• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଡାଏଲଗ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିବ । ଅଭିନୟକୁ ସରିବା ଯାଏଁ ଦେଖିବାକୁ ମନ ହେବ । ଖାଲି ଅଭିନୟ କାହିଁକି ନୃତ୍ୟରେ ବି ସେ ବେଶ୍‌ ପ୍ରବୀଣ । ପୂରା ତାଳ ଲୟରେ ପାଦରେ ନୁପୁର ବାନ୍ଧି ନାଚ ଅଭ୍ୟାସରେ ସେମାନେ ପୂରା ମଗ୍ନ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି ପରଫେକ୍ଟ ଅଭ୍ୟାସ କରିବେ ଆଉ ଦର୍ଶକଙ୍କ ହୃଦୟ ଜିତିବେ ।

ଯାଜପୁର କୋରେଇ ବ୍ଲକ୍‌ ଅମୃତିଆ ଗାଁର ଶାନ୍ତିଲତା ମହାପାତ୍ର । ପିଲାଦିନରୁ ଲେଖାଲେଖି ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ସେଇଥି ପାଇଁ ତ ଅନେକ ନାମୀଦାମୀ ଯାତ୍ରା ଅନୁଷ୍ଠାନ ତାଙ୍କ ଦ୍ୱାରା ଲେଖା ନାଟକ ପରିବେଷଣ କରିଛନ୍ତି l ଆଉ ନାଟକ ପରିବେଷଣ ପରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଖଣ୍ଡେ ଖଣ୍ଡେ ବହି ଦିଅନ୍ତି । କହି ଯାଆନ୍ତି ଆମେ ତୁମ ନାଟକ ପରିବେଷଣ କରିଛୁ l ବାସ ସେତିକିରେ ଶାନ୍ତିଲତାଙ୍କର ଖୁସି କହିଲେ ନ ସରେ । ଅନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ବହିକୁ ନେଇ ଅତି ଯତ୍ନରେ ଟ୍ରଙ୍କରେ ରଖିଦିଅନ୍ତି ।

ଜାଣିଆଶ୍ଚର୍ଯ୍ୟ ହେବେ କି କେବଳ ଲେଖାଲେଖି ନୁହେଁ ବରଂ ହାରମୋନିୟମ୍‌ ବଜାଇବା..ନାଚ ଶିଖାଇବାରେ ଶାନ୍ତିଲତାଙ୍କ ପାସଙ୍ଗରେ କେହି ପଡିବେ ନାହିଁ । ସେଇଥି ପାଇଁ ତ ପାଖ ସ୍କୁଲପିଲାଙ୍କୁ ନାଚ ସହିତ ଶିଖାଉଛନ୍ତି ନାଟକ । ତେଣୁ ଶାନ୍ତିଲତାଙ୍କ ଘର ଏବେ ପାଲଟିଛି ଜେଜେ ମା’ର ଆଖଡାଶାଳ। । ସବୁଠାରୁ ବଡ଼କଥା ହେଲା ସ୍କୁଲ ପିଲାଙ୍କୁ ବିନା ମୂଲ୍ୟରେ ଶାନ୍ତିଲତା ଏ ସବୁ ଶିକ୍ଷା ପ୍ରଦାନ କରୁଛନ୍ତି । ତେଣୁ ପିଲାମାନେ ବହୁ ସଂଖ୍ୟାରେ ନାଚ ଓ ନାଟକ ଶିଖିବାକୁ ଲଗାଉଛନ୍ତି ଲମ୍ବା ଲାଇନ୍‌ ।

ପିଲାଙ୍କୁ ନାଟକ ଶିଖାଇବାରେ ଶାନ୍ତିଲତା ଏମିତି ମଜିଯାଉଛନ୍ତି ଯେ ନିଜ ବୟସକୁ ବି ସେ ଭୁଲିଯାଉଛନ୍ତି । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ପିଲାମାନେ କେମିତି ଭଲ ନାଚିବେ ଓ ନାଟକ ପରିବେଷଣ କରିବେ । ଜେଜେ ମାଆଙ୍କ ଆଖଡାଶାଳରୁ ନୃତ୍ୟ ଶିଖି ଅନେକ ପୁରସ୍କାର ପାଉଛନ୍ତି ପିଲା ।

ତାଙ୍କ ବାପା ଥିଲେ ବ୍ରିଟିଶ ଅମଳର ଜଣେ ଓକିଲ l ତେଣୁ ଶାନ୍ତିଲତାଙ୍କୁ ଘରେ ପାଠ ପଢ଼ିବାର ସୁଯୋଗ ମିଳୁଥିଲା l ସ୍କୁଲରେ ପଢିଲାବେଳେ ସେ ଲୁଚିଲୁଚି ରଫ ଖାତାରେ କବିତା ଲେଖନ୍ତି । ହେଲେ ବାପା ଦିନେ ଦେଖିଦେବା ପରେ ଚିରିଦେଇଥିଲେ କାଗଜ । କିନ୍ତୁ ପରେ ତାଙ୍କ କବିତା ଖବର କାଗଜରେ ପ୍ରକାଶିତ କରିବାକୁ ବାପା ଦେବା ପରେ କବିତା ଲେଖିବା ପାଇଁ ଅଧିକ ପ୍ରେରଣା ପାଇଥିଲେ ଶାନ୍ତିଲତା । ମାତ୍ର ୧୫ ବର୍ଷରେ ବାହା ହୋଇଥିଲେ ସେ...ନିଜର କଳା ଲାଗି ଅନେକ ସ୍ଥାନରେ ସେ ପୁରସ୍କୃତ ବି ହୋଇଛନ୍ତି ।

 

କଥାରେ ଅଛି ବଣମଲ୍ଲୀ ବଣରେ ଫୁଟି ମଉଳିଯାଏ ସତ କେହି ତାହାର ବାସ୍ନା ପାଇପାରନ୍ତି ନାହିଁ । ଠିକ୍‌ ସେମିତି ଶାନ୍ତିଲତାଙ୍କ ପାଖରେ ଅନେକ ଗୁଡିଏ କଳା ଥିଲେ ମଧ୍ୟ ଆଜି ତାଙ୍କୁ ଯେତିକି ସମ୍ମାନ ମିଳିବାର କଥା ସେତିକି ମିଳୁନି । ତେଣୁ ବୟସର ଅପରାହ୍ନରେ ପହଂଚିବା ପରେ ପିଲାଙ୍କୁ ସେ ଯେମିତି ଟ୍ରେନିଂ ଦେଉଛନ୍ତି ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।

 

  • Reported by:
  • JANMEJAY DASH