• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପୁଅ ଶୋଉଛି ଖଟରେ, ବାପା ଶୋଉଛନ୍ତି ବାରଣ୍ଡାରେ

  • ନ୍ୟାୟ ଦାବି କଲେ ଗ୍ରାମବାସୀ

ଯାଜପୁର(ଅଭୟ ପତି): ବାପା ଓ ମାଆ ପୁଅଟିଏ ଜନ୍ମ କରିନ୍ତି ଶେଷ ସମୟରେ ଟିକିଏ ସାହା ହେବ ବୋଲି। ବୃଦ୍ଧା ଅବସ୍ଥାରେ ଆଶାର ବାଡ଼ି ହେବ ପୁଅ। ଏହି ଆଶାରେ ତ ବାପାମାଆ ପୁତ୍ର ସନ୍ତାନଟିଏ ପାଇବା ଲାଗି ଦିଅଁ ଦେବତାଙ୍କ ନିକଟରେ ଗୁହାରି କରନ୍ତି । କିନ୍ତୁ ଯେତେବେଳେ ସେହି ପୁଅ ସମ୍ପତ୍ତି ଲୋଭରେ ବୃଦ୍ଧ କାଳରେ ବାପା ଓ ମାଆଙ୍କୁ ପର କରିଦିଏ, ଥରେ ଚିନ୍ତା କରନ୍ତୁ କି ପ୍ରକାର ମାନସିକ ଆଘାତ ପାଇଥିବେ ବାପା? ମନରେ ନିଶ୍ଚୟ ଭାବୁଥିବେ କଣ ଏଇଥି ପାଇଁ ପୁଅ ଜନ୍ମ କରିଥିଲୁ? ସତରେ କେଡ଼େ କଷ୍ଟଦାୟକ ଏହି ବିଷଯୟ…

ଠିକ୍‌ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ପଂଞ୍ଚାୟତ ବଣିଆଗାଡ଼ିଆ ଗ୍ରାମରେ l ଗାଁ ସ୍କୁଲ ବାରଣ୍ଡାରେ ପଡି ରହିଛନ୍ତି ୭୪ ବର୍ଷୀୟା ବୃଦ୍ଧ। ଏ ହେଉଛନ୍ତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ l ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ଛୋଟିଆ ସଂସାର l ସ୍ତ୍ରୀ ଆଜକୁ ପନ୍ଦର ବର୍ଷ ପୂର୍ବେ ଆଖି ବୁଜିଛନ୍ତି l ଉଭୟ ପୁଅ ଝିଅଙ୍କର ବିବାହ ବି ସରିଛି l ଦୁଇ ପୁଅଙ୍କ ପାଖରେ ଜୀବନ ବିତିବା ପାଇଁ ଆଶା କରିଥିଲେ କିନ୍ତୁ ପୁଅ ତାଙ୍କର ବୃଦ୍ଧାବସ୍ଥାରେ ସାହାରା ହେବା ପରିବର୍ତ୍ତେ ଘରୁ ବାହାର କରିଦେଇଛି l ସମ୍ପତ୍ତି ନେବା ପରେ ବାପାକୁ ଘରୁ ବାହାର କରିଦେଲେ କଳିଯୁଗର କୁଳାଙ୍ଗାର ପୁଅ l ବାପା ଦେଖିଥିବା ସ୍ଵପ୍ନ ସବୁ ପାଣିଫୋଟକା ପରି ମିଳେଇ ଯାଇଛି । ଆଖୁର ଲୁହକୁ ପିଇ କେବଳ ଭାଗ୍ୟକୁ ଭରସା କରି ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛି ବୁଢା ବାପ।

 

ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ମାସିକ ପାଞ୍ଚଶହ ଟଙ୍କାରେ ବିସ୍କୁଟ ଓ ପାଣି ପିଇ ଜୀବନ ଜିଉଛନ୍ତି ପୂର୍ଣ୍ଣଚନ୍ଦ୍ର l ବେଳେ ବେଳେ ମନ୍ଦିରରେ ହେଉଥିବା ରୋଷେଇ ଓ ବଦାନ୍ୟ ବ୍ୟକ୍ତି କିଛି ଖାଇବାକୁ ଦିଅନ୍ତି। ହେଲେ ଅଧିକାଂଶ ଦିନ ବିସ୍କୁଟ ଓ ପାଣିରେ ହିଁ ବିତେ।

ସ୍ତ୍ରୀ ଆରପାରିକୁ ଯିବା ପରେ ସମ୍ପତ୍ତି ସବୁକୁ ୨ ପୁଅଙ୍କ ମଧ୍ୟରେ ବାଂଟ କରିଦେଲେ ପୂର୍ଣ୍ଣଚନ୍ଦ୍ର। ଆଉ ଏହାପରେ ପୁଅ ଓ ବୋହୁ ମିଶି ନିର୍ଯାତନା ଦେବା ଆରମ୍ଭ କରିଦେଲେ। ୫ ମାସ ତଳେ ସାନ ବୋହୂ ଧକ୍କା ମାରିଦେଲା ଆଉ ସେହିଦିନଠୁ ସ୍କୁଲ ବାରଣ୍ଡା ପାଲଟିଲା ପୂର୍ଣ୍ଣଚନ୍ଦ୍ରଙ୍କ ଘର। ବୃଦ୍ଧ ପିତାମାତାଙ୍କ ନିର୍ଯ୍ୟାତନା ବିରୁଦ୍ଧରେ କଠୋର ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହି ବୃଦ୍ଧଙ୍କ କ୍ଷେତ୍ରରେ ଏହି ଆଇନ ର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଏହି ବୃଦ୍ଧଙ୍କ ଥଇଥାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ଏ ଘଟଣା ସମ୍ପର୍କରେ ନେଇ ଆମେ ବୃଦ୍ଧଙ୍କ ପୁଅ ଏବଂ ବୋହୂଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ମାତ୍ର ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଛନ୍ତି।