• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାପା ମାଆ ଆରପାରିକୁ ଚାଲିଗଲା ପରେ ଏବେ ବୁଢା ଅଜା ଭରଷାରେ ୩ କୋମଳମତୀ ଶିଶୁ । ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡ଼ୁଛି । ପଡୋଶୀ ଯାହା ଦେଲେ ସେଥିରେ ପେଟ ପୁରୁଛି । ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲତିଛି । ଦୀର୍ଘ ମାସ ଧରି ଏମିତି ଦୁର୍ଦିନରେ ଦିନ କାଟୁଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବିରିକଳା ପଞ୍ଚାୟତର ଏହି ୩ ଶିଶୁ । କିନ୍ତୁ ଜିଲ୍ଲା ପ୍ରଶାସନର ନଜର ଏମାନଙ୍କ ଉପରେ ଏଯାଏଁ ପଡିନାହିଁ ।

ଦୁସ୍ଥିତିରେ ପଡିରହିଛି ୩ କୋମଳମତି ଶିଶୁଙ୍କ ଜୀବନ । ଓଳିଏ ଖାଇଲେ ଓଳିଏ ଉପାସ । ବାପା ମା ଆରପାରିକୁ ଚାଲିଗଲା ପରେ ସାହା କହିଲେ କେବଳ ବୁଢା ଅଜା । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବିରିକଳା ପଞ୍ଚାୟତର ଭୁଣ୍ଡି ମୁଣ୍ଡା ଓ ମାସୁରୀ ମୁଣ୍ଡାଙ୍କ ଇଏ ହେଉଛନ୍ତି ୨ ପୁଅ ଲକିନ୍, ଜିତ୍, ଓ ଝିଅ ସୁରତୀ । ବର୍ଷେ ପୂର୍ବରୁ ଭୁଣ୍ଡି ମୁଣ୍ଡା ଓ ମାସୁରୀ ମୁଣ୍ଡାଙ୍କ ମ଼ୃତ୍ୟୁ ପରେ ଏବେ ବେସାହାରା ହୋଇଯାଇଛନ୍ତି ପିଲାମାନେ । ବୟସର ଅପରାହ୍ନରେ ପହଞ୍ଚିଥିବାରୁ ମୋ ପରେ ପିଲାଙ୍କର ସାହାଭରଷା କିଏ ହେବ ବୋଲି କହିଛନ୍ତି ଅଜା ରାମଜା ମୁଣ୍ଡା ।

ପିଲାଟି ଦିନରୁ ତିନି ପିଲାଙ୍କ ପାଠରେ ଡୋରି ବନ୍ଧା ସରିଥିବାବେଳେ, ଏବେ ଜୀବନ ଜିଇଁବାକୁ ନିଇତି ସଂଘର୍ଷ କରୁଛନ୍ତି । ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଛପର ଘରେ ଜୀବନ କାଟୁଛନ୍ତି । ଜିଲ୍ଲାରେ ଶିଶୁ ମଙ୍ଗଳ ସମିତି ଏବଂ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଥାଇ ମଧ୍ୟ ଏହି ୩ ଶିଶୁଙ୍କ ଭାଗ୍ୟ କିନ୍ତୁ ଅନ୍ଧାରରେ ।

ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ନାଏକ କେବଳ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନିଜର ଦାୟିତ୍ୱ ସାରିଦେଇଥିବା କହୁଥିବାବେଳେ ଯୋଡା ବ୍ଲକ ବିଡିଓ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରିଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ଏ ୩ ଶିଶୁଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡୁଛି ଓ କେବେ ଏମାନଙ୍କ ଭାଗ୍ୟ ବଦଳୁଛି ।