• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜିକାଲି ବଜ୍ର ଘାତରେ ଯାଉଛି ଅନେକ ଜୀବନ । ବିଶେଷ କରି ହଠାତ୍‌ ମାରୁଥିବା ବିଜୁଳି ଲୋକଙ୍କର ପ୍ରାଣହାନୀ କରୁଛି । ତେଣୁ ଆକାଶରେ କଳାହାଣ୍ଡିଆ ମେଘ ଦେଖିବା ମାତ୍ରେ ଘରୁ ବାହାରକୁ ବାହାରିବାକୁ ଏବେ ଲୋକମାନେ ଭୟଭୀୟ କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି ? ଯଦି ପ୍ରତି ଗାଁରେ, ପ୍ରତି ବାଡିରେ ତାଳ ଗଛ ଲଗାଇବେ ତେବେ ଆପଣଙ୍କୁ ନିଶ୍ଚୟ ମିଳିବ ସୁରକ୍ଷା । ହଁ...ତାଳଗଛ ବଞ୍ଚାଇ ଦେବ ଆପଣଙ୍କ ଜୀବନ ।

ବେଲଗାମ ହେଉଛି ବଜ୍ରପାତ । କିଛି କ୍ଷଣରେ ଚାଲିଯାଉଛି ଜୀବନ । ବିଜ୍ଞାନ ଯେତେ ଆଗକୁ ଯାଉନା କାହିଁକି ଆକସ୍ମିକ ହେଉଥିବା ବଜ୍ରପାତକୁ କେମିତି ରୋକାଯାଇପାରିବ ଅଦ୍ୟାବିଧି ସେନେଇ କୌଣସି ସୂଚନା ଦିଆଯାଇପାରୁନାହିଁ । ହେଲେ ଏହି ବଜ୍ରପାତ ମୃତ୍ୟୁକୁ ତାଳଗଛ ରୋକିବାରେ ସଫଳ ହେବ ବୋଲି କୁହାଯାଉଛି । ଆଉ ଏଥିଲାଗି ଆମକୁ ହିଁ କରିବାକୁ ପଡ଼ିବ ବଡ଼ ପ୍ରୟାସ ।

ଢେଙ୍କାନାଳର ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍‌ ଶୁଭ୍ରାଂଶୁ ଏବେ ଏମିତି କାମ କରିବାକୁ ଅଂଟା ଭିଡିଛନ୍ତି ଯାହାକୁ ନେଇ ଚାରିଆଡେ ତାଙ୍କୁ ଚର୍ଚ୍ଚା କରାଯାଉଛି । ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରେ ବୁଲି ବଜ୍ରପାତରୁ କେମିତି ନିଜକୁ ବଂଚାଇ ପାରିବେ ସେହି ବାବଦରେ ଲୋକଙ୍କୁ ସଚେତନ କରିବା ସହ ତାଳମଞ୍ଜି ବୁଣି ତାଳବଣି ସୃଷ୍ଟି କରୁଛନ୍ତି । କେବଳ ଢେଙ୍କାନାଳ ଜିଲ୍ଲା କାହିଁକି ? ବରଂ ପଡ଼ୋଶୀ ଖୋର୍ଦ୍ଧାର ଟାଙ୍ଗୀ ଓ ବରୁଣେଇ ଅଞ୍ଚଳରେ ବି ଶୁଭ୍ରାଂଶୁ ତାଳମଞ୍ଜି ଲଗାଇବା ଆରମ୍ଭ କରି ସାରିଛନ୍ତି । ଆଗାମୀ ଦିନରେ ଆହୁରି ଗଛ ଲଗାଇବେ ବୋଲି ସେ ଦୃଢୋକ୍ତି ବି ପ୍ରକାଶ କରିଛନ୍ତି ।

ପୂର୍ବରୁ ଗାଁ-ଗଣ୍ଡାରେ ହଜାର ହଜାର ସଂଖ୍ୟାରେ ସୁଉଚ୍ଚ ତାଳଗଛ ଦେଖିବାକୁ ମିଳୁଥିଲା । ଯାହା ଏବେ ଲୋପ ପାଇବାକୁ ବସିଲାଣି । ଯେଉଁଥି ପାଇଁ ଦିନକୁ ଦିନ ଗ୍ରାମାଞ୍ଚଳରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କୁହାଯାଉଛି ଗାଁ ଗହଳିରୁ ତାଳଗଛ ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ମାଫିଆ ଆତଙ୍କ । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ବାହାର ରାଜ୍ୟର ମାଫିଆ ଗାଁ ଗଣ୍ଡାରେ ଲୋକଙ୍କୁ ଭୁଆଁ ବୁଲାଇ ଶାଗ ମାଛ ଦରରେ ଟ୍ରିପ ଟ୍ରିପ ତାଳଗଛ କାଟି ନେଉଛନ୍ତି । ଆଉ ଓଡ଼ିଶା ଲୋକ ଅକାରଣରେ ଜୀବନ ହାରୁଛନ୍ତି । ଯାହାକୁ ନେଇ ଚିନ୍ତା ବଢିବା ପରେ ଶୁଭ୍ରାଂଶୁଙ୍କର ଏପରି ପଦକ୍ଷେପକୁ ନେଇ ଚର୍ଚ୍ଚା ବଢିଛି ।

 

  • Reported by:
  • RAJASHREE SATAPATHY