• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଗା ଦର୍ଶନ ପାଇଁ ପୁରୀ ଆସୁଥିବା ଗରିବଗୁରୁବା ଭକ୍ତ ଭୋଗୁଛନ୍ତି ଅକଥନୀୟ ରାତ୍ରୀ ରହଣୀ ଯନ୍ତ୍ରଣା । ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର କଡ଼ରୁ ମଠବାଡ଼ି ଓ ଲଜିଂ ସବୁ ଧ୍ୱଂସ ପାଇଥିବାରୁ ଏବେ ବଡ଼ଦାଣ୍ଡର ଖୋଲା ଆକାଶ ସେମାନଙ୍କ ସାହା । ଏଭଳି ସ୍ଥିତି ପାଇଁ କ୍ଷୁବ୍ଧ ହେଲେଣି ବିଭିନ୍ନ ମଠର ମହନ୍ତ । ତେଣେ ପ୍ରଶାସନ କହୁଛି, ସ୍ୱଳ୍ପମୂଲ୍ୟରେ ଭକ୍ତଙ୍କ ରହଣୀ ପାଇଁ ଧର୍ମଶାଳା ନିର୍ମାଣ କରୁଛୁ ।

ମାଟିରେ ମିଶିଛି ମଠବାଡ଼ି । ଧୂଳିସାତ୍ ହୋଇଛି ଧର୍ମଶାଳା । ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତ ରାତି ରାତି ବଡ଼ଦାଣ୍ତରେ ପଡ଼ିରହିଛନ୍ତି । କିଏ ବଡ଼ଦାଣ୍ଡରେ ପିଲାଛୁଆ ଧରି ଶୀତ କାକରରେ ରାତି ବିତାଉଛି ତ ପୁଣି କିଏ ବ୍ୟାରିକେଡ୍ ଭିତରେ ମଶା ଡାଆଁଶଙ୍କ ଦାଉରେ ଶୋଇବା ଚେଷ୍ଟା କରୁଛି । ପୁଣି କାହା ପାଇଁ ସାହାରା ପାଲଟୁଛି ଦୋକାନ ପିଣ୍ଢା ।

ଗଂଜାମରୁ ଆସିଥିବା କିଛି ବୟସ୍କ ଭକ୍ତ, କାର୍ତ୍ତିକ ମାସରେ ଜଗା ଦର୍ଶନ ଲାଳସାରେ ସବୁ ବର୍ଷ ଆସନ୍ତି, ସ୍ୱଳ୍ପ ମୂଲ୍ୟ ଦେଇ ମନ୍ଦିର ପାଖ ମଠବାଡ଼ିରେ ରହିଯାନ୍ତି । ହେଲେ ଏସନ କିନ୍ତୁ ସେମାନଙ୍କ ଭାଗ୍ୟରେ ସେ ସୁଯୋଗ ଜୁଟିଲାନି । କାରଣ ସେମାନେ ଯେଉଁ ମଠରେ ରହୁଥିଲେ, ତାହା ଭାଙ୍ଗିଯାଇଛି । ସରକାର ଏମିତି କରିଥିବା ଶୁଣି ଭାଗ୍ୟକୁ ଆଦରି ମନ୍ଦିର କଡ଼ରେ ପଡ଼ିଛନ୍ତି, ଖୁବଶୀଘ୍ର ଗାଁକୁ ଫେରିଯିବେ ବୋଲି କହୁଛନ୍ତି ।

ଦୀନ ଦରିଦ୍ରଙ୍କ ବନ୍ଧୁ ବୋଲାଉଥିବା ଜଗନ୍ନାଥଙ୍କ ଧାମରେ ପୁଣି ଭକ୍ତଙ୍କର ଏଭଳି ଅବସ୍ଥା ? ଯାହାଙ୍କ ପାଇଁ ମନ୍ଦିର କଡ଼ରେ ଶହ ଶହ ବର୍ଷ ଧରି ମଠ ବାଡ଼ି ଛିଡ଼ା ହୋଇଥିଲା, ସେମାନେ ଆଜି ଶୀତ କାକରରେ ବଡ଼ଦାଣ୍ଡରେ ସଢୁଛନ୍ତି କାହିଁକି ? ନା ଶ୍ରୀମନ୍ଦିର ପ୍ରଶାସନର ନିଘା ଅଛି, ନା ଜିଲ୍ଲା ପ୍ରଶାସନ ସାମାନ୍ୟତମ ବ୍ୟବସ୍ଥା କରୁଛି ।

ତଥ୍ୟ କହୁଛି- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପାଖାପାଖି ୧୮ଟି ଛୋଟବଡ଼ ମଠ ମାଟିରେ ମିଶିଛି । କେବଳ ମହନ୍ତ ଓ ଠାକୁରଙ୍କ ବିଜେ ସ୍ଥଳୀ ଛାଡ଼ି ବାକି ସବୁ ଅଞ୍ଚଳ ନିଶ୍ଚିହ୍ନ ହୋଇଛି । ସେମିତି ମନ୍ଦିର କଡ଼ରେ ଥିବା ଅନେକ ଛୋଟବଡ଼ ଲଜିଂ ଓ ଧର୍ମଶାଳାର ବି ସମାନ ଅବସ୍ଥା । ତେଣୁ ମଠ ସଂପତ୍ତି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯିବା ପରଠୁ ସେସବୁକୁ ଏବେ ମୋଟା ଅଙ୍କରେ ବିକ୍ରି ପାଇଁ ମସୁଧା ଚାଲିଥିବା ବି ଅଭିଯୋଗ କଲେଣି ମହନ୍ତ । ହେଲେ ଏଭଳି ଅଭିଯୋଗକୁ କିନ୍ତୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି ମଠ ଗୁଡ଼ିକର ପୁନରୁଦ୍ଧାର ଚେଷ୍ଟା ଚାଲିଛି । ଆସନ୍ତା ରଥଯାତ୍ରା ପୂର୍ବରୁ ସେ କାମ ସାରିବାକୁ ଲକ୍ଷ୍ୟ ରହିଛି ।

ସେହିପରି ପୁରୀ ଜିଲ୍ଲାପାଳ କହିଛନ୍ତି- ହବିଷ୍ୟାଳୀଙ୍କ ରହଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଆଗକୁ ସ୍ୱଳ୍ପ ମୂଲ୍ୟରେ ୪ହଜାର ଭକ୍ତଙ୍କ ରହଣୀ ପାଇଁ ବାସେଳି ସାହିରେ ଧର୍ମଶାଳା ନିର୍ମାଣ ଚାଲିଛି । ଏବେ ଦେଖିବାର କଥା, ପୁରୀରେ ଗରିବ ଗୁରୁବା ଭକ୍ତଙ୍କୁ ପ୍ରଶାସନ କେବେ ସ୍ୱଳ୍ପମୂଲ୍ୟରେ ଯୋଗାଇ ଦେଉଛି ରହଣୀ ବ୍ୟବସ୍ଥା ।

  • Reported by:
  • PRADEEP MAHANTY , MADHUSUDAN MISHRA