• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାକ୍ଷୀକୁ ନେଇ ସବୁଠି ଟ୍ରେଣ୍ଡ୍ । ରକ୍ଷା ବନ୍ଧନରେ ଭାଇ-ଭଉଣୀର ସ୍ନେହ ଓ ସମ୍ପର୍କର ରଜ୍ଜୁକୁ ନେଇ ବ୍ୟବସାୟ ବି ଖୁବ୍ ଜମେ । ଆଗରୁ ଚାଇନା ପ୍ରସ୍ତୁତ ଏବଂ ଜରି ଓ ପ୍ଲାଷ୍ଟିକ ରାକ୍ଷୀକୁ ନେଇ ଲୋକଙ୍କ ଭିତରେ ଥିଲା ଚାହିଦା । ଏବେ କିନ୍ତୁ ସମୟ ସାଙ୍ଗକୁ ବଦଳିଛି ଲୋକଙ୍କ ରୁଚି । ଲୋକେ ସଚେତନ ହେବା ପରେ ପରିବେଶ ଉପଯୋଗୀ ରାକ୍ଷୀର ଚାହିଦା ବଢ଼ିଛି । ମୟୂରଭଞ୍ଜ , ସମ୍ବଲପୁର ଓ ପୁରୀରେ କେମିତି ଏବଂ କିଏ ତିଆରି କରୁଛନ୍ତି ଏମିତି ରାକ୍ଷୀ ।

ରଙ୍ଗୀନ, ଚକାଚକ୍, ମନଲୋଭା । ଖୋଲାରେ ଯେତିକି ସୁନ୍ଦର, ପ୍ୟାକେଟରେ ତା’ଠୁ ଅଧିକ ଆକର୍ଷଣୀୟ । ଏ ରାକ୍ଷୀ ପ୍ଲାଷ୍ଟିକ ନୁହେଁ, କି ବିଦେଶରୁ ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଆଉ ପରିବେଶ ଉପଯୋଗୀ । ସବାଇ ଘାସ, ଖଜୁରୀ ପତ୍ର, ତୁଳା ସୂତା ଓ ପ୍ରାକୃତିକ ରଙ୍ଗରୁ ତିଆରି ଏ ରାକ୍ଷୀ ସବୁ ପ୍ରସ୍ତୁତ ହେଉଛି ମୟୂରଭଞ୍ଜରେ । ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଲା କିଛି ବର୍ଷ ହେବ ପ୍ରସ୍ତୁତ କରିଆସୁଛନ୍ତି ଏଭଳି ଇକୋ ଫ୍ରେଣ୍ଡଲୀ ରାକ୍ଷୀ । ଯାହାର ଚାହିଦା ଏବେ ଖାଲି ଜିଲ୍ଲା ଭିତରେ ନୁହେଁ, ରାଜ୍ୟ ଓ ରାଜ୍ୟ ବାହାରେ ପହଞ୍ଚିଲାଣି । ମୟୂରଭଞ୍ଜର ଏ ପରିବେଶ ଉପଯୋଗୀ ରାକ୍ଷୀ ଏବେ ଇ-କମର୍ସ ସାଇଟରେ ଉପଲବ୍ଧ ହେବା ସହ ମୟରୁଶିଳ୍ପ ୱେବସାଇଟରେ ମିଳିପାରୁଛି । ତା’ ସାଙ୍ଗକୁ ମୟୂରଭଞ୍ଜରେ ବିଭିନ୍ନ ଷ୍ଟଲ ଓ ସପିଙ୍ଗ ମଲରେ ମିଳୁଛି ଏଭଳି ସବାଇ ଘାସର ରାକ୍ଷୀ ।

ଏପଟେ ସମ୍ବଲପୁରରେ କିଛି ଯୁବ ଉଦ୍ୟମୀ ମଧ୍ୟ ତିଆରି କରୁଛନ୍ତି ଖାଣ୍ଟି ସମ୍ବଲପୁରୀ ରାକ୍ଷୀ । ସମ୍ବଲପୁରୀ କପଡ଼ା, ଅଠା, ସୂତା ଏବଂ ଆଉ କିଛି ସାଜସଜା ସାମଗ୍ରୀରେ ତିଆରି କରୁଛନ୍ତି ଏମିତି ଭଳିକି ଭଳି ପରିବେଶ ଉପଯୋଗୀ ରାକ୍ଷୀ । ଯାହା କେବଳ ଦେଖିବାକୁ ଆକର୍ଷଣୀୟ ନୁହେଁ, ବରଂ କିଣିବା ଲାଗି ପକେଟକୁ ସୁହାଇବା ଭଳି । ଖାଲି ସମ୍ବଲପୁର ସହର ନୁହେଁ, ବରଂ ସହର ବାହାରେ ବି ଏ ରାକ୍ଷୀର ଏବେ ବେଶ୍ ଚାହିଦା ।

ସ୍ୱତନ୍ତ୍ର ପରିବେଶ ଉପଯୋଗୀ ରାକ୍ଷୀ ପ୍ରସ୍ତୁତିରେ ଆଉ ଦୁଇ ପାଦକୁ ଯାଇଛନ୍ତି ପୁରୀ ପେଣ୍ଠକଟା ତାରିଣୀ ବସ୍ତୀର ଏ କୁନି କୁନି ପିଲା । ଏମାନେ ପ୍ରସ୍ତୁତ କରୁଥିବା ରାକ୍ଷୀର କଞ୍ଚାମାଲ ହେଉଛି କ୍ଷୀର, ଦହି, ଘିଅ, ଗୋବର ଓ ଗୋମୂତ୍ର । ଏହି ପଞ୍ଚଗବ୍ୟ ରାକ୍ଷୀ ଭିତରେ ରହିଛି ବିଭିନ୍ନ ଫଳ ଓ ଫୁଲ ଗଛର ମଞ୍ଜି । ଉଦ୍ଦେଶ୍ୟ ରାକ୍ଷୀଟି ବ୍ୟବହାର ପରେ ଯେଉଁଠି ପଡ଼ିବ, ସେଇଠୁ ସୃଷ୍ଟି ହେବ ଏକ ନୂଆ ଜୀବନ । ପରମ୍ପରା ମାଧ୍ୟମରେ ପରିବେଶ ସୁରକ୍ଷାର ଏ ସୁନ୍ଦର ପରିକଳ୍ପନା କରି ଏଭଳି ରାକ୍ଷୀ ପ୍ରସ୍ତୁତି ଲାଗି ପ୍ରୋତ୍ସାହନ ଯୋଗାଇ ଦେଇଛି ପୁରୀର ଅନ୍ୱେଷଣ ସଂସ୍ଥା।

  • Reported by:
  • MADHUSUDAN MISHRA , SANJAY JENA , MANIK Lal PANI