• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ । ତେଣେ ଗତ ୫ବର୍ଷ ଭିତରେ ବିଭିନ୍ନ କାରଣରୁ ୪୦୦ରୁ ଅଧିକ ହାତୀଙ୍କ ମୃତ୍ୟୁ ପରେ ବଢିଛି ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଚିନ୍ତା ।

ଲୌହ ଦାନବର ରକ୍ତ ଭୋଜି । ମାଲବାହୀ ଟ୍ରେନ୍ ଧକ୍କାରେ ଅକାଳରେ ଚାଲିଗଲା ତିନି ତିନିଟି ହାତୀଙ୍କ ଜୀବନ । ଘଟଣା ଗତକାଲି ସା ୭ଟା ବେଳର । ସ୍ଥାନ କେନ୍ଦୁଝର ଜିଲ୍ଲା ଯୋଡ଼ା ବେହେରା ହଟିଂ ନିକଟ ରେଳ ଲାଇନଲରେ । ଗତକାଲି ଦୁର୍ଘଟଣା ପରେ କ୍ଷତାକ୍ତ ଅବସ୍ଥାରେ ଦୀର୍ଘ ସମୟ ଧରି ଛଟପଟ ହେବା ପରେ ଆଖି ବୁଜିଦେଇଥିଲା । ସେମିତି ଆଉ ଏକ ଛୁଆ ହାତୀ ଟ୍ରେନରେ ପିଟି ହୋଇ ପାଖ ଡ୍ରେନରେ ପଡି ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଭୋର ୫ଟା ବେଳକୁ ଏକ ଆହତ ମାଈ ହାତୀର ବି ପ୍ରାଣବାୟୁ ଉଡ଼ି ଯାଇଥିଲା ।

 

ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ରେଲେଓ୍ୱ ଅନ୍ତର୍ଗତ ବାଂଶପାଣି-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ଗୁଡ୍ସ ଟ୍ରେନ୍, ରେଳ ଲାଇନ୍ ପାର ହେଉଥିବା ହାତୀ ପଲଙ୍କୁ ଧକ୍କା ଦେଇଥିଲା । ମାଲଦା ଜଙ୍ଗଲରେ ଡେରା ପକାଇଥିବା ୨୨ଟିକିଆ ହାତୀପଲ ବୈତରଣୀ ସଂରକ୍ଷିତ ଜଙ୍ଗଲ ଦେଇ ରେଳଧାରଣା ପାର୍ ହେବାବେଳେ ଘଟିଥିଲା ମର୍ମନ୍ତୁଦ । ଦୁର୍ଘଟଣା ଖବର ପାଇ ବନ ବିଭାଗ ଅଧିକାରୀ ଓ ରେଳବାଇ ରେସ୍କ୍ୟୁ ଟିମ୍ ପହଞ୍ଚିଥିଲେ । ରେଳ ଚଳାଚଳ ବନ୍ଦ ରଖି ରାତି ୧୨ଟା ସୁଦ୍ଧା ଜଗି ରହିଥିବା ହାତୀପଲଙ୍କୁ ଘଉଡ଼ାଇ ଉଦ୍ଧାର କାମ ଆରମ୍ଭ କରିଥିଲେ ।

ତାସତ୍ତ୍ୱେ ଗୋଟିଏ ଛୁଆ ଓ ମାଈ ହାତୀ ସମେତ ତିନିଟି ହାତୀଙ୍କ ଜୀବନ ଚାଲିଯାଇଥିଲା । ଆଜି ମୃତଦେହଗୁଡ଼ିକୁ ପୋତି ଦିଆଯାଇଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଛି । ପିସିସିଏଫ୍ ଶଶି ପଲ୍, ରାଉରକେଲା ଆରସିସିଏଫ୍ ଓ କେନ୍ଦୁଝର ଡିଏଫ୍ଓଙ୍କ ସହ ଚକ୍ରଧରପୁର ରେଳ ଡିଭିଜନର ଏଡିଆରଏମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଗତକାଲିର ଘଟଣା ପାଇଁ ବନ ବିଭାଗ ହେଉ କି ରେଲେଓ୍ୱ, କେହି ନିଜ ମୁଣ୍ଡକୁ ଦୋଷ ନନେଇ ପରସ୍ପରକୁ ଦୋଷାରୋପ କରିଛନ୍ତି ।

ରାଜ୍ୟରେ ଉଦବେଗଜନକ ହାରରେ ବଢି ଚାଲିଛି ହାତୀ ମୃତ୍ୟୁ ଘଟଣା । କେବେ ଟ୍ରେନ୍ ଧକ୍କା ତ କେବେ ବିଦ୍ୟୁତ୍ ଆଘାତ, ଗଜରାଜଙ୍କ ପାଇଁ ସାଜିଛନ୍ତି ଯମଦୂତ ।

୩୧ ଡିସେମ୍ବର ୨୦୧୨ରେ ଗଂଜାମ ଜିଲ୍ଲା ସୁବଳୟା ନିକଟରେ ଟ୍ରେନ୍ ଧକ୍କାରେ ଯାଇଥିଲା ୬ ହାତୀଙ୍କ ଜୀବନ । ୨୬ ଡିସେମ୍ବର ୨୦୨୧ ଟାଙ୍ଗୀ ରେଞ୍ଜ ଭୂଷଣ୍ଢପୁରରେ ରେଳଧାରଣା ପାର ବେଳେ ୧୦ଟିକିଆ ହାତୀପଲକୁ ଟ୍ରେନ ଧକ୍କା ଦେବାରୁ ୨ହାତୀଙ୍କ ମୃତ୍ୟୁ ହୋଇଥିଲା । ଖୋଦ୍ ଜଙ୍ଗଲ ମନ୍ତ୍ରୀ ଗତ ଡିସେମ୍ବର ୭ରେ ବିଧାନ ସଭାରେ ତଥ୍ୟ ରଖିଥିଲେ-ଗତ ୫ ବର୍ଷରେ ୪୦୬ ହାତୀଙ୍କ ମୃତ୍ୟୁ ହୋଇଛି । ଯାହା ମଧ୍ୟରୁ କେବଳ ଦୁର୍ଘଟଣାରେ ମରିଛନ୍ତି ୧୬୨ ।

ସେହିପରି ଟ୍ରେନ ଧକ୍କାରେ ୧୪, ବିଦ୍ୟୁତ୍ ଆଘାତରେ ୫୪ ଓ ଅନ୍ୟାନ୍ୟ କାରଣରୁ ୯୦ ହାତୀଙ୍କ ପ୍ରାଣହାନୀ ଘଟିଛି । ଏଣେ ଢେଙ୍କାନାଳ ଡିଏଫ୍ଓଙ୍କ ତଥ୍ୟ ଅନୁସାରେ ଗତ ୫ବର୍ଷରେ କେବଳ ଢେଙ୍କାନାଳରେ ୬୪ ହାତୀଙ୍କ ପ୍ରାଣ ଗଲାଣି । ସେଥିରୁ କରେଣ୍ଟ ଲାଗି ୨୦ ଗଜରାଜ ପ୍ରାଣ ହରାଇଛନ୍ତି । ତେବେ ଜିଲ୍ଲାରେ ହାତୀ ମୃତ୍ୟୁକୁ ରୋକିବାକୁ କପିଳାସ ଅଭୟାରଣ୍ୟରେ ରେଳପଥରେ ଓଭର ପାସ୍ ଅଧିକ ଉପାଦେୟ ହେବ । ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞ ବି କ୍ରମାଗତ ହାତୀ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।