• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଏଲି ମୋତେ ଭୁଲ୍ ବୁଝିବ ନାହିଁ । ମା ଓ ଛୁଆକୁ ଦେଖିବା ପାଇଁ ଘରକୁ ଆସିଥିଲି । ମୋତେ ଏତେ ବଡ଼ ରୋଗ ହୋଇଛି ବୋଲି ଜାଣିଥିଲେ କେବେ ବି ବିବାହ କରିନଥାନ୍ତି । ଜାଣିଶୁଣି ମୁଁ ତୁମକୁ ଧୋକା ଦେଇନି । ମୋତେ କ୍ଷମା କରିଦେବ । ମୋ ରୋଗ ଏବେ ଚତୁର୍ଥ ଷ୍ଟେଜରେ ଅଛି, ଯାହା କେବେ ଠିକ ହେବନାହିଁ । ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା, ସେତିକି ଟଙ୍କାରେ ମୋ ଝିଅ ପାଠ ପଢ଼ିପାରିବ । ବାପା,ମା, କାକା , କାକୀ , ସ୍ତ୍ରୀ , ଝିଅ , ଭଉଣୀ , ଶାଶୂ , ଶ୍ୱଶୁର କେହି ଭୁଲ ବୁଝିବନି ’ । ଏପରି ଚିଠି ଲେଖି ଘର ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି ଯୁବକ ।

ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ସରିସା ଗ୍ରାମର ଜଣେ ଯୁବକ ଗତକାଲି ତାଙ୍କ ଘରେ ଏକ ଚିଠି ଛାଡ଼ି ଯାଇଛନ୍ତି । ରୋଗ ହୋଇଯାଇଥିବାରୁ ସେ ଘର ଛାଡ଼ି ଯାଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଚିଠି ପଢ଼ିବା ପରେ ଘରେ କାନ୍ଦବୋବାଳି ପଡ଼ିଛି । ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ ସରିସା ଗ୍ରାମର ଉତ୍ତମ କୁମାର ପଣ୍ଡା ( ୩୫ ) । ଉତ୍ତମ ହରିୟାଣାରେ ଏକ ଔଷଧ କମ୍ପାନିରେ ଲାବୋରୋଟାରି ଆସିଷ୍ଟାଣ୍ଟ ଭାବେ ଉଚ୍ଚ ଦରମାରେ କାର୍ଯ୍ୟ କରନ୍ତି । ସେ ବିବାହିତ ହୋଇଥିବା ବେଳେ ତାଙ୍କର ବର୍ଷକର ଏକ ଝିଅ ମଧ୍ୟ ରହିଛି । ତେବେ ସେ ଦୁଇଦିନ ତଳେ ଗାଁକୁ ଛୁଟିରେ ଆସିଥିବା ବେଳେ ପତ୍ନୀ ଓ ଝିଅ ଶ୍ଵଶୁର ଘରେ ଅଛନ୍ତି । ଗତ କାଲି ସେ କାହାକୁ କିଛି ନକହି ଘରୁ ବାହାରି ଯାଇଥିଲେ ।

ରାତି ଯାଏ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ କରିବା ପରେ ଫୋନ ଘରେ ବାଜିଥିଲା । ଫୋନ ନିକଟରେ ଏକ ଚିଠି ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଆଉ ଚିଠିରେ ସେ ସବୁକଥା ଉଲ୍ଲେଖ କରିଛନ୍ତି । ଏହାସହ ତାଙ୍କୁ କେହି ଭୁଲ ନବୁଝିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ଚିଠି ପାଇବା ପରେ ଉତ୍ତମଙ୍କ ପରିବାର ଲୋକେ ଦୁଃଖର ଭାଙ୍ଗି ପଡ଼ିଛନ୍ତି । ଜଳେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ଉତ୍ତମ ଏବେ କେଉଁଠି, ତାଙ୍କୁ କେଉଁ ରୋଗ ହୋଇଛି , ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ କାହିଁକି ପୂର୍ବରୁ ସୂଚନା ଦେଇ ନାହାନ୍ତି ଏହି ସବୁ ପ୍ରଶ୍ନ ପରିବାର ଲୋକଙ୍କୁ ବିବ୍ରତ କରୁଛି । ତେବେ ବର୍ତ୍ତମାନ ଏ ସମ୍ପର୍କରେ ପୁଅର ବାପା ନମ୍ପୋ ଫାଣ୍ଡି ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।

ଜଳେଶ୍ୱରରୁ ଅଜିତ୍‌ କୁମାର ଦାସଙ୍କ ରିପୋର୍ଟ