/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691254702.jpg)
Special Story
ନଈ କୂଳ. ସେଇଠି ପୁଣି ମନ୍ଦିର । ସକାଳୁ ସଂଜ ସବୁଦିନ ଏଇଠି ବାଜୁଛି ବଂଶୀ । ସ୍ୱର ଏତେ ସ୍ପଷ୍ଟ ଓ ମଧୁର ଯେ ରାସ୍ତାରେ ଯିବା ଲୋକ ବାଟ ହୁଡନ୍ତି, କିଛି ସମୟ ଅଟକିଯାଇ ବଂଶୀ ଶୁଣନ୍ତି । ଗୀତ ପ୍ରେମୀ ଲୋକ ତ ବେଳେଳେ ଏମିତି ମଜିଯାଆନ୍ତି ଯେ ନିଜ କାମକୁ ବି ପଶୋରି ଦିଅନ୍ତି ।
ସନ୍ତୋଷ ମୁଖୀ । ପେଶାରେ ସିଏ ଜଣେ ଝାଡୁଦାର । ଆନନ୍ଦପୁର ଉପଖଣ୍ଡ ମେଡିକାଲ ଓ ଝାଡେଶ୍ୱର ମନ୍ଦିରରେ ଝାଡୁ ମାରିବା ତାଙ୍କପର ପେଶା । ହେଲେ ନିଶା ତାଙ୍କର ବଂଶୀ ବଜାଇବା । ସେଇଥି ପାଇଁ ତ କାମରୁ ଫୁରସତ ମିଳିବା ମାତ୍ରେ ମନ୍ଦିରକୁ ଧାଇଁ ଆସନ୍ତି । ଆଉ ମନଇଚ୍ଛା ବଂଶୀ ବଜାନ୍ତି । କେତେବେଳେ ଅଧଘଂଟା ପାଇଁ ତ ଆଉ କେତେବେଳେ ଘଂଟାଏରୁ ଅଧିକ ସମୟ ବଜାନ୍ତି ବଂଶୀ ।
ଆଜି କି କାଲି ନୁହେଁ ବରଂ ଅନେକ ଦିନ ହେଲାଣି ବଂଶୀ ବଜାଉଛନ୍ତି ସନ୍ତୋଷ । ଜାଣିଆଶ୍ଚର୍ଯ୍ୟ ହେବେ କି ବଂଶୀ ବାଦନ ଲାଗି ସେ କୌଣସି ତାଲିମ ବି ନେଇ ନାହାନ୍ତି । ବରଂ ବାପା ବଂଶୀ ବଜାଉଥିଲେ । ପିଲାଟି ଦିନରୁ ତାଙ୍କୁ ଦେଖି ଦେଖି ବଂଶୀ ବଜାଇବା ଶିଖିଲେ । ଆଉ ଏବେ ପ୍ରତିଦିନ ମନ୍ଦିର ପରିସରରେ ଏମିତି ବଂଶୀ ବଜାଉଛନ୍ତି ଯେ ଲୋକେ ଛିଡା ହୋଇ ଶୁଣିବାକୁ ବାଧ୍ୟ ହେଉଛନ୍ତି ।
କଥାରେ ଅଛି କଳା ଯାହାଙ୍କ ପାଖରେ ଥିବ ତାହା ନିଶ୍ଚୟ ପରିପ୍ରକାଶ ହେବ । ତେଣୁ ପେଶାରେ ଜଣେ ଝାଡୁଦାର ହୋଇଥିବା ପରେ ବି ବଂଶୀ ବଜାଇବା ତାଙ୍କର ନିଶା ହୋଇଥିବାରୁ ପ୍ରତିଦିନ ନିଜ ବହୁମୂଲ୍ୟ ସମୟରୁ କିଛି ସମୟ ବାହାର କରି ବଜାଉଛନ୍ତି ବଂଶୀ ।
(ଆନନ୍ଦପୁରରୁ ମୁନା ସିଂହଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)