Advertisment

ଏଚଆଇଭି ପାଇଁ ପର ହୋଇଗଲା ସିନ୍ଦୂର ! ରୋଗୀଣା ସ୍ୱାମୀର ହାତ ଛାଡ଼ି ଝିଅକୁ ନେଇ ବାପଘର ପଳାଇଲା ସ୍ତ୍ରୀ

ଏଚଆଇଭି ରୋଗ ପାଇଁ ପର ହେଲା ସ୍ୱାମୀ । ତୁଟିଗଲା ପ୍ରେମ, ପ୍ରୀତିର ବନ୍ଧନ ।

author-image
Prangyan Parimita
ଅଦ୍ୟତନ ହୋଇଛି
bhadrak

bhadrak

ରୋଗ ପାଇଁ ପର ହୋଇଗଲା ସିନ୍ଥିର ସିନ୍ଦୂର । ହୋମ ନିଆଁ ସାମ୍ନାରେ ବସି ନେଇଥିବା ଶପଥ ଭୁଲିଗଲା ସ୍ତ୍ରୀ । ସ୍ୱାମୀର ରୋଗ ଶୁଣି ଅଧାବାଟରେ ହାତ ଛାଡି ଚାଲିଗଲା । ସ୍ୱାମୀ ଏଚଆଇଭି ସଂକ୍ରମିତ ଚିହ୍ନଟ ହେବା ପରେ ବାପଘର ଚାଲିଗଲା ଅର୍ଦ୍ଧାଙ୍ଗିନୀ । ସ୍ତ୍ରୀ ସିନା ସ୍ୱାମୀଙ୍କୁ ଛାଡି ଚାଲିଗଲା, ହେଲେ ଅସହାୟ ଅବସ୍ଥାରେ ଗାଁ ଲୋକ ଓ ପଡୋଶୀ ଯୁବକ ତାଙ୍କ ପାଇଁ ସାହା ପାଲଟିଛନ୍ତି । ଏଭଳି ସ୍ଥିତିରେ ସ୍ୱାମୀ ଅସହାୟ ଅବସ୍ଥାରେ ନିଜ ସ୍ତ୍ରୀ ଆଉ ପିଲାକୁ ଝୁରି ହେଉଥିବା ବେଳେ ଗାଁ ଲୋକ ଯୁବକଙ୍କର ମନୋବଳ ବଢ଼ାଇଛନ୍ତି । ସେପଟେ ପୂର୍ବ ଭଳି ପୁଅ, ବୋହୂ ଓ ନାତୁଣୀଙ୍କୁ ଏକାଠି ଦେଖିବା ପାଇଁ ପରିବାର ଲୋକ ବ୍ୟାକୁଳ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି କରୁଣ ଦୃଶ୍ୟ ।

Advertisment

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଜଣେ ଯୁବକ ୩ ବର୍ଷ ତଳେ ବିବାହ କରିଥିଲେ । ବେଶ୍ ହସଖୁସିରେ ଚାଲିଥିଲା ପରିବାର । ବିବାହ ପରେ ଗୋଟିଏ ଝିଅ ମଧ୍ୟ ହୋଇଥିଲା । ନିଜ ବାପାମାଆ, ସ୍ତ୍ରୀ ଓ ପିଲାଙ୍କ ସହ ଦିନ ଗୁଡ଼ିକ ଆରାମରେ କଟିଯାଉଥିଲା । ଯୁବକ ଜଣକ ବାହାରେ କାମ କରି ନିଜ ପରିବାର ପୋଷୁଥିଲେ । ହେଲେ ହଠାତ୍‌ ତାଙ୍କ ଜୀବନ ଉପରେ ଘୋଟିଗଲା କଳାବାଦଲ ।

କିଛି ଦିନ ପୂର୍ବରୁ ରକ୍ତ ଦାନ କରିଥିଲେ ଯୁବକ ଜଣକ । ରକ୍ତ ଦାନ କରିବା ପରେ ସେ ଏଚଆଇଭି ସଂକ୍ରମିତ ବୋଲି ଜଣାପଡ଼ିଥିଲା । ତେବେ ଏ ନେଇ ସ୍ତ୍ରୀଙ୍କୁ ଜଣାଇବା ପରେ ଆରମ୍ଭ ହେଇଥିଲା ପାରିବାରିକ ଜୀବନରେ ଝଡ଼ । ସବୁ ଭଲପାଇବା , ସ୍ନେହ ପ୍ରେମ କ୍ଷଣିକରେ ପାଣିରେ ମିଳାଇ ଯାଇଥିଲା । ସ୍ୱାମୀଙ୍କ ନିକଟରେ ରହିବେ ନାହିଁ ବୋଲି ସ୍ତ୍ରୀ ଅଡ଼ି ବସିଥିଲେ। ଶାଶୂ, ଶ୍ୱଶୁର ଓ ସ୍ୱାମୀ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ।

Advertisment

ଶେଷରେ ପୋଲିସ, ଗାଁ ଲୋକଙ୍କ ଉପସ୍ଥିତିରେ ବୁଝାମଣା ପରେ ମହିଳା ଜଣକ ନିଜ ଝିଅ ସହ ବାହାଘର ସମୟରେ ଆଣିଥିବା ଯାନିଯୌତୁକ ସମସ୍ତ ଜିନିଷ ନେଇ ବାପ ଘରକୁ ପଳାଇଛନ୍ତି । ତିନି ବର୍ଷ ଧରି ସୁନାର ସଂସାର ଗଢ଼ିଥିବା ଯୁବକ ଏବେ ସ୍ତ୍ରୀପିଲାକୁ ଝୁରି ହେଉଛନ୍ତି କେବଳ । ସାହାରା ଦେବା ପରିବର୍ତ୍ତେ ସବୁ ଦିନ ପାଇଁ ହାତ ଛାଡ଼ି ଚାଲିଯାଇଛି ସ୍ତ୍ରୀ । ପୁଅର ଏଭଳି ଅବସ୍ଥା ଦେଖି ଅସହାୟ ବାପା ମାଆ ମଧ୍ୟ ଭାଙ୍ଗି ପଡ଼ିଛନ୍ତି ।

ସ୍ତ୍ରୀ ସିନା ଚାଲିଗଲା, ଗାଁ ପଡୋଶୀ ସେମାନଙ୍କ ସହ ହାତ ମିଳାଇବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଅନ୍ୟପଟେ ଭିନ୍ନ କଥା କହୁଛନ୍ତି ଏଚଆଇଭି ସଂକ୍ରମିତଙ୍କ ସ୍ତ୍ରୀ । ତାଙ୍କ ପାଖରୁ ରୋଗ ଡେଇଁଥିବା କଥା କହି ଶାଶୂଘର ମାର ପିଟ୍ କରୁଥିବା ଅଭିଯୋଗ କରିଛନ୍ତି ସେ ।

Tragic Story
Advertisment
Advertisment