• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଛିନଛତର ହୋଇ ଜିନିଷ ପଡିଛି । ଛାତରୁ ଖଣ୍ଡଖଣ୍ଡ ହୋଇ ପ୍ଲାଷ୍ଟର ଖସୁଛି । ଇଲେକ୍ଟ୍ରିକ୍‌ ବୋର୍ଡ ଭାଙ୍ଗି କାନ୍ଥରେ ଝୁଲୁଛି ତ ସୋଫା ଉପରେ ପରସ୍ତେ ପରସ୍ତେ ମଳି ବସିଗଲାଣି । ଏପରି ଦୃଶ୍ୟ କାହା ଘର ଦେଖିବାକୁ ମିଳିଛି ତାହା ନୁହେଁ ବରଂ ସରକାରୀ ଡାକବଙ୍ଗଳାର । ହଁ...ଡାକବଙ୍ଗଳାର ଦେଖିବାକୁ ମିଳିଛି ଏମିତି ଭୟଙ୍କର ଦୃଶ୍ୟ । ମାଟିରେ ମିଶିବାକୁ ବସିଛି ନରସିଂହପୁର ଗଡ଼ଜାତ ଅଞ୍ଚଳର ସର୍ବ ପୁରାତନ ସ୍ମୃତି ଇନ୍ଦ୍ରଭବନ । ବ୍ୟବହାର ନହେଉଥିବାରୁ ଏଠାରେ ଏବେ ମଦୁଆଙ୍କର ଆଡ୍ଡାସ୍ଥଳୀ ହେଲାଣି । ସକାଳୁ ସଂଜ...ଅସାମାଜିକ ଲୋକଙ୍କ ଜମୁଛି ଭିଡ । ସରକାରୀ ଡାକବଙ୍ଗଳାର ଏମିତି ସ୍ଥିତି ହୋଇଥିବାରୁ ସ୍ଥାନୀୟ ଅଂଚଳରେ ତେଜିବାରେ ଲାଗିଛି ଅସନ୍ତୋଷ ।

ସ୍ଥିତି ଏମିତି ହେଲାଣି ଯେ ନିଜର ପରିଚିୟ ଏବେ ଖୋଜୁଛି ଇନ୍ଦ୍ର ଭବନ ଡାକବଙ୍ଗଳା । ଦିନେ ସମୟ ଥିଲା ବଡ ବାବୁମାନେ ସରକାରୀ ଗସ୍ତ ସମୟରେ ଏଠାରେ ବିଶ୍ରାମ ନେଉଥିଲେ । ହେଲେ ଏବେ ଏହି ଘର ଭିତରକୁ ପଶୁ ବି ପ୍ରବେଶ କରୁନାହାନ୍ତି । ଇନ୍ଦ୍ରଭବନ ଡାକବଙ୍ଗଳା ୮୦ ଦଶକରେ ମା’ ଓ ମମତା ଫିଲ୍ମର ସୁଟିଂ ବି ହୋଇଥିଲା । ଖାଲି ଫିଲ୍ମ ସୁଟିଂ କାହିଁକି ? ଅନେକ ଆଲବମ୍‌ ବି ଏଠାରେ ସୁଟିଂ କରାଯାଇଥିବା କୁହାଯାଏ । ରାଜସ୍ୱ ବିଭାଗ ଅଧିନରେ ଥିବା ଡାକବଙ୍ଗଳାର ସେ ସମୟରେ ଭାରି ଖାତିର ଥିଲା । ହେଲେ ଏବେ ଭଗ୍ନସ୍ତୂପ ପାଲଟିଗଲାଣି ।

ଇନ୍ଦ୍ରଭବନ ପାହାଡ଼ ଉପରେ ଥିବା ବଙ୍ଗଳାର ସଠିକ୍‌ ଭାବରେ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଆସବାବପତ୍ର ସଂପୂର୍ଣ୍ଣ ଭାଙ୍ଗିରୁଜି ଯିବା ସହିତ ସରୀସୃପ ଏବଂ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । ପ୍ରଶାସନ ସ୍ତରରେ ହେଉ କି ପର୍ଯ୍ୟଟନ ବିଭାଗ ହେଉ...ଡାକବଙ୍ଗଳାର ରକ୍ଷଣାବେକ୍ଷଣ ଲାଗି ସତେ ଯେମିତି କାହାର ନିଘା ନାହିଁ । ତେଣୁ ଅବହେଳିତ ଅବସ୍ଥାରେ ପଡିରହିଛି ଡାକବଙ୍ଗଳା ।

ସ୍ୱର୍ଗତ ରାଜା ଅନନ୍ତ ନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର ନରସିଂହପୁର ବ୍ଲକରେ ତିନୋଟି ଡାକ ବଙ୍ଗଳା ନିର୍ମାଣ କରିଥିଲେ । ନରସିଂହପୁର ଇନ୍ଦ୍ର ଭବନ ପାହାଡ଼ ଉପରେ ଇନ୍ଦ୍ରଭବନ ଡାକ ବଙ୍ଗଳା, ପଦାମାଳଠାରେ ବସନ୍ତ ଭବନ ଏବଂ ବାଲିଝରିଠାରେ ଅଳକା ଭବନ । ତିନୋଟି ଡାକବଙ୍ଗଳା ମଧ୍ୟରୁ ଇନ୍ଦ୍ରଭବନ ଡାକବଙ୍ଗଳା ସମସ୍ତଙ୍କ ପ୍ରିୟ । ହେଲେ ଏବେ ଏଠାକୁ କେହି ଆସୁନାହାନ୍ତି । ପୂର୍ବରୁ ଜଗୁଆଳୀ ଜଣେ ଥିଲେ ହେଲେ ତାଙ୍କ ଅବସର ପରେ ସବୁ ଜିନିଷ ପତ୍ର ଚୋରି ହୋଇଗଲାଣି ।

ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡାକବଙ୍ଗଳାର ରକ୍ଷଣାବେକ୍ଷଣ ଲାଗି ପ୍ରଶାସନ ପାଖରେ ବାରମ୍ବାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ପ୍ରଶାସନ କି ପର୍ଯ୍ୟଟନ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଚିନ୍ତା ବଢିଛି । ସ୍ଥିତି ଏମିତି ହେଲାଣି ଯଦି ଏବେଠୁ ଏହାର ମରାମତି ନହେବ ତେବେ ଆଗାମୀ ଦିନରେ ବଙ୍ଗଳା ସଂପୂର୍ଣ୍ଣ ଭୁଶୁଡି ପଡିଯିବ ସେନେଇ କୌଣସି ସନ୍ଦେହ ନାହିଁ । ସେପଟେ ତହସିଲଦାର କହୁଛନ୍ତି ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ।

 

  • Reported by:
  • SARBESWAR SWAIN