• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଇଏ ଏମିତି ସ୍କୁଲ, ଯେଉଁଠି ଶୁକ୍ରବାର ଛୁଟି ରବିବାର ଖୋଲା । ଆଶ୍ଚର୍ଯ୍ୟ ଲାଗୁଛି କି? ଭାବୁଥିବେ ରାଜ୍ୟର ସବୁ ସରକାରୀ ସ୍କୁଲ ତ ରବିବାର ବନ୍ଦ ରୁହେ, ଶୁକ୍ରବାର ଛୁଟି ନଥିଲେ ଖୋଲା ରହେ । ଇଏ ଏମିତି କେଉଁ ସ୍କୁଲ ଯେ ଶୁକ୍ରବାର ବନ୍ଦ ରହୁଛି, ରବିବାର ଖୋଲା ରହୁଛି । କଟକ ଜିଲ୍ଲାରେ ଅଛି ଏହି ବିଦ୍ୟାଳୟ । ଯେଉଁଠି ସବୁ ଶୁକ୍ରବାର ଛୁଟି ରହୁଛି ସ୍କୁଲ । ଆଉ ରବିବାର ପିଲାମାନେ ପଢୁଛନ୍ତି ପାଠ । ହେଲେ କାହିଁକି ଏମିତି ନିୟମ ହୋଇଛି ତାହା ଜାଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ ।

ଟାଙ୍ଗୀ ଚୌଦ୍ଵାର ବ୍ଲକ ବ୍ରହ୍ମପୁର ପଞ୍ଚାୟତ ଜେମାଦେଇପୁର ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ପାଖରେ ମସଜିଦ୍‌ ଲାଗିରହିଛି । ପ୍ରତି ଶୁକ୍ରବାର ଏଠାରେ ପ୍ରାର୍ଥନା କରାଯାଉଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବା ନେଇ ଆଶଙ୍କା ରହିଥିଲା । ତେଣୁ ସ୍କୁଲ ନିର୍ମାଣ ହେଲା ଦିନଠାରୁ ହିଁ ଶୁକ୍ରବାର ବନ୍ଦ ଓ ରବିବାର ପାଠ ପଢା ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଆଉ ସେବେଠାରୁ ଏହି ନିୟମ କାର୍ଯ୍ୟକାରୀ ହୋଇ ଆସୁଛି ।

୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିବା ସ୍କୁଲରେ ଉଭୟେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ପିଲା ପାଠ ପଢନ୍ତି । ବିଦ୍ୟାଳୟକୁ ଲାଗି ମସଜିଦ ଥିବାରୁ ବିଦ୍ୟାଳୟ ପ୍ରତିଷ୍ଠା ଦିନରୁ ଏହି ନିୟମ ଚାଲୁଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଶିକ୍ଷକ ଓ ଛାତ୍ରମାନେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୁକ୍ରବାର ବଦଳରେ ରବିବାର ସ୍କୁଲ ଖୋଲା ହେବା କଥା ଜାଣିବା ପରେ ଆମ ରିପୋର୍ଟର ପହଞ୍ଚିଥିଲେ ସ୍କୁଲରେ । ଆଉ ଟିମ୍‌ ପହଞ୍ଚିବା ପରେ ଦେଖିଥିଲେ କି ଶିକ୍ଷକମାନେ ଡ୍ରେସ୍‌କୋଡ୍‌ ପିନ୍ଧିନଥିଲେ । ମଧ୍ୟାହ୍ନ ଭୋଜନ ବଦଳରେ ଚୁଲିରେ ବସିଥିଲା ଚା’ । ସେପଟେ ସ୍କୁଲର ଏମିତି ନିୟମ ସମ୍ପର୍କରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । କହିଛନ୍ତି, ପ୍ରତି ସ୍କୁଲ ରବିବାର ବନ୍ଦ ରହୁଥିବା ବେଳେ ଏହି ସ୍କୁଲ ଶୁକ୍ରବାର ବନ୍ଦ ରହୁଛି ଯାହା ଠିକ୍‌ ଲାଗୁନି । ପୂରା ଘଟଣା ସଂପର୍କରେ ବିଇଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ ।