବାଘୁଣି ସୁନ୍ଦରୀକୁ ଆଣି ସାତକୋଶିଆରେ ଛାଡ଼ିଥିଲେ । ହେଲେ ଶିକାରୀଙ୍କ ଫାଶରେ ପଡ଼ି ମହାବୀରର ମୃତ୍ୟୁ ହୋଇଥିବା ବେଳେ ହିଂସ୍ର ଆଚରଣ ଯୋଗୁ ସୁନ୍ଦରୀକୁ ବାନ୍ଧବଗଡ଼ ଫେରିବାକୁ ପଡ଼ିଥିଲା ।

ତେବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁନର୍ଜୀବିତ କରିବା ଲାଗି ପୁଣି ଆରମ୍ଭ ହୋଇଛି ପ୍ରୟାସ । ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସମନ୍ୱୟ ଅଭାବ, ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାତକୋଶିଆ ପ୍ରକଳ୍ପ ଫେଲ ମାରିଥିବା କହିଛନ୍ତି ବିଶେଷଜ୍ଞ । ତେଣୁ ସରକାରଙ୍କ ନୂଆ ପ୍ରୟାସ କେତେ ସଫଳ ହେବ ତାହା ସନ୍ଦେହ ସୃଷ୍ଟି କରିଛି ।

ବାଘ ସଂଖ୍ୟା ହ୍ରାସ ନେଇ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ସଫେଇ, NTCA ପକ୍ଷରୁ ଯେଉଁ ବାଘ ଗଣନା କରାଯାଉଛି, ତାହା ପରୋକ୍ଷ ପଦ୍ଧତିରେ ହେଉଛି । ଗଣନା ସମୟରେ ଯେତିକି ବାଘ କ୍ୟାମେରା ସାମ୍ନାକୁ ଆସୁଛି, ତା ଆଧାରରେ ରିପୋର୍ଟ ପ୍ରସ୍ତୁତ ହେଉଛି । ତେଣୁ ରାଜ୍ୟରେ ସଂଖ୍ୟା କମିଛି । ବାଘଙ୍କ ବାସ୍ତବ ସଂଖ୍ୟା ରିପୋର୍ଟଠାରୁ ଅଧିକ ହୋଇପାରେ ବୋଲି ସେ ମତ ଦେଇଛନ୍ତି । ଏପଟେ ରାଜ୍ୟରେ ବାଘ ବଂଶ ବୃଦ୍ଧି ଲାଗି ନୂଆ ରଣନୀତି ଆପଣେଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଚିଡ଼ିଆଖାନାରେ ଜନ୍ମିତ ବାଘକୁ ରି-ୱାଇଲ୍ଡିଂ କରି ରାଜ୍ୟର ଜଙ୍ଗଲରେ ଛାଡ଼ିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଥିପାଇଁ ବାଙ୍ଗାଲୋର ନ୍ୟାସନାଲ ସେଣ୍ଟର ଫର୍ ବାୟୋଲୋଜିକାଲ ସାଇନ୍ସେସ୍ ସହ ମିଶି ଚିଡ଼ିଆଖାନା ବାଘର ଜେନେଟିକ୍ ଷ୍ଟଡି କରାଯିବ । ଷ୍ଟଡି ସଫଳ ହେଲେ, ଚିଡ଼ିଆଖାନାରେ ଜଙ୍ଗଲୀ ବାଘ ବ୍ରିଡିଂ କରାଯାଇ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଛଡ଼ାଯିବ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ବାଘ ଚମଡ଼ା ଓ ନଖ ଆଦି ଜବତ ହେବା ଘଟଣା ସାମ୍ନାକୁ ଆସୁଛି । ଏଥିରୁ ବାଘଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଥିବା ସ୍ପଷ୍ଟ ହେଉଛି । ଏଭଳି ସ୍ଥିତିରେ ବାଘ ବଂଶ ବୃଦ୍ଧି ଲାଗି ସରକାରଙ୍କ ପ୍ରୟାସ କେତେ ସଫଳ ହେବ ତାହା ସମୟ କହିବ ।